ଏଣିକି ଅନ୍ଲାଇନ୍ରେ ଉପଲବ୍ଧ ହେବ +୨ ଉତ୍ତରଖାତା; ପ୍ରତ୍ୟେକ କଲେଜକୁ ମିଳିବ ସ୍ୱତନ୍ତ୍ର ଆଇଡି ପାସ୍ୱାଡ – Ibnodisha

[ad_1]
ଭୁବନେଶ୍ୱର: ଏଣିକି +୨ ପରୀକ୍ଷାର ଉତ୍ତରଖାତା ଅନ୍ଲାଇନ୍ ମାଧ୍ୟମରେ ଉପଲବ୍ଧ ହେବ । ଛାତ୍ରଛାତ୍ରୀ ଉତ୍ତରଖାତାରେ କେଉଁ ପ୍ରଶ୍ନ ଲାଗି କେତେ ମାର୍କ ପାଇଛନ୍ତି ତାହା ଜାଣିପାରିବେ । ଫଳରେ ପୂର୍ବରୁ ରେଜଲ୍ଟ ପ୍ରକାଶ ପରେ ପିଲାମାନେ ଯେପରି କମ୍ ମାର୍କ ମିଳିଥିବା ଅଭିଯୋଗ କରୁଥିଲେ ଏବଂ ପରିଷଦକୁ ଦୌଡ଼ୁଥିଲେ ସେହି ସମସ୍ୟାର ସମାଧାନ ହେବ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଉତ୍ତରଖାତା ମୂଲ୍ୟାଙ୍କନ ଶେଷ ହେବା ପରେ ଏବଂ ରେଜଲ୍ଟ ପ୍ରକାଶ ପାଇବାର ଏକ ସପ୍ତାହ ମଧ୍ୟରେ ଏହି ଉତ୍ତରଖାତାକୁ ଅନଲାଇନ୍ରେ ଅପ୍ଲୋଡ କରାଯିବ । ଏଥିପାଇଁ ପ୍ରତ୍ୟେକ କଲେଜକୁ ଏକ ସ୍ୱତନ୍ତ୍ର ଆଇଡି ପାସ୍ୱାଡ ଦିଆଯିବ । ସେହି ପାସୱାର୍ଡ ମାଧ୍ୟମରେ କଲେଜ କର୍ତ୍ତୃପକ୍ଷ ସେମାନଙ୍କ କଲେଜର ପିଲାଙ୍କର ଉତ୍ତରଖାତା ଦେଖିପାରିବେ । ଉତ୍ତରଖାତା ପରୀକ୍ଷାର୍ଥୀ ଯାଞ୍ଚ କରିବା ପରେ ଯଦି କିଛି ଭୁଲ୍ ଥିବା ଅଭିଯୋଗ କରନ୍ତି; ତେବେ ସେହି ଖାତାର ପୁନଃଯାଞ୍ଚ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ରେଜଲ୍ଟ ପ୍ରକାଶ ପାଇବା ପରେ ଯଦି ମାର୍କ କମ୍ ରହୁଥିଲା, ତେବେ ପରୀକ୍ଷାର୍ଥୀମାନେ ପୁନଃଯାଞ୍ଚ ଲାଗି ଆବେଦନ କରୁଥିଲେ । ଯେଉଁ ପିଲାମାନେ ଆବେଦନ କରୁଥିଲେ ସେମାନେ ଆବେଦନ କରିଥିବା ଉତ୍ତରଖାତା ପିଛା ଧାର୍ଯ୍ୟ ହୋଇଥିବା କିଛି ଫି’ ମଧ୍ୟ ପରିଷଦରେ ପୈଠ କରୁଥିଲେ । ପରେ ସମ୍ପୃକ୍ତ ଉତ୍ତରଖାତାର ନକଲ କପି ପିଲାଙ୍କୁ ଦିଆଯାଉଥିଲା । ଅଭିଯୋଗକାରୀ ନିଜର ଉତ୍ତରଖାତା ଯାଞ୍ଚ କରିବା ପରେ ଯଦି ମାର୍କ ଠିକ୍ ଥାଏ, ତେବେ ପୁନଃଯାଞ୍ଚ କରିବାକୁ ଦ୍ୱିତୀୟଥର ଆବେଦନ କରୁନଥିଲେ । ମାତ୍ର ଯଦି ମୂଲ୍ୟାଙ୍କନରେ କିଛି ତ୍ରୁଟି ଥିବା ଜଣେପଡ଼େ; ତେବେ ପୁନଃମୂଲ୍ୟାଙ୍କନ ଲାଗି