ରାଜ୍ୟ

ସରକାରୀ ପାଚେରି ଭାଙ୍ଗିଦେଲେ: ଅସ୍ଥାୟୀ ଯାତ୍ରା, ସ୍ଥାୟୀ ଘର

ଭୁବନେଶ୍ୱର: ଯାତ୍ରା ଅସ୍ଥାୟୀ, ହେଲେ ଘର ସ୍ଥାୟୀ। ଘର କରିବା ପାଇଁ ବିଡିଏ ତିଆରି କରିଥିବା ସୁରକ୍ଷା ପାଚେରିକୁ ବି ଭାଙ୍ଗି ‌ଦେଇଛନ୍ତି। ଖଣ୍ଡଗିରି ଅଞ୍ଚଳର ଏକାଧିକ ଯାତ୍ରା ପଡ଼ିଆରେ ଏଭଳି ସ୍ଥିତି ଦେଖାଦେଇଛି। ପୂର୍ବରୁ ଏଠାରେ ଟିକଟ ଘର ପାଇଁ ସରକାରୀ ଜାଗାରେ ସ୍ଥାୟୀ କୋଠା ନିର୍ମାଣ ହୋଇଥିବା ବେଳେ ଏବେ ଆହୁରି ନୂଆ ଘର ନିର୍ମାଣ ହେଉଛି। ଘର ନିର୍ମାଣ କରିବାକୁ ବିଡିଏ କରିଥିବା ସୁରକ୍ଷା ପାଚେରିକୁ ଭାଙ୍ଗି ଦିଆଯାଇଛି। ପୂର୍ବରୁ ବିଡିଏ ଏଠାରୁ ଜବରଦଖଲଉଚ୍ଛେଦ କରିଥିଲା। ଜବରଦଖଲ ହଟାଇବା ପରେ ଏହା ପାଚେରି କରି ସୁରକ୍ଷିତ କରିଥିଲା। ହେଲେ ଏହି ପାଚେରିକୁ ଏବେ ତାଡ଼ି ଦିଆଯାଇଛି। ଗୋଟିଏ ପଡ଼ିଆ ଭିତରେ କୋଠା ନିର୍ମାଣ ଚାଲିଥିବା ବେ‌ଳେ ଖଣ୍ଡଗିରି ଛକରେ କୋଠା ନିର୍ମାଣ ସରିଛି।

ଖଣ୍ଡଗିରିରେ ହେବାକୁ ଥିବା ଯାତ୍ରା ମହୋତ୍ସବ ପାଇଁ ଟିକଟ ଘର ନାଁରେ ସରକାରୀ ଜାଗାରେ ଏଭଳି ଛାତ ଘର ତିଆରି ହୋଇଛି। ଖଣ୍ଡଗିରି ଛକ ଉପରେ ଓ ଜାଗମରା ପଡ଼ିଆ ଭିତରେ ଏଭଳି ନିର୍ମାଣ ଚାଲିଛି। ଖଣ୍ଡଗିରି ଛକରେ ଯେଉଁ ନିର୍ମାଣ ହୋଇଛି ତାହାକୁ କିଛି ବର୍ଷ ତଳେ ବିଡିଏ ଉଚ୍ଛେଦ କରିଥିଲା। କିନ୍ତୁ ପୁଣି ଥ‌ରେ କୋଠା ଛିଡ଼ା ହୋଇଛି। ଜାଗମରା ପଡ଼ିଆରେ ଏବେ ନିର୍ମାଣ ଚାଲିଛି। ଯାତ୍ରା ସମୟରେ ଟିକଟ ଘର କଣ ହେବ ତାହାର କାହା ପାଖରେ ହିସାବ ନାହିଁ କି ବିଡିଏ ପାଖରେ ଏଭଳି ଜବରଦଖଲ ନିର୍ମାଣର ସୂଚନା ମଧ୍ୟ ନାହିଁ। ବଡ଼କଥା ହେଉଛି ବିଡିଏ ଏହି ଜାଗାରେ ଥିବା ‌ଛୋଟଛୋଟ ଜବରଦଖଲ ହଟାଇ ସୁରକ୍ଷା ପାଚେରି ତିଆରି କରିଥିଲା। ହେଲେ ତାହା ଭିତରେ ଏବେ ନିର୍ମାଣ ଚାଲିଛି। ଜିଏ ବିଭାଗର ଜାଣେ ବରିଷ୍ଠ ଅଧିକାରୀ ହାତଗୁଞ୍ଜା ନେଇ ଏଭଳି ବେଆଇନ ନିର୍ମାଣକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ଯାତ୍ରା ପେଣ୍ଡାଲ ପାଇଁ ୧ହଜାର ବର୍ଗଫୁଟ୍‌ (ଶହେ ବର୍ଗଫୁଟ୍‌ ଲମ୍ବା ଓ ଶହେ ବର୍ଗଫୁଟ୍‌ ଓସାର)ର ଜାଗା ଦଆଯାଏ। ଏଥିପାଇଁ ଆର୍‌ଡି ବିଭାଗ ସ୍ବୀକୃତି ଦିଏ। ଆର୍‌ଡିର ସ୍ବୀକୃତି ଆଧାରରେ ଅଗ୍ନିଶମ, ବିଦ୍ୟୁତ୍‌ ଓ ପୁଲିସଠାରୁ ସ୍ବୀକୃତି ଅଣାଯାଇଥାଏ। କିନ୍ତୁ ବାସ୍ତବରେ ଏହାର ୩ରୁ ୪ ଗୁଣ ଅଧିକ ଜାଗାରେ ପେଣ୍ଡାଲ ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି। କେତେକ ତଳିଆ କର୍ମଚାରୀ ହାତଗୁଞ୍ଜା ‌ନେଇ ଏଭଳି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ଦେଇଥିବା ଅଭିଯୋଗ ହୋଇଛି। ଅଗ୍ନିଶମ ସେବା ସଂସ୍ଥାର ଅଭିଯୋଗ ହେଉଛି ଯେତିକି ଜାଗା ସ୍ବୀକୃତି ଦିଆଯାଇଛି ସେତିକି ଜାଗାରୁ ଅଧିକ ବ୍ୟବହାର ହେଲେ ଅଘଟଣ ସମୟରେ ମୁକାବିଲା କରିବା କଷ୍ଟକର ହୁଏ। କିନ୍ତୁ ବର୍ଷବର୍ଷ ଧରି ଏଭଳି ଚାଲିଥିବା ଅଭିଯୋଗ ହୋଇଛି। ତେବେ ଅଧିକାଂଶ କମିଟି ଏଭଳି ବେଆଇନ କାର୍ଯ୍ୟକୁ ସମର୍ଥନ କରିନାହାନ୍ତି। ସ୍ବୀକୃତିପ୍ରାପ୍ତ ପରିମାଣ ଆଧାରରେ ପେଣ୍ଡାଲ ନିର୍ମାଣ ହୁଏ ଓ ଟିକଟଘର ଅସ୍ଥାୟୀ ଭାବରେ କରାଯାଏ ବୋଲି କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button