Uncategorized

୩ ମାସ ହେଲା ଅଚଳ ଡିଜିଟାଲ ଏକ୍ସରେ: ଲମ୍ବା ଧାଡ଼ିରେ ହାଡ଼ ଭଙ୍ଗ‌ା ରୋଗୀ

ଭୁବନେଶ୍ବର: କେବଳ ଭୁବନେଶ୍ବର ନୁହେଁ, ବରଂ ଉପକଣ୍ଠ ସମେତ ସୀମାନ୍ତ ଜଲ୍ଲାର ଶହଶହ ରୋଗୀ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ଉପରେ ନିର୍ଭର କରନ୍ତି। ବିଭିନ୍ନ ସମୟରେ ବଡ଼ବଡ଼ିଆ ହସ୍‌ପିଟାଲ୍‌କୁ ଅଚାନକ୍‌ ପରିଦର୍ଶନ କରି ସ୍ବାସ୍ଥ୍ୟସେବାର ସ୍ଥିତି ପରଖନ୍ତି। ହସ୍‌ପିଟାଲ୍‌ ଉପରେ ନିର୍ଭର କରୁଥିବା ରୋଗୀଙ୍କ ସଂଖ୍ୟାକୁ ଗୁରୁତ୍ବର ସହ ନେଇ ସରକାର ଭିତ୍ତିଭୂମି ବିକାଶରେ ମୋଟା ଅଙ୍କର ଅର୍ଥ ବି ଖର୍ଚ୍ଚ କରନ୍ତି। କିନ୍ତୁ ସାମ୍ନାକୁ ଆସିଥିବା‌ ଏକ ବିକଳ ଚିତ୍ର ଏଠାକାର ସ୍ବାସ୍ଥ୍ୟସେବାକୁ ପରିହାସ କରୁଛି। ୩ ମାସ ହେଲା ଡିଜିଟାଲ୍‌ ଏକ୍ସରେ ଖରାପ ଥିବାରୁ ଏକ୍ସ୍‌ରେ ହୋଇ ପାରୁନାହିଁ। ଯେଉଁ ଗୋଟିଏ ମେସିନ୍‌ ଠିକ୍‌ ଅଛି ସେଠାରେ ପ୍ରତ୍ୟେକ ଦିନ ଶହଶହ ହାଡଭଙ୍ଗା ରୋଗୀ ଧାଡ଼ି ବାନ୍ଧୁଛନ୍ତି। ଉଚିତ୍‌ ସମୟରେ ଏକ୍ସରେ ହୋଇ ପାରୁ ନଥିବାରୁ ସ୍ଥିତି ସଙ୍ଗିନ ହେଉଛି। ଯେଉଁମାନେ ଗୁରୁତର ଅଛନ୍ତି ସେମାନେ ଘରୋଇ ପାଥୋଲାବ୍‌ରେ ଶୋଷଣର ଶିକାର ହେଉଛନ୍ତି।