ଆବେଦନ କରିବାକୁ ପଡ଼ୁଥିଲା । ଫଳରେ ଏପରି ବ୍ୟବସ୍ଥା ଲାଗି ଅନେକ ସମୟ ନଷ୍ଟ ଏବଂ ବିଳମ୍ବ ହେଉଥିଲା । ଯଦିଓ ଉତ୍ତରଖାତାରେ ତ୍ରୁଟି ରହୁଥିଲା; ତାହା ଠିକ୍ ହେବାକୁ କିଛି ସମୟ ଲାଗୁଥିଲା । ଫଳରେ ଅନ୍ୟାନ୍ୟ ନାମଲେଖାରୁ ସମ୍ପୃକ୍ତ ପିଲାମାନେ ବଞ୍ôଚତ ହେଉଥିଲେ । ଏହାବ୍ୟତୀତ ପୂର୍ବରୁ କେବଳ ବିଜ୍ଞାନ ଏବଂ ବାଣିଜ୍ୟ ଷ୍ଟ୍ରିମ୍ର ଯେଉଁ ପରୀକ୍ଷାର୍ଥୀମାନେ ପୁନଃଯାଞ୍ଚ ଲାଗି ଆବେଦନ କରୁଥିଲେ, ସେମାନଙ୍କୁ ଉତ୍ତରଖାତା ଅନଲାଇନ୍ ମାଧ୍ୟମରେ କେବଳ ଯୋଗାଇ ଦିଆଯାଉଥିଲା । ମାତ୍ର ଏହି ନୂତନ ବ୍ୟବସ୍ଥାରେ କଳା, ବିଜ୍ଞାନ ଏବଂ ବାଣିଜ୍ୟ ଷ୍ଟ୍ରିମ୍ର ସବୁ ପରୀକ୍ଷାର୍ଥୀମାନେ ଉପକୃତ ହୋଇପାରିବେ । ତେବେ ଏହି ବ୍ୟବସ୍ଥା ଲାଗି ଅତିରିକ୍ତ ଫି’ ବ୍ୟବସ୍ଥା ରହିବ କି ନାହିଁ ତାହା ନିଷ୍ପତ୍ତି ହୋଇନାହିଁ ।
୨୦୨୪ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ରୁ ଏବଂ ଥିଓରି ଫେବୃଆରୀ ୧୬ରୁ ଆରମ୍ଭ ହେବ । ଗଣଶିକ୍ଷା ବିଭାଗ ପକ୍ଷରୁ ଯେଉଁ ନୂତନ ବ୍ୟବସ୍ଥା ହୋଇଛି; ସେଥିରେ ଏଣିକି ପରୀକ୍ଷାର୍ଥୀମାନେ ବେଶ ଉପକୃତ ହୋଇପାରିବେ । ଏହି ବ୍ୟବସ୍ଥାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍ୱାଗତ କରିଛନ୍ତି । ଏ ସମ୍ପର୍କରେ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ରାଜ୍ୟରେ ପରୀକ୍ଷା ପରିଚାଳନା ଓ ମୂଲ୍ୟାଙ୍କନ ପଦ୍ଧତିରେ ସଂସ୍କାର ଆଣିବାକୁ ବିଭାଗ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ସବୁ ଉତ୍ତରଖାତାର ସ୍କାନିଂ କରାଯାଇ ଅନ୍ଲାଇନ୍ରେ ଅପ୍ଲୋଡ କରାଯିବ । ଅନଲାଇନ୍ ଲିଙ୍କ୍ ମାଧ୍ୟମରେ ପରୀକ୍ଷାର୍ଥୀ ଏବଂ ସେମାନଙ୍କର ଅଭିଭାବକମାନେ ଉତ୍ତରଖାତା ଦେଖିବାର ସୁଯୋଗ ପାଇବେ । ଫଳରେ ଅଯଥା ପୁନଃଯାଞ୍ଚ କିମ୍ବା ପୂର୍ବରୁ ଯେପରି ଅନେକ ଛାତ୍ରଛାତ୍ରୀ ଅଧିକ ମାର୍କ ବଢ଼ିବ ବୋଲି ଆଶାରେ ରହୁଥିଲେ ସେହି ସମସ୍ୟାର ସମାଧାନ ହେବ ।
[ad_2]