IBN ଓଡ଼ିଶା ବ୍ୟୁରୋ

ଆମେରିକା ଦ୍ବାରା ପ୍ରତ୍ୟର୍ପିତଙ୍କ ପ୍ରଥମ ବିମାନ ପହଞ୍ଚିଲା: ୧୦୪ ଜଣଙ୍କ ମଧ୍ୟରୁ ପଞ୍ଜାବ, ହରିୟାଣାରୁ ୬୩ ଜଣ

ନୂଆଦିଲ୍ଲୀ: ବୁଧବାର ଅପରାହ୍ଣରେ ୧୦୪ ଜଣ ପ୍ରତ୍ୟର୍ପିତ ପ୍ରବାସୀ ଭାରତୀୟଙ୍କୁ ନେଇ ଅମୃତସରରେ ଆମେରିକାର ସାମରିକ ସି-୧୭ ବିମାନ ଅବତରଣ କରିଛି। ଏଥିରେ ପଞ୍ଜାବର ୩୦ ଜଣ, ପଡ଼ୋଶୀ ହରିୟାଣାର ୩୩ ଜଣ, ଗୁଜୁରାଟର ୩୩ ଜଣ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରୁ ୩ ଜଣ ଲେଖାଏଁ ଏବଂ ଚଣ୍ଡିଗଡ଼ର ୨ ଜଣ ଅଛନ୍ତି। ଗତ ମାସରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ବେଆଇନ ପ୍ରବାସୀଙ୍କୁ ଦେଶାନ୍ତର କରାଯାଇଛି। ଯେଉଁମାନେ ବେଆଇନ ଉପାୟରେ ଆମେରିକାରେ ପ୍ରବେଶ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି। ମୋଟ ୧୦୪ ଯାତ୍ରୀଙ୍କ ମଧ୍ୟରୁ ୧୨ ଜଣଙ୍କ ବୟସ ୧୬ ବର୍ଷରୁ କମ୍ ଥିବା ବେଳେ ୪ ଓ ୫ ବର୍ଷର ଦୁଇ ଜଣ ଶିଶୁ ଅଛନ୍ତି। ବିମାନରେ ଥିବା ସବୁଠାରୁ ବୟସ୍କ ଯାତ୍ରୀ ହେଉଛନ୍ତି ମୁମ୍ବାଇର ୪୪ ବର୍ଷୀୟ ଗୁରବିନ୍ଦର ସିଂହ। ୧୦୪ ଜଣ ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୮୦% ୨୦ରୁ ୩୦ ବର୍ଷ ବୟସର ଅଟନ୍ତି।

ଆପ୍ରବାସୀଙ୍କୁ ଆମେରିକା ଅପମାନିତ କରିଛି: କଂଗ୍ରେସ

କିଛି ‌ବେଆଇନ ଆପ୍ରବାସୀ ଅଟକ କେନ୍ଦ୍ର ଯାଇପାରନ୍ତି

ନୂଆଦିଲ୍ଲୀ: ୧୦୪ ଭାରତୀୟଙ୍କୁ ନେଇ ଆମେରିକା ସାମରିକ ବିମାନ ଆଜି ଅମୃତସରରେ ଅବତରଣ କରିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ଆପ୍ରବାସୀଙ୍କ ଭବିଷ୍ୟତ ନେଇ କିଛି ସ୍ପଷ୍ଟ କରାଯାଇ ନଥିବା ବେଳେ ଆଜି କଂଗ୍ରେସ ଏହି ପ୍ରସଙ୍ଗରେ ମୋଦୀ ସରକାର ଉପରେ ବର୍ଷିଛି। ଆମେରିକା ଫେରାଇଥିବା ବେଆଇନ ଭାରତୀୟ ଆପ୍ରବାସୀଙ୍କୁ ସେଠା‌ରେ ହାତକଡ଼ି ପକାଯାଇଥିଲା ଏବଂ ଅପମାନିତ କରାଯାଇଥିଲା ବୋଲି କଂଗ୍ରେସ ଦାବି କରିଛି। ଦଳ ମଧ୍ୟ ୨୦୧୩ ମସିହାର ଏକ ଉଦାହରଣ ଦର୍ଶାଇଛି। ଜଣେ ଭାରତୀୟ କୂଟନୀତିଜ୍ଞଙ୍କ ପ୍ରତି ଆମେରିକା ଦେଖାଇଥିବା ଭୁଲ୍‌ ବ୍ୟବହାର ପାଇଁ ଏହାକୁ କ୍ଷମା ମାଗିବାକୁ ପଡ଼ିଥିଲା । ଉପା ସରକାର ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିବାପରେ ଆମେରିକା ସେ ସମୟରେ କ୍ଷମା ମାଗିଥିଲା ବୋଲି କଂଗ୍ରେସ ନେତା ପୱନ ଖେଡ଼ା ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି। ଏକ ସୂଚନାନୁଯାୟୀ ଆଜି ପ୍ରଥମ ବ୍ୟାଚ୍‌ରେ ଭାରତ ପହଞ୍ଚିଥିବା ୧୦୪ ଭାରତୀୟ ଆପ୍ରବାସୀଙ୍କ ମଧ୍ୟରୁ ଅାପରାଧିକ ରେକର୍ଡ ଥିବା ଲୋକମାନଙ୍କୁ ଅଟକ କେନ୍ଦ୍ର ନିଆଯାଇପାରେ। ସେମାନଙ୍କ ସଂପର୍କରେ ଅଧିକ ତଦନ୍ତ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button