ପୁରୁଣା ଭୁବନେଶ୍ବରର ଅବିନାଶ ସାହୁଙ୍କ ଅଭିଯୋଗ ହେଉଛି, ପୁଅ ସାଇକେଲ୍‌ରୁ ପଡ଼ିଯିବାରୁ ତାକୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। ଡାକ୍ତର ପରୀକ୍ଷା କରିବା ପରେ ବାମ ହାତ ଭାଙ୍ଗି ଥିବା ଜଣାପଡ଼ିଥିଲା। ଡାକ୍ତର ତାଙ୍କୁ ଏକ୍ସରେ କରି ରିପୋର୍ଟ ଆଣିବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ ଆଧାରରେ ହସ୍‌ପିଟାଲ୍‌ ପରିସରରେ ଥିବା ଏକ୍ସରେ କକ୍ଷକୁ ନେଇଥିଲେ। ସେଠାରେ ଗୋଟିଏ ଏକ୍ସରେ ଖରାପ ଥିଲା। ଅନ୍ୟ ଯେଉଁ ଦୁଇଟି ମେସିନ ମଧ୍ୟରୁ ଗୋଟିଏର ପ୍ରିଣ୍ଟର ଖରାପ ‌ଥିଲା। କେବଳ ଗୋଟିଏ ମେସିନ କାମ କରୁଥିଲା। ଗୋଟିଏ ମେସିନ୍‌କୁ ଶହଶହ ରୋଗୀ। ଧାଡ଼ି ଲଗାଇବାର ପ୍ରାୟ ୪୦ ମିନିଟ ପରେ ତାଙ୍କ ପାଳି ପଡ଼ିଲା। ଏକ୍ସରେ ପରେ ରିପୋର୍ଟ ପାଇଁ ୩୦ ମିନିଟ ଅପେକ୍ଷା କଲେ। ଏଭଳି ହସ୍‌ପିଟାଲ୍‌ ପହଞ୍ଚିବାର ଘଣ୍ଟାଏ ୧୦ ମିନିଟ୍‌ ପରେ ସେ ରିପୋର୍ଟ ପାଇଲେ। ଏହା କେବଳ ଗୋଟିଏ ମାତ୍ର ଉଦାହରଣ। ପ୍ରତ୍ୟେକ ଦିନ ସେଠାରେ ଶହଶହ ରୋଗୀଙ୍କର ଏଭଳି ସମାନ କାହାଣୀ। ଗରୀବ ରୋଗୀଙ୍କର ଏହି ହସ୍‌ପିଟାଲ୍‌ ପ୍ରଥମ ପସନ୍ଦ ହୋଇଥିବାରୁ ଏଭଳି ଅବହେଳାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାନୁସାରେ କ୍ୟାପିଟାଲ ହସ୍ପିଟାଲରେ ୩ଟି ଏକ୍ସ୍‌ରେ ମେସିନ୍‌ ରହିଛି। ଏଥିରେ ୨୪ ଘଣ୍ଟା ସେବା ଯୋଗାଇ ଦିଆଯାଉଛି। ସେଥିମଧ୍ୟରୁ ଗୋଟିଏ ମେସିନ ତଥା ବଡ଼ ଡିଜିଟାଲ ମେସିନଟି ୩ ମାସ ହେବ ଖରାପ ହୋଇଯାଇଛି। ଏବେ ଯାଏ ଏହା ମରାମତି କରାଯାଇ ନାହିଁ। ଆଉ ‌ଯେଉଁ ଦୁଇଟି ଏକ୍ସ୍‌ରେ ଚାଲୁଛି ସେଥିରେ ଲାଗିଥିବା ପ୍ରିଣ୍ଟର ବେଳେ ବେଳେ ପ୍ରବଳ ଚାପରେ ଖରାପ ହୋଇ ଯାଉଛି। ଫଳରେ ଗୋଟିଏ ମେସିନରେ ଏକ୍ସ୍‌ରେ ହେଉଛି। ଦିନକୁ ହାରାହାରି ୧୦୦ରୁ ଊର୍ଦ୍ଧ୍ବ ଆହତ ଓ ରୋଗୀ ଏକ୍ସ୍‌ରେ ପାଇଁ ଆସୁଛନ୍ତି। ଗୁରୁତରମାନେ ଏକ୍ସରେ ପାଇଁ ଘଣ୍ଟା ଘଣ୍ଟା ଧରି ଧା‌ଡ଼ିରେ ଛିଡ଼ା ହେଉଥିବାରୁ ପ୍ରତ୍ୟେକ ଦିନ ସେଠାରେ ଏକ ବିଚିତ୍ର ସ୍ଥିତି ସୃଷ୍ଟି ହେଉଛି।

ଏନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଏକ୍ସରେ ମେସିନ ଖରାପ ହୋଇଛି। ଏ ନେଇ ସଂପୃକ୍ତ ସଂସ୍ଥାକୁ ଜଣାଇ ଦିଆଯାଇଛି। କିନ୍ତୁ ଏହାର ମରାମତି ହୋଇନାହିଁ। ଅନ୍ୟ ଯେଉଁ ମେସିନ ରହିଛି ତାହା ଉପରେ ପ୍ରବଳ ଚାପ ପଡ଼ୁଥିବାରୁ ପ୍ରିଣ୍ଟର ଖରାପ ହୋଇଯାଉଛି। ତୁରନ୍ତ ଏହାକୁ ମରାମତି କରାଯାଇ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button