ବିଶ୍ବସ୍ତରୀୟ ଏସ୍ସିବି ନିର୍ମାଣ କାମ ଧିମା: ଦୁଇ ନିର୍ମାଣକାରୀ ସଂସ୍ଥାକୁ୧୧୦ କୋଟି ଟଙ୍କା ଜରିମାନା – Ibnodisha

[ad_1]
କଟକ: ବିଶ୍ବସ୍ତରୀୟ ଏସ୍ସିବି ଏମ୍ସ ପ୍ଲସ୍ ଯୋଜନାର ନିର୍ମାଣ କାମ ଏବେ ବି ଧିମେଇ ରହିଛି। ବାରମ୍ବାର ତାଗିଦ୍ ପରେ ବି ନିର୍ମାଣକାରୀ ସଂସ୍ଥା କାର୍ଯ୍ୟ ତ୍ବରାନ୍ବିତ କରି ପାରୁ ନଥିବାରୁ ଏଯାଏ ବିଭିନ୍ନ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା ଜରିମାନା ଦୁଇଟି ନିର୍ମାଣକାରୀ ସଂସ୍ଥା ଉପରେ ପକାଇଛି ଓବିସିସି। ସରକାରୀ ଚୁକ୍ତି ଅନୁସାରେ ରେସିଡେନ୍ସିଆଲ କୋଠା ନିର୍ମାଣ ଜାନୁଆରି ୨୦୨୪ ସୁଦ୍ଧା ଓ କ୍ଲିନିକାଲ କୋଠା ନିର୍ମାଣ ୨୦୨୪, ଜୁଲାଇ ୯ ସୁଦ୍ଧା କାମ ସରିବ। କିନ୍ତୁ ସେହି ସମୟ ଭିତରେ କାମ ସରିବା ଏକପ୍ରକାର ଅସମ୍ଭବ ବୋଲି କୁହାଯାଉଛି। ଅନ୍ୟପଟେ ଏସସିବି ପ୍ରକଳ୍ପ ପାଇଁ ଏବେ ବ୍ୟୟ ଅଟକଳ ୩୫୨୪ କୋଟି ୭୦ ଲକ୍ଷ ଟଙ୍କାରେ ପହଞ୍ଚିଲାଣି।
ତଥ୍ୟ ଅନୁଯାୟୀ କ୍ଲିନିକାଲ କୋଠାକୁ ୪ଟି ବ୍ଲକ୍ ବା ଟାୱାରରେ ଭାଗ କରାଯାଇଛି। ପ୍ରତି ଟାୱାର ୧୧ ମହଲା ବିଶିଷ୍ଟ ନିର୍ମାଣ ହେବାକୁ ଯୋଜନା ରହିଥିବା ବେଳେ ୨୦୫୮ ବେଡ୍ ବିଶିଷ୍ଟ କ୍ଲିନିକାଲ କୋଠାକୁ ପରବର୍ତ୍ତୀ ସମୟରେ ଅର୍ଥାତ୍ ୨ୟ ପର୍ଯ୍ୟାୟ ନିର୍ମାଣରେ ସାଢ଼େ ୫ ହଜାର ବେଡ୍କୁ ବୃଦ୍ଧି କରାଯିବାକୁ ଯୋଜନା ରଖାଯାଇଛି। ବର୍ତ୍ତମାନ ସୁଦ୍ଧା କ୍ଲିନିକାଲ ବ୍ଲକ୍ ପାଇଁ ଯେଉଁ ୨୬୩୬.୨୦କୋଟି ଟଙ୍କା ଖର୍ଚ୍ଚ ହେବା କଥା ସେଥିରୁ ୪ଶହ କୋଟିର କାମ ହୋଇଥିବା ଓବିସିସି ସୂତ୍ରରୁ ଜଣାପଡ଼ିଛି। କ୍ଲିନିକାଲ କୋଠାର ପ୍ରଥମ ବ୍ଲକ୍ ସିଏନ୍ ୧ରେ ମେଡିସିନ୍ ବିଭାଗ ରହିବ। ସେଠାରେ ୬୦୦ ବେଡ୍ ରହିବ। ସିଏନ୍୨ରେ ସ୍ପେସାଲାଇଜ୍ଡ ମେଡିସିନ୍ ବିଭାଗ ରହିବ। ସେଠି ୪୯୬ ବେଡ୍ ରହିବ। ସେହିପରି ସିଏନ୍୩ରେ ସ୍ପେଶାଲାଇଜ୍ଡ ସର୍ଜରି ରହିବ। ସେଠି ୪୫୬ ବେଡ୍ ରହିବ। ସିଏନ୍୪ରେ ଜେନେରାଲ ସର୍ଜରି ଓ ଟ୍ରମାରେ ୫୦୬ ବେଡ୍ ରହିବ। ତେବେ କ୍ଲିନିକାଲ କୋଠା ନିର୍ମାଣ କାମ କରୁଥିବା ସଂସ୍ଥା ଏଲ୍ଆଣ୍ଡଟିକୁ ନିର୍ମାଣ କାର୍ଯ୍ୟର ମନ୍ଥରତାକୁ ନେଇ ପାଖାପାଖି ୮୦ କୋଟି ଟଙ୍କା ଜରିମାନା କରାଯାଇଛି।
ସେହିପରି ରେସିଡେନ୍ସିଆଲ କୋଠାରେ ୧୩ଟି ବ୍ଲକ୍ ଓ ୧୪ମହଲା ବିଶିଷ୍ଟ ଟାୱାର ନିର୍ମାଣ କାମ ଜାନୁଆରି ୧୦, ୨୦୨୨ରୁ ଆରମ୍ଭ ହୋଇଥିବା ବେଳେ ୨୦୨୪, ଜାନୁଆରି ୯ସୁଦ୍ଧା ଶେଷ କରାଯିବ ବୋଲି ନିର୍ମାଣକାରୀ ସଂସ୍ଥା ନାଗାର୍ଜୁନ୍ କନ୍ଷ୍ଟ୍ରକସନ୍ କମ୍ପାନି (ଏନ୍ସିସି) ସହ ଚୁକ୍ତି କରାଯାଇଛି। ୮୮୮.୫୦କୋଟିର ପ୍ରକଳ୍ପରେ ମହାନଦୀ ବ୍ଲକ୍ରେ ପ୍ରଫେସରଙ୍କ ପାଇଁ ୪୮ଟି କ୍ବାର୍ଟର ରହିବ। ପାର୍କିଂଠାରୁ ଆରମ୍ଭ କରି ସୁଇମିଙ୍ଗପୁଲ ଭଳି ବ୍ୟବସ୍ଥା ରହିବ ତାରି ଭିତରେ। ସେହିପରି କାଠଯୋଡ଼ି ବ୍ଲକ୍ରେ ୪୮ଜଣ ଆସୋସିଏଟ୍ ପ୍ରଫେସର୍ ଓ ବିରୂପା ବ୍ଲକ୍ରେ ବି ୪୮ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପାଇଁ କ୍ବାର୍ଟର୍ସ ତିଆରି କରାଯିବ। ତା’ ସହ ଛାତ୍ରୀନିବାସ, ଛାତ୍ରଙ୍କ ପାଇଁ ହଷ୍ଟେଲ, ନର୍ସିଂ, ପାରାମେଡିକାଲ କର୍ମଚାରୀଙ୍କ କ୍ବାର୍ଟର୍ସ ଇତ୍ୟାଦି ରହିବ। ରେସିଡେନ୍ସିଆଲ କୋଠା କାମ ମନ୍ଥର ଯୋଗୁଁ ଏନ୍ସିସି ଉପରେ ୩୦ କୋଟି ଟଙ୍କା ଜରିମାନା ଲାଗୁ କରାଯାଇଛି। ଓବିସିସିର ନିର୍ବାହୀ ଯନ୍ତ୍ରୀ କେ. ପ୍ରଧାନଙ୍କ କହିବା ଅନୁସାରେ ଜରିମାନା ଧାର୍ଯ୍ୟ କରାଯାଇଥିଲେ ବି ଯଦି ସେମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମ ଶେଷ କରିବେ, ତାହେଲେ ଜରିମାନା ରାଶିକୁ ସେମାନଙ୍କୁ ଫେରସ୍ତ କରାଯିବ।
[ad_2]




