IBN ଓଡ଼ିଶା ବ୍ୟୁରୋ

ରେଡିଓ ଚକଲେଟ୍‌ ପକ୍ଷରୁ ‘ଜୟ ହୋ’

ଭୁବନେଶ୍ୱର: ‘ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’, ‘ଜୟ ଯବାନ ଜୟ କିଷାନ’, ‘ଭାରତ ମାତା କି ଜୟ’ ପରି ସ୍ଲୋଗାନ ସହିତ ‘ସନ୍ଦେଶେ ଆତେ ହେଁ’, ‘ଦେଶ ରଙ୍ଗିଲା’ ପରି ସଙ୍ଗୀତରେ କମ୍ପୁଥିଲା ଏସ୍‌ପ୍ଲାନେଡ ପରିସର। ଅବସର ଥିଲା ରେଡିଓ ଚକଲେଟ୍‌ ପକ୍ଷରୁ ଗଣତନ୍ତ୍ରର ୭୬ତମ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଜୟ ହୋ’। ଏଥିରେ ୪ରୁ ୧୦ ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୌତୁକିଆ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେମାନେ ରାଣୀ ଲକ୍ଷ୍ମୀବାଈ, ଭଗତ ସିଂହ, ସୁଭାଷ ଚନ୍ଦ୍ର ବୋଷ, ଇନ୍ଦିରା ଗାନ୍ଧୀ, ସୈନିକ, ଭାରତ ମାତା ପ୍ରମୁଖଙ୍କ ରୂପ ନେଇ ତାଙ୍କର ପ୍ରସିଦ୍ଧ କାର୍ଯ୍ୟ ଓ ସ୍ଲୋଗାନଗୁଡ଼ିକ ପ୍ରକାଶ କରିଥିଲେ। ଏଥିରେ ସହରର ବିଭିନ୍ନ ବିଦ୍ୟାଳୟରୁ ୧୩୪ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।

କାର୍ଯ୍ୟକ୍ରମରେ ବିଚାରକ ଭାବେ ଶୁଶ୍ରୁତ ହସ୍ପିଟାଲ ଆଣ୍ଡ ଟ୍ରମାକେୟାରର ପ୍ରତିଷ୍ଠାତା ସିଇଓ ଚିଦାତ୍ମିକା ଖଟୁଆ, ବିଶିଷ୍ଟ ଗୀତିକାର ଗୁରୁ ପ୍ରସାଦ ଶତପଥୀ ଯୋଗ ଦେଇଥିଲେ। ଓଡିଏମ୍‌ ପବ୍ଲିକ ସ୍କୁଲର ଟୁଲିପ ତନୟା ମିଶ୍ର ପ୍ରଥମ, ସତ୍ୟସାଇ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ସାନଭି ବେହେରା ଦ୍ୱିତୀୟ ଓ ମଦର୍ସ ପବ୍ଲିକ ସ୍କୁଲର ସୋନାକ୍ଷୀ ମଲ୍ଲିକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅନ୍ୟାନ୍ୟ ଅତିଥି ଭାବେ ରେଡିଓ ଚକଲେଟ୍‌ର ପ୍ରୋଗ୍ରାମିଂ ମୁଖ୍ୟ ଆର୍‌ଜେ ସଂଗ୍ରାମ, ରେଡିଓ ଚକଲେଟ୍‌ ଓ କନକ ନ୍ୟୁଜର ସେଲ୍‌ସ ମୁଖ୍ୟ କଲ୍ୟାଣେନ୍ଦୁ ନାୟକ, ଆଞ୍ଚଳିକ ମାର୍କେଟିଂ ମୁଖ୍ୟ ପ୍ରଶାନ୍ତ କୁମାର ମାଲୁ ପ୍ରମୁଖ ଯୋଗ ଦେଇଥିଲେ। ସଂଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଏସ ଜିତୁ ଓ ସ୍ମରଣିକା ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରିଥିଲେ। ଶ୍ରେଷ୍ଠ ତିନିଜଣ ପ୍ରତିଯୋଗୀଙ୍କ ସମେତ ଆଉ ୭ଜଣ ପିଲାଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ଓ ୧୦ଜଣଙ୍କୁ ସ୍ୱତନ୍ତ୍ର ଜୁରି ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହିତ ଅଭିଭାବକଙ୍କ ମଧ୍ୟରେ ଏକ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବନଦୁର୍ଗା ରିୟଲକନ ପ୍ରାଇଭେଟ୍‌ ଲିମିଟେଡ, ତାରିଣୀ ଅଟୋମୋବାଇଲସ୍‌, ପଣ୍ଡା ଟ୍ରାଭେଲ୍‌ ମାର୍ଟ, ଓସାକ୍ସ, ଜାଭେରି ଗୋଲଡ୍ ଆଣ୍ଡ ଡାଇମଣ୍ଡ, ଶୁଶ୍ରୁତ ହସ୍ପିଟାଲ୍‌ ଆଣ୍ଡ ଟ୍ରମାକେୟାର, କଳିଙ୍ଗ ଭାରତୀ ରେସିଡେନସିଆଲ କଲେଜ, ଶ୍ରୀ ଛପନ ଭୋଗ, ନିଞ୍ଜା ବ୍ରେନ, ଅଖିଲ ଫଟୋଗ୍ରାଫି ପ୍ରମୁଖ ପ୍ରାୟୋଜକ ଥିଲେ। ମଞ୍ଚ ପରିଚାଳନା କରିଥିଲେ ଆର୍‌ଜେ କୋମଲ, ଆର୍‌ଜେ ମହେଶ।

Related Articles

Leave a Reply

Your email address will not be published. Required fields are marked *

Back to top button