ଖାଲକୁ ଖସିଲା ତୀର୍ଥଯାତ୍ରୀ ବସ୍, ୫ ମୃତ

ଡାଙ୍ଗ (ଗୁଜରାଟ): ଗୁଜରାଟର ଡାଙ୍ଗ ଜିଲ୍ଲାରେ ଏକ ତୀର୍ଥଯାତ୍ରୀ ବସ୍ ଆଜି ସାପୁତାରା ହିଲ୍ ଷ୍ଟେସନ ନିକଟରେ ନିୟନ୍ତ୍ରଣ ହରାଇ ଗଭୀର ଖାଲକୁ ଖସି ପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ପୁଲିସ କହିଛି ଯେ ବସ ଦୁର୍ଘଟଣାରେ ୩୦ରୁ ଅଧିକ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ମଧ୍ୟପ୍ରଦେଶର ବିଭିନ୍ନ ଜିଲ୍ଲାର ବୋଲି ଜଣାପଡ଼ିଛି।
ଏହି ତୀର୍ଥଯାତ୍ରୀମାନେ ମହାରାଷ୍ଟ୍ରରୁ ଗୁଜରାଟର ଦ୍ୱାରକା ଅଭିମୁଖେ ଯାଉଥିଲେ। ରବିବାର ଭୋର ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ବେଳେ ସ୍ଥାନୀୟ ଲୋକେ ତତ୍କାଳ ସହଯୋଗ କରିବାରୁ ଉଦ୍ଧାର ତ୍ବରାନ୍ବିତ ହୋଇଥିଲା ଏବଂ ଅନେକ ଜୀବନ ରକ୍ଷା ପାଇଯାଇଛି। ଡାଙ୍ଗ ଜିଲ୍ଲାର ସାପୁତାରା ହିଲ୍ ଷ୍ଟେସନ ନିକଟରେ କୌଣସି କାରଣରୁ ଡ୍ରାଇଭର ବସ୍ ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୩ ଜଣ ପୁରୁଷ ଅଛନ୍ତି। ୪୮ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବସ୍ଟି ମହାରାଷ୍ଟ୍ରର ତ୍ରିମ୍ବକେଶ୍ୱରରୁ ଗୁଜରାଟର ଦ୍ୱାରକା ଅଭିମୁଖେ ଯାଉଥିଲା।