ଦିଲ୍ଲୀରେ ୫୭.୭% ମତଦାନ

ନୂଆଦିଲ୍ଲୀ: ଦିଲ୍ଲୀରେ ୭୦ ବିଧାନସଭା ଆସନ ପାଇଁ ଆଜି ଭୋଟ୍ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ସକାଳ ୭ଟାରୁ ଆଜି ଦିଲ୍ଲୀରେ ସମସ୍ତ ଭୋଟିଂ ବୁଥ୍ଗୁଡ଼ିକରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲା । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟିଂ ପ୍ରକ୍ରିୟା ଚାଲିଥିଲା। ନିର୍ବାଚନ କମିସନଙ୍କ ତଥ୍ୟ ଅନୁଯାୟୀ ସନ୍ଧ୍ୟା ୬ଟା ସୁଦ୍ଧା ୫୭.୭ ପ୍ରତିଶତ ମତଦାନ ରେକର୍ଡ ହୋଇଛି। ଦିଲ୍ଲୀର ଉତ୍ତରପୂର୍ବ ଜିଲ୍ଲାରେ ଅପରାହ୍ନ ୫ଟା ସୁଦ୍ଧା ସର୍ବାଧିକ ୬୩.୮୩ ପ୍ରତିଶତ ମତଦାନ ରେକର୍ଡ ହୋଇଥିବା ବେଳେ ଦକ୍ଷିଣପୂର୍ବ ଜିଲ୍ଲାରେ ସର୍ବନିମ୍ନ ୫୩.୭୭ ପ୍ରତିଶତ ମତଦାନ ରେକର୍ଡ ହୋଇଛି। ଆଜି ଦିଲ୍ଲୀର ସମସ୍ତ ନିର୍ବାଚନମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ମତଦାନ ପ୍ରକ୍ରିୟା ଚାଲିଥିଲା।
ଆପ୍ ଏବଂ ବିଜେପି ପରସ୍ପର ବିରୋଧରେ ନକଲି ଭୋଟିଂ ଏବଂ ଭୋଟ୍ ବଦଳରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆଣିଥିଲେ। ଏହା ବ୍ୟତୀତ ଅନ୍ୟ କୌଣସି ସମସ୍ୟା ଉପୁଜି ନାହିଁ। ଦିଲ୍ଲୀରେ ୬୯୯ ପ୍ରାର୍ଥୀ ନିର୍ବାଚନ ଲଢ଼ିଛନ୍ତି। ଦିଲ୍ଲୀ ପୁଲିସ ଶାନ୍ତିପୂର୍ଣ୍ଣ ଭାବେ ଭୋଟିଂ ପ୍ରକ୍ରିୟା ଶେଷ କରିଛନ୍ତି ବୋଲି ବିଧାନସଭା ନିର୍ବାଚନ ଦାୟିତ୍ବରେ ଥିବା ସ୍ବତନ୍ତ୍ର ପୁଲିସ କମିସନର ଦେବେଶ ଚନ୍ଦ୍ର ଶ୍ରୀବାସ୍ତବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଶ୍ରୀବାସ୍ତବ କହିଛନ୍ତି, ଗତକାଲି ୨୩,୭୭,୦୦୦ ଟଙ୍କା ଏବଂ ୬ ବେଆଇନ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ଏଥିସହ ୪୧୧୯ ଲିଟର ବେଆଇନ ମଦ ମଧ୍ୟ ଜବତ ହୋଇଥିବା ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ଚଳିତ ଥର ତ୍ରିକୋଣୀୟ ଲଢ଼େଇ ହୋଇଛି। ଲଗାତାର ୨ ଥର ଶାସନରେ ରହିଥିବା ଆପ୍ ଚଳିତ ଥର ହାଟ୍ରିକ୍ ବିଜୟ ଲକ୍ଷ୍ୟ ରଖିଥିବା ବେଳେ ବିଜେପି ଏବଂ କଂଗ୍ରେସଠାରୁ ଆପ୍କୁ ବଡ଼ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ିଛି। ମଦ ଦୁର୍ନୀତି ମାମଲାରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଜେଲ୍ ଦଣ୍ଡ ହୋଇଥିବାରୁ ଚଳିତ ଦିଲ୍ଲୀ ନିର୍ବାଚନ ଉପରେ ସାରା ଦେଶବାସୀଙ୍କ ନଜର ରହିଛି। ଅନ୍ୟପକ୍ଷେ ବିଜେପି ଆପ୍ଠାରୁ କ୍ଷମତା ଗାଦି ଛଡ଼ାଇବାପାଇଁ ସମସ୍ତ ଉଦ୍ୟମ ଜାରି ରଖିଛି। ସେହିପରି ଦୀର୍ଘ ୧୫ ବର୍ଷ ଧରି ଦିଲ୍ଲୀରେ କ୍ଷମତାରେ ଥିବା କଂଗ୍ରେସ ମଧ୍ୟ ପୁଣିଥରେ କ୍ଷମତାକୁ ଫେରିବାପାଇଁ ସବୁ ଉଦ୍ୟମ ଲଗାଇ ଦେଇଛି।