IBN ଓଡ଼ିଶା ବ୍ୟୁରୋ

ଦିଲ୍ଲୀରେ ମୌଳିକ ସୁବିଧାର ଅଭାବ ବିଦେଶରେ ଲଜ୍ଜା ଦେଉଛି: ଜୟଶଙ୍କର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ‌ସରିବାକୁ ମାତ୍ର ଗୋଟିଏ ଦିନ ରହିଥିବା ବେଳେ ଏହା ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆପ୍ ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ଆପ୍ ଅଧୀନରେ ଗତ ୧୦ ବର୍ଷ ଧରି ମୌଳିକ ସୁବିଧା କ୍ଷେତ୍ରରେ ଜାତୀୟ ରାଜଧାନୀ ବହୁତ ପଛରେ ପଡ଼ିଛି। ଦେଶର ରାଜଧାନୀରେ ଲୋକଙ୍କ ମୌଳିକ ସୁବିଧାର ଅଭାବ ଥିବା କଥା ବିଦେଶରେ ସ୍ୱୀକାର କରିବାକୁ ସେ ଲଜ୍ଜା ଅନୁଭବ କରୁଛନ୍ତି ବୋଲି ଜୟଶଙ୍କର କହିଛନ୍ତି। ସ୍ୱଚ୍ଛ ଜଳ, ବିଜୁଳି, ସ୍ୱାସ୍ଥ୍ୟସେବା, ବାସଗୃହ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା ଯୋଗାଇବାରେ ଆପ୍ ବିଫଳ ହୋଇଥିବା ଅଭିଯୋଗ କରି ବିଦେଶ ମନ୍ତ୍ରୀ କହିଛନ୍ତି, ସହରକୁ ଅବହେଳିତ କରି ରଖିବା ଦୁର୍ଭାଗ୍ୟଜନକ ।

ଆଗାମୀ ନିର୍ବାଚନରେ ଶାସନ ପରିବର୍ତ୍ତନ ପାଇଁ ଭୋଟ ଦେବାକୁ ଦିଲ୍ଲୀ ବାସିନ୍ଦାଙ୍କୁ ଜୟଶଙ୍କର ଅନୁରୋଧ କରିଛନ୍ତି। ଜୟଶଙ୍କର କହିଛନ୍ତି, ମୁଁ ଯେତେବେଳେ ବି ବିଦେଶ ଗସ୍ତ କରେ, ମୁଁ ଗୋଟିଏ କଥା ଦୁନିଆଠାରୁ ଲୁଚାଇ ରଖିଥାଏ। ମୁଁ ବିଦେଶ ଯାଇ କହିବାକୁ ଲଜ୍ଜା ଅନୁଭବ କରେ ଯେ ଜାତୀୟ ରାଜଧାନୀରେ ରହୁଥିବା ଲୋକଙ୍କୁ ଜଳ ଜୀବନ ମିଶନ ଅଧୀନରେ ଘର ମିଳୁନାହିଁ, ସିଲିଣ୍ଡର କିମ୍ବା ପାଇପ୍ ପାଣି ମିଳୁନାହିଁ ଏବଂ ଆୟୁଷ୍ମାନ ଭାରତର ଲାଭ ମିଳୁନାହିଁ। ଏହା ଦୁର୍ଭାଗ୍ୟଜନକ, ଗତ ୧୦ ବର୍ଷ ମଧ୍ୟରେ ଦିଲ୍ଲୀ ପଛରେ ପଡ଼ିଯାଇଛି। ଦିଲ୍ଲୀବାସୀଙ୍କୁ ପାଣି, ବିଜୁଳି, ଗ୍ୟାସ ସିଲିଣ୍ଡର ଓ ସ୍ୱାସ୍ଥ୍ୟସେବା ଅଧିକାର ଦିଆଯାଉନାହିଁ । ଏଭଳି ସ୍ଥିତିରେ ପରିବର୍ତ୍ତନ ପାଇଁ ଦିଲ୍ଲୀବାସୀ ଆସନ୍ତା ୫ ତାରିଖରେ ସେମାନଙ୍କ ମତାଧିକାର ପ୍ରୟୋଗ କରନ୍ତୁ ବୋଲି ଜୟଶଙ୍କର ଆହ୍ବାନ ଦେଇଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ଫେବ୍ରୁଆରି ୫ ତାରିଖରେ ଦିଲ୍ଲୀରେ ୭୦ଟି ବିଧାନସଭା ଆସନ ପାଇଁ ମତଦାନ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button