ଅଣନିଶ୍ବାସୀ ରାଜଧାନୀବାସୀ
ଭୁବନେଶ୍ବର: ଅଘୋଷିତ ଟ୍ରାଫିକ୍ କଟକଣାରେ ଅଣନିଶ୍ବାସୀ ରାଜଧାନୀବାସୀ। ଆଜି ଅପରାହ୍ନ ୪ଟା ବେଳେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କାରକେଡ ରିହର୍ସାଲ ପରିପ୍ରେକ୍ଷୀରେ ଟ୍ରାଫିକ କଟକଣା ଲଗାଯାଇଥିଲା। ଏହା ଅଫିସ ଓ ସ୍କୁଲ ଛୁଟି ସମୟ ହୋଇଥିବାରୁ ରାସ୍ତାରେ ଶହ ଶହ ଯାନବାହନ ଅଟକି ରହିଥିଲା। କିନ୍ତୁ ଟ୍ରାଫିକ କଟକଣା ଯୋଗୁ ସମ୍ପୂର୍ଣ୍ଣ ରାଜଧାନୀ କିଛି ସମୟ ପାଇଁ ଅଟକି ଯାଇଥିଲା। ସବୁଠାରୁ ବଡ଼ କଥା ହେଲା, ଏହି ସମୟରେ ଆସୁଥିବା କିଛି ସ୍କୁଲ ବସ୍ ଓ ଆମ୍ବୁଲାନ୍ସ ମଧ୍ୟ ଭିଡ଼ରେ ଫସିଥିଲେ। ଏଥିସହିତ ଏହାକୁ ନେଇ ସାଧାରଣରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା।
ଉଲ୍ଲେଖଥାଉକି, ଗତ କିଛିଦିନ ଧରି ରସୁଲଗଡ଼ ଛକ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଠାରେ ଟ୍ରାଫିକ୍ ଜାମ ଏବେ ନିତିଦିନିଆ ଘଟଣା ହୋଇଛି। ଅଧିକାରୀ ବଦଳୁଛନ୍ତି, ଅଥଚ ରସୁଲଗଡ଼ ଟ୍ରାଫିକ ସମସ୍ୟା ସମାଧାନ ବାଟ କାଢ଼ି ପାରୁ ନାହାନ୍ତି। ଆଜି ସନ୍ଧ୍ୟାରେ ପାଖାପାଖି ୩୦ ମିନିଟ ଧରି ଯାନବାହନ ଆଗକୁ ବଢ଼ି ପାରି ନଥିଲା। ଫ୍ଲାଏଓଭର ଉପରେ ଗାଡ଼ି ସ୍ବାଭାବିକ ଚାଲୁଥିବା ବେଳେ ବ୍ରିଜ ତଳେ ଗାଡ଼ି ଛିଡ଼ା ହୋଇ ରହିଥିଲା। ଏମିତିରେ ବି ଶ୍ରମଜୀବୀ ମହିଳାମାନେ ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ଏହି ସମୟରେ ଫେରୁ ଥିବାରୁ ଗହଳି ରହିଥାଏ। ଜାମ୍ ଫଳରେ ପରିସ୍ଥିତି ସଙ୍ଗିନ୍ ହୋଇପଡ଼ିଥିଲା। ଶିଳ୍ପାଞ୍ଚଳ ଭିତରକୁ ଯିବାକୁ ଥିବା ବଡ଼ ବଡ଼ ଟ୍ରକ, ବସ ମଧ୍ୟ ଅଟକି ରହିଥିଲେ। ରାସ୍ତା କଡ଼ରେ ଗାଡ଼ିମଟର ପାର୍କିଂ ମଧ୍ୟ ପରିସ୍ଥିତିକୁ ଅଧିକ ଜଟିଳ କରିଥିଲା।