ରାଜ୍ୟ

ସିଂହୀ ‘ରେବା’ର ତୃତୀୟ ଗର୍ଭରୁ ୩ ଶାବକ

ବାରଙ୍ଗ: ତୃତୀୟ ଥର ପାଇଁ ମା’ ହୋଇଛି ୧୨ ବର୍ଷିଆ ସିଂହୀ ରେବା। ଶନିବାର ରେବା ଗର୍ଭରୁ ୩ ଶାବକ ଜନ୍ମ ନେଇଛନ୍ତି। ଗୋଟିଏ ମୃତ ଶାବକ ଓ ଅନ୍ୟ ୨ଟି ଜୀବିତ ଅଛନ୍ତି। ଜୀବିତ ଶାବକଦ୍ବୟ ମଧ୍ୟରୁ ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ବୋଲି ପ୍ରାଥମିକ ଭାବେ ଚିହ୍ନଟ କରାଯାଇଛି। ତେଣୁ ୭୬ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ସିଂହୀ ରେବା ନନ୍ଦନକାନନକୁ ୨ଶାବକ ଭେଟି ଦେଇଥିବା ଚର୍ଚ୍ଚା ହେଉଛି।

ପୂର୍ବ ୨ଥର ଭଳି ଏଥର ମଧ୍ୟ ସିଂହୀ ରେବା ଓ ସିଂହ ଜିତ୍‌ ମଧ୍ୟରେ ମିଳନ ହୋଇଥିଲା ଏବଂ ରେବା ତୃତୀୟ ଥର ପାଇ ଗର୍ଭବତୀ ହୋଇଥିଲା। ଆଜି ଖୁଆଡ଼ରେ ପ୍ରଥମ ଶାବକଟି ପୂର୍ବାହ୍ନ ୯ଟା ୩୩ ମିନିଟ୍‌ରେ ଜନ୍ମ ନେଇଥିଲା। ମାତ୍ର ଉକ୍ତ ଅଣ୍ଡିରା ଶାବକଟି ମୃତ ଅବସ୍ଥାରେ ଜନ୍ମ ନେଇଥିଲା। ଦ୍ୱିତୀୟ ଶାବକଟି ଅପରାହ୍ଣ ୩ଟା ୫୮ ମିନିଟ୍‌ରେ ଓ ତୃତୀୟଟି ସନ୍ଧ୍ୟା ୫ଟା ୫୬ ମିନିଟ୍‌ରେ ରେବା ଗର୍ଭରୁ ବାହାରିଥିଲେ। ଏହି ନବଜାତ ଶାବକଦ୍ବୟ ଜୀବିତ ଥିଲେ। ତୁରନ୍ତ ସେମାନଙ୍କୁ ମା’ ରେବା ନିକଟରୁ ପୃଥକ କରାଯାଇ ହ୍ୟାଣ୍ଡ୍‌ ରିୟରିଂ ସେଣ୍ଟର୍‌ (ସେବାଯତ୍ନ କେନ୍ଦ୍ର)କୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କୁ ଉଷ୍ମତା ଯୋଗାଉଥିବା ଲାଇଟ୍‌ ମଧ୍ୟରେ ରଖାଯାଇଥିଲା। ମା’ ଛୁଆଙ୍କୁ ଅଲଗା କରିବା ପଛରେ ରହିଛି ସିଂହୀ ରେବାର ମନ୍ଦ ପ୍ରକୃତି। ନବଜାତ ଛୁଆଙ୍କ ଯତ୍ନ ନେବା ବଦଳରେ ରେବା ମାରି ଖାଇବା ଗୁଣ ଧାରଣ କରିଛି। ପ୍ରଥମ ଥର ସେ ଏଭଳି କାଣ୍ଡ ଘଟାଇଥିଲା। ଏଥର ମଧ୍ୟ ରେବା ବଞ୍ଚିଥିବା ୨ଶାବକଙ୍କ ଯତ୍ନ ନେଉ ନଥିବା ଦେଖିବାକୁ ମିଳିଥିଲା। ତେଣୁ ତୁରନ୍ତ ଜନ୍ତୁରକ୍ଷକମାନେ ୨ଶାବକଙ୍କୁ ମା’ ଠାରୁ ଅଲଗା କରିଥିଲେ। ନନ୍ଦନକାନନର ପ୍ରାଣୀ ଚିକିତ୍ସକମାନେ ସେମାନଙ୍କ ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି। ୨ ନବଜାତ ସୁସ୍ଥ ଥିବା ସୂଚନା ମିଳିଛି।

୨୦୨୦ ଡିସେମ୍ବର ୨୦ରେ ମଧ୍ୟପ୍ରଦେଶ ଇନ୍ଦୋରସ୍ଥିତ କମଳା ନେହରୁ ପ୍ରାଣୀ ସଂଗ୍ରହାଳୟରୁ ରେବାକୁ ନନ୍ଦନକାନନ ଅଣାଯାଇଥିଲା। ସେତେବେଳେ ଯୁବତୀ ରେବାକୁ ମାତ୍ର ୭ ବର୍ଷ ବୟସ। ପ୍ରଥମରୁ ରେବା ଓ ସିଂହ ଜିତ୍‌ ମଧ୍ୟରେ ସମ୍ପର୍କ ଗଢ଼ିଉଠିଥିଲା। ଜିତ୍ ଔରସରୁ ରେବା ଦୁଇଥରରେ ୫ ଶାବକ ଜନ୍ମ ଦେଇଥିଲା ଏବଂ ଗୋଟିଏ ମରିଯାଇଥିଲା। ରେବା ଜନ୍ମିତ ଶାବକଙ୍କ ମଧ୍ୟରୁ ଶିମ୍ବା, କେଶରୀ, ଶିବମ୍ ଓ ମାୟା ସେବାଯତ୍ନ କେନ୍ଦ୍ରରେ ବଡ଼ ହୋଇ ନନ୍ଦନକାନନରେ ଅଛନ୍ତି। ଆଜି ଜନ୍ମ ନେଇଥିବା ୨ ଶାବକଙ୍କୁ ମିଶାଇଲେ ରେବାର ୬ ଶାବକ ନନ୍ଦନକାନନର ସମ୍ପଦ ଭାବେ ଗଣାହେବେ।

Related Articles

Leave a Reply

Your email address will not be published. Required fields are marked *

Back to top button