IBN ଓଡ଼ିଶା ବ୍ୟୁରୋ

ତାରିଫ ଓ୍ୱାର- ମୁଣ୍ଡ ନୁଆଁଇଲା କଲମ୍ୱିଆ

ମୁଣ୍ଡ ନୁଆଁଇଲା କଲମ୍ୱିଆ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସର୍ତ୍ତରେ ରାଜି ହେଲା। ଆମେରିକାରୁ ବାହାର କରାଯାଇଥିବା ଅବୈଧ ପ୍ରବାସୀଙ୍କୁ ଦେଶକୁ ଫେରାଇ ଆଣିବାକୁ ଅରାଜି ଥିବା କଲମ୍ୱିଆ ସରକାର ଶେଷରେ ଟ୍ରମ୍ପଙ୍କ ଚାପରେ ଏହାକୁ ମାନି ନେଇଛନ୍ତି। କଲମ୍ୱିଆ ରାଷ୍ଟ୍ରପତି ବେଆଇନ ପ୍ରବାସୀଙ୍କୁ ନିଜ ଦେଶକୁ ଫେରାଇ ନେବାକୁ ସ୍ୱତନ୍ତ୍ର ବିମାନ ପଠାଇଛନ୍ତି। ଏହା ଆଗରୁ ଆମେରିକାରୁ ଅବୈଧ ପ୍ରବାସୀଙ୍କୁ ନେଇ ଆସିଥିବା ଦୁଇଟି ଆମେରିକୀୟ ସେନା ବିମାନକୁ ନିଜ ଦେଶରେ ଲ୍ୟାଣ୍ଡିଂ ଲାଗି ଅନୁମତି ଦେଇନଥିଲା କଲମ୍ୱିଆ। ଏହା ପରେ କଲମ୍ୱିଆକୁ ନାଲିଆଖି ଦେଖାଇଥିଲେ ଟ୍ରମ୍ପ। ରବିବାର କଲମ୍ୱିଆ ବିରୁଦ୍ଧରେ ୨୫ ପ୍ରତିଶତ ତାରିଫ୍ ଲଗାଇବା ସହ ଅନେକ ପ୍ରତିବନ୍ଧ ଲଗାଇବାକୁ ଘୋଷଣା କରିଥିଲେ ଟ୍ରମ୍ପ।। ଆସନ୍ତା ସପ୍ତାହରୁ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟିକସ ବୃଦ୍ଧି ନେଇ ଧମକ ବି ଦେଇଥିଲେ।

ଏହାର ଜବାବରେ ସୋସିଆଲ ମିଡିଆରେ ପୋଷ୍ଟ କରି ଟ୍ରମ୍ପ୍ ସରକାର ପ୍ରବାସୀଙ୍କ ସହ ସମ୍ମାନଜକ ବ୍ୟବହାର କରୁନାହାନ୍ତି କହି ଆରୋପ ଲଦିଥିଲେ କଲମ୍ୱିଆ ରାଷ୍ଟ୍ରପତି ଗୁସ୍ତାଓ ପେଟ୍ରୋ। ଏହା ସହ ଆମେରିକା ସାମଗ୍ରୀ ଉପରେ ୨୫ ପ୍ରତିଶତ ଟିକସ ବୃଦ୍ଧି ନେଇ ବି ଘୋଷଣା କରିଥିଲେ।

ଏହାକୁ ନେଇ ଦୁଇ ଦେଶ ଭିତରେ ତାରିଫ୍ ଓ୍ୱାର ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଆଉ ଶେଷରେ କଲମ୍ୱିଆ ନିଜର ନିଷ୍ପତ୍ତିରୁ ପଛକୁ ହଟିଛି। କଲମ୍ୱିଆ ଦୈନିକ ଆମେରିକାକୁ ୨ଲକ୍ଷ ବ୍ୟାରେଲ କଚା ତେଲ ପଠାଏ। ଆମେରିକା କଲମ୍ୱିଆରୁ କୋଇଲା, କଫି ଓ ସୁନା ଆମଦାନୀ କରିଥାଏ। ଏହା ବ୍ୟତୀତ ତାଜା ଫୁଲ ବି ଆମଦାନୀ କରେ। ନିର୍ବାସିତ କଲମ୍ୱିଆ ନାଗରିକଙ୍କୁ ସମ୍ମାନଜନକ ସହ ନିଜ ଦେଶକୁ ଫେରାଇ ନେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି କଲମ୍ୱିଆ ସରକାର। ଅବୈଧ ପ୍ରବାସୀଙ୍କୁ ନେଇ ୨୦୨୦ରୁ ୨୦୨୪ ଭିତରେ ଆମେରିକାରୁ ୪୭୫ ବିମାନ ପହଞ୍ଚିଛି। ଅବୈଧ ପ୍ରବାସୀଙ୍କୁ ନେଇ ନିଜ ଦେଶକୁ ବିମାନରେ ଫେରାଇ ନେବାରେ ପଞ୍ଚମ ଦେଶ ହେଉଛି କଲମ୍ୱିଆ। କଲମ୍ୱିଆ ଆଗରୁ ଗ୍ୱାଟେମାଲା, ହଣ୍ଡୁରାସ, ମେକ୍ସିକୋ ଓ ଅଳ ସାଲଭାଡୋର ଥିଲା। ୨୦୨୪ରୁ ଏ ପର୍ଯ୍ୟନ୍ତ ଅବୈଧ ପ୍ରବାସୀଙ୍କୁ ନେଇ ୧୨୪ ଫ୍ଲାଇଟ୍ କଲମ୍ୱିଆ ପହଞ୍ଚିଛି। କିଛି ବର୍ଷ ତଳୁ କଲମ୍ୱିଆ ନାଗରିକ ବଡ଼ ସଂଖ୍ୟାରେ ଆମେରିକା- ମେକ୍ସିକା ସୀମାରେ ପହଞ୍ଚିଥିଲେ। ଗଲା ବର୍ଷକ ଭିତରେ କଲମ୍ୱିଆର ୧ଲକ୍ଷ ୨୭ ହଜାର ନାଗରିକ ଆମେରିକାରେ ଅବୈଧ ଅନୁପ୍ରବେଶ ଆରୋପରେ ଗିରଫ ହୋଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button