ରାଜନୀତି

ଅରବିନ୍ଦ କେଜ୍ରିୱାଲଙ୍କୁ ଶକ୍ତ ଝଟ୍‌କା: ନିର୍ବାଚନ ପୂର୍ବରୁ ଆପ୍‌ ଛାଡ଼ିଲେ ୭ ବିଧାୟକ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବାବେଳେ ଆଜି ଆପ୍‌ (ଆମ୍‌ ଆଦ୍‌ମୀ ପାର୍ଟି) ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଶକ୍ତ ଝଟ୍‌କା ଦେଇ ୭ ଜଣ ବିଧା‌ୟକ ଦଳ ଛାଡ଼ି ଦେଇଛନ୍ତି। ସେମାନେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ସମସ୍ତ ୭ ବିଧାୟକଙ୍କୁ ଦଳ ଏଥର ନିର୍ବାଚନ ଲଢ଼ିବାପାଇଁ ଟିକେଟ୍‌ ଦେଇନାହିଁ। ଆପ୍‌ ସୁପ୍ରିମୋ କେଜ୍ରିୱାଲଙ୍କୁ ଏକ ଚିଠି ଲେଖି ପଲମ ବିଧାୟକ ଭାବନା ଗୌର କହିଛନ୍ତି, ସେ କେଜ୍ରିୱାଲ ଏବଂ ଦଳ ଉପରେ ବିଶ୍ବାସ ହରାଉଥିବାରୁ ଦଳ ଛାଡ଼ି ଦେଉଛନ୍ତି। କସ୍ତୁରବା ନଗର ବିଧାୟକ ମଦନ ଲାଲ୍‌ ମଧ୍ୟ ଏହି ସମାନ କଥା କହି ଦଳରୁ ଇସ୍ତଫା ଦେଇଛନ୍ତି । ସେହିପରି ତ୍ରିଲୋକପୁରୀ ବିଧାୟକ ରୋହିତ ମେହରଲିଆ, ଜନକପୁରୀ ବିଧାୟକ ରାଜେଶ ଋଷି, ମେହରଲି ବିଧାୟକ ନରେଶ ଯାଦବ ମଧ୍ୟ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

ଆଦର୍ଶ ନଗରର ପୱନ ଶର୍ମା ଏବଂ ବିଜବସନର ବିଏସ୍‌ ଜୁନ୍‌ ମଧ୍ୟ ଦଳ ଉପରେ ଲୋକଙ୍କ ଆସ୍ଥା ନାହିଁ ବୋଲି ଦର୍ଶାଇ ଇସ୍ତଫା ଦେଇଛନ୍ତି। ବିଧା‌ୟକମାନଙ୍କର ଇସ୍ତଫା ନେଇ ଦଳ ପକ୍ଷରୁ କୁହାଯାଇଛି ଯେ ଏହି ନେତାମାନଙ୍କର ନିଜ ଉପରେ ବିଶ୍ବାସ ନାହିଁ। ନରେଶ ଯାଦବ ନିଜ ଇସ୍ତଫା ପତ୍ରରେ କହିଛନ୍ତି , ଆପ୍‌ ସଚ୍ଚୋଟ ରାଜନୀତି କରିବାନେଇ ଯେଉଁ ନୀତି ରଖିଥିଲା ତାହା ଭୁଲିଯାଇଛି। ଦଳ ଦୁର୍ନୀତି ରୋକିବା ବଦଳରେ ଦୁର୍ନୀତିରେ ବୁଡ଼ି ଯାଇଛି। ତେଣୁ ସେ ଦଳ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ରୋହିତ କୁମାର ମେହରଲିଆ କହିଛନ୍ତି, ଆପ୍‌ ଦେଇଥିବା ପ୍ରମୁଖ ପ୍ରତିଶ୍ରୁତି ପୂରଣ ହୋଇପାରିନାହିଁ। ଉଲ୍ଲେଖଯୋଗ୍ୟ, ଦିଲ୍ଳୀ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ୫ ଦିନ ବାକିଥିବା ବେଳେ ଏକସଙ୍ଗେ ଏତେ ସଂଖ୍ୟାରେ ନେତା ଆପ୍‌ ଦଳ ଛାଡ଼ିଦେବା ଦଳ ପାଇଁ ଏକ ଶକ୍ତ ଝଟ୍‌କା ବୋଲି କୁହାଯାଉଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button