IBN ଓଡ଼ିଶା ବ୍ୟୁରୋ

ଆଜି ଅମୃତ ସ୍ନାନ: ପ୍ରୟାଗରାଜରେ ହାଇଆଲର୍ଟ, ସମଗ୍ର ବ୍ୟବସ୍ଥା ତ୍ରୁଟିଶୂନ୍ୟ କରିବାକୁ ନିର୍ଦ୍ଦେଶ

ପ୍ରୟାଗରାଜ: ପ୍ରୟାଗରାଜ ସଙ୍ଗମରେ ଚାଲିଥିବା ମହାକୁମ୍ଭରେ ସୋମବାର ବସନ୍ତ ପଞ୍ଚମୀ ଅମୃତ ସ୍ନାନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ସମଗ୍ର ବ୍ୟବସ୍ଥା ତ୍ରୁଟିଶୂନ୍ୟ କରିବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରବିବାର ସୁଦ୍ଧା ମହାକୁମ୍ଭରେ ୩୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି, ଯାହା ଏହାକୁ ବିଶ୍ୱର ସର୍ବବୃହତ ଧାର୍ମିକ ସମାବେଶ ଭାବରେ ପରିଗଣିତ କରିଛି। ସୋମବାର ଅମୃତ ସ୍ନାନ କାର୍ଯ୍ୟକ୍ରମ ପାଇଁ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି, ଯାହାକୁ ଭକ୍ତମାନେ ପ୍ରଶଂସା କରିଛନ୍ତି। ତୀର୍ଥଯାତ୍ରୀମାନଙ୍କୁ ସୁରୁଖୁରୁରେ ସ୍ନାନ କରାଇବା ଏବଂ ସୁରକ୍ଷିତ ଅନୁଭୂତି ସୁନିଶ୍ଚିତ କରିବା ପାଇଁ ସରକାର ସବୁ ଶକ୍ତି ଖଟାଇଥିବା ଦେଖିବାକୁ ମିଳିଛି।

ସମଗ୍ର ବ୍ୟବସ୍ଥା ତ୍ରୁଟିଶୂନ୍ୟ କରିବାକୁ ନିର୍ଦ୍ଦେଶ
୩୫ କୋଟି ଶ୍ରଦ୍ଧାଳୁ ସ୍ନାନ କଲେଣି
ମୁଖ୍ୟମନ୍ତ୍ରୀ ନିରାପତ୍ତା ଉପରେ ଆଲୋକପାତ କରିବା ସହ ସମସ୍ତଙ୍କ ସୁରକ୍ଷା ଓ ସୁବିଧା ସୁନିଶ୍ଚିତ କରିବାକୁ କହିଛନ୍ତି। ପାର୍କିଂ ସ୍ଥାନ ବଢ଼ାଇବା ସହ ଶ୍ରଦ୍ଧାଳୁମାନେ ଯେପରି ଯଥାସମ୍ଭବ କମ୍ ଚାଲିବାକୁ ପଡ଼ିବ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଟ୍ରାଫିକ୍ ପରିଚାଳନା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଆଜି କୌଣସି ଭିଆଇପି ପ୍ରୋଟୋକଲ୍ କାର୍ଯ୍ୟକାରୀ ହୋଇନଥିବା ବେଳେ ଆସନ୍ତାକାଲି ମଧ୍ୟ ଏହା ବଳବତ୍ତର ରହିବ। ମୌନି ଅମାବାସ୍ୟା ଅବସରରେ ପବିତ୍ର ସ୍ନାନ ପାଇଁ ଏକାଠି ହୋଇଥିବା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଯୋଗୁଁ ଗତ ବୁଧବାର ଦଳାଚକଟାରେ ସଙ୍ଗମରେ ଅତି କମ୍‌ରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଥିଲେ। ଏଭଳି ପରିସ୍ଥିତି ଏଡ଼ାଇବା ପାଇଁ ଉପଯୁକ୍ତ ବ୍ୟାରିକେଡ, ଆଲୋକ ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ ପାଇଁ ଅଧିକ ସୁରକ୍ଷା କର୍ମୀ ମୁତୟନ କରାଯାଇଛି। ପୁଲିସ ହାଇଆଲର୍ଟରେ ରହିଛି। ଉତ୍ତମ ଯୋଗାଯୋଗ ପାଇଁ ସାଟେଲାଇଟ୍ ଫୋନ୍ ବ୍ୟବହାର କରାଯିବା ସହ ସମ୍ବେଦନଶୀଳ ସ୍ଥାନରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ମହାକୁମ୍ଭ ଦଳାଚକଟା ପଛରେ ଷଡ୍‌ଯନ୍ତ୍ର!, ୧୬ ହଜାର ମୋବାଇଲ ନମ୍ବର ତଦନ୍ତ ଘେରରେ

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଗତ ବୁଧବାର ଘଟିଥିବା ଦଳାଚକଟା ପଛରେ କୌଣସି ଯୋଜନାବଦ୍ଧ ଷଡ଼୍‌ଯନ୍ତ୍ର ଥିବା ସନ୍ଦେହ କରାଯାଉଛି। ଘଟଣାର ତଦନ୍ତ କରୁଥିବା ଅଧିକାରୀମାନେ ଏଭଳି ଷଡ଼୍‌ଯନ୍ତ୍ର ଦିଗକୁ ନେଇ ମଧ୍ୟ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ସୂଚନାଯୋଗ୍ୟ, ମୌନି ଅମାବାସ୍ୟାରେ ଦଳାଚକଟା ଯୋଗୁଁ ୩୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଘଟଣା ଦିନ ସଙ୍ଗମ ଅଞ୍ଚଳରେ ସକ୍ରିୟ ଥିବା କୁହାଯାଉଥିବା ୧୬ ହଜାରରୁ ଅଧିକ ମୋବାଇଲ ନମ୍ବରର ତଥ୍ୟ ବିଶ୍ଳେଷଣ କରାଯାଉଛି।

ଅନୁସନ୍ଧାନରୁ ଜଣାପଡିଛି ଯେ ସେଥିମଧ୍ୟରୁ ଅନେକ ନମ୍ବର ବର୍ତ୍ତମାନ ସୁଇଚ୍ ଅଫ୍ ରହିଛି। କଣ୍ଟ୍ରୋଲ ରୁମ୍‌ରେ ସଂଗୃହୀତ ସିସିଟିଭି ଫୁଟେଜରୁ ଚେହେରା ଚିହ୍ନଟ ଆପ୍ ଜରିଆରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଉଛି। ଅନ୍ୟପକ୍ଷରେ ବସନ୍ତ ପଞ୍ଚମୀ ଅବସରରେ ସୋମବାର ସକାଳେ ହେବାକୁ ଥିବା ତୃତୀୟ ଅମୃତ ସ୍ନାନକୁ ଦୃଷ୍ଟିରେ ରଖି ପୁଲିସ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରିଛି। ଚତୁର୍ଥ ମହାସ୍ନାନ ଫେବ୍ରୁଆରି ୧୨ରେ ମାଘ ପୂର୍ଣ୍ଣିମାରେ ଏବଂ ଶେଷ ମହାସ୍ନାନ ମହାଶିବରାତ୍ରୀ ଫେବ୍ରୁଆରି ୨୬ରେ ଅନୁଷ୍ଠିତ ହେବ। ଦଳାଚକଟା ନେଇ ପୁଲିସ ସୂଚନାରୁ ଜଣାପଡ଼ିଛି ଯେ କିଛି ଲୋକ ବ୍ୟାରିକେଡ୍ ଡେଇଁ ଅନ୍ୟ ପାର୍ଶ୍ୱରେ ନିଜ ପାଳିକୁ ଅପେକ୍ଷା କରିଥିବା ଲୋକଙ୍କୁ ଧକ୍କା ଦେବାରୁ ଏହି ଅଘଟଣ ଘଟିଥିଲା। ଏହି ଘଟଣାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଗଠିତ ତିନି ଜଣିଆ ନ୍ୟାୟିକ ଆୟୋଗ ଶୁକ୍ରବାର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ତଦନ୍ତ ଶେଷ କରି ରିପୋର୍ଟ ଦେବା ପାଇଁ କମିଟିପାଖରେ ଏକ ମାସ ସମୟ ରହିଛି। ଅନ୍ୟପକ୍ଷରେ ବିରୋଧୀ ଦଳମାନେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରକୁ ଟାର୍ଗେଟ୍‌ କରିବା ଜାରି ରଖିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button