ରାଜ୍ୟ

ଚିନ୍ତା ବଢ଼ାଇଲା ସୁନା ଦର: ୧୦ ଦିନରେ ବଢ଼ିଲାଣି ୩୩୯୦ ଟଙ୍କା

ଭୁବନେଶ୍ବର: ବିବାହ ଋତୁ ଚାଲିଥିବା ବେଳେ ସୁନା ଦରରେ ଅହେତୁକ ବୃଦ୍ଧି ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କେନ୍ଦ୍ର ସରକାର ବଜେଟ୍‌ ଘୋଷଣା କରିବା ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଓ ଚୀନ୍ ଉପରେ ଶୁଳ୍କ ଲଗାଇବା ପରଠାରୁ ସୁନା ଦରରେ ଯେଭଳି ନିଆଁ ଲାଗିଛି। ବୁଧବାର ଭୁବନେଶ୍ବରରେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୦୪୦ ଟଙ୍କା ବୃଦ୍ଧି ପାଇ ୮୬,୨୪୦ ଟଙ୍କା ହୋଇଛି। ୨୨ କ୍ୟାରେଟ୍ ସୁନା ଦାମ୍ ୯୫୦ ଟଙ୍କା ବଢ଼ି ୭୯,୦୫୦ ଟଙ୍କା ହୋଇଛି। ଭୁବନେଶ୍ବରରେ ଗତ ୧୦ ଦିନରେ ୨୨ କ୍ୟାରେଟ୍‌ ସୁନା ୩୬୫୦ ଟଙ୍କା ମହଙ୍ଗା ହୋଇଛି। ଜାନୁଆରି ୨୭ରେ ଏହାର ଦାମ୍ ୭୫,୪୦୦ ଟଙ୍କା ଥିଲା। ସେହିପରି ଏହି ସମୟ ଭିତରେ ୨୪ କ୍ୟାରେଟ୍‌ ସୁନା ୩୩୯୦ ଟଙ୍କା ବୃଦ୍ଧି ପାଇଛି। ସୁନା ଭଳି ଅନ୍ୟତମ ମୂଲ୍ୟବାନ ଧାତବ ପଦାର୍ଥ ରୁପା ମଧ୍ୟ ମହଙ୍ଗା ହେବାରେ ଲାଗିଛି। ବୁଧବାର ଭୁବନେଶ୍ବରରେ ରୁପା କେଜି ୧୦୦୦ ଟଙ୍କା ମହଙ୍ଗା ହୋଇ ୧,୦୭,୦୦୦ ଟଙ୍କା ହୋଇଯାଇଛି। ଗତ ୧୦ ଦିନରେ ରୁପା ଦାମ୍ ୩ହଜାର ଟଙ୍କା ବଢ଼ିଛି।

କିଛି ଦିନ ପୂର୍ବେ ଲାଲଚନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ ସୁନାକୁ ନେଇ ଏକ ବଡ଼ ପୂର୍ବାନୁମାନ କରିଥିଲେ। ସୁନା ଦର ଲକ୍ଷେ ଟଙ୍କା ଟପିପାରେ ବୋଲି ସେ କହିଥିଲେ। ବଜେଟ୍‌ରେ ସୀମା ଶୁଳ୍କ ଅପରିବର୍ତ୍ତିତ ରହିଲେ ଆସନ୍ତା ୬ ମାସରେ ସୁନା ଲକ୍ଷେ ଟଙ୍କାରୁ ଅଧିକ ହୋଇଯିବ ବୋଲି ସେ କହିଥିଲେ।

୨୦୨୫ରେ ଚାହିଦା କମିବ: ବିଶ୍ବ ସୁନା ପରିଷଦ

ନୂଆଦିଲ୍ଲୀ: ଗତବର୍ଷ ଭାରତରେ ସୁନା ଚାହିଦା ନଅ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ୨୦୨୫ରେ କିନ୍ତୁ ବଜାର ସେଭଳି ରହିବ ନାହିଁ। ଏହି ମୂଲ୍ୟବାନ ଧାତବ ପଦାର୍ଥର ଦାମ୍ ଦ୍ରୁତ ଗତିରେ ବଢ଼ୁଥିବାରୁ ଭାରତରେ ସୁନା ଚାହିଦା ଚଳିତ ବର୍ଷ କମିବ ବୋଲି ବିଶ୍ବ ସୁନା ପରିଷଦ ଆକଳନ କରିଛି। ଏହା ସ୍ପଷ୍ଟ କରିଛି ଯେ ସୁନା ଗହଣା ଚାହିଦା କମିବ, କିନ୍ତୁ ନିବେଶ ଉଦ୍ଦେଶ୍ୟରେ କିଣାଯାଉଥିବା ସୁନା ଚାହିଦା ବଢ଼ିବ। ୨୦୨୪ରେ ଦେଶରେ ସୁନା ଚାହିଦା ୮୦୨.୮ ଟନ୍ ଥିଲା। ୨୦୨୫ରେ ତାହା ୭୦୦ କିମ୍ବା ୮୦୦ ଟନ୍‌କୁ ହ୍ରାସ ପାଇବ ବୋଲି ବିଶ୍ବ ସୁନା ପରିଷଦର ସିଇଓ ସଚିନ ଜୈନ କହିଛନ୍ତି।

ପାରମ୍ପରିକ ଭାବେ ଯେତବେଳେ ଦେଶରେ ସୁନା ମହଙ୍ଗା ହୁଏ, ପ୍ରଥମେ ତାହା ଗହଣା କିଣୁଥିବା ଗ୍ରାହକଙ୍କୁ ପ୍ରଭାବିତ କରେ। ଯଦି ଚଳିତ ବର୍ଷ ସୁନା ଦାମ୍‌ ବଢ଼ି ଚାଲିବ ତେବେ ଗହଣା ଚାହିଦା ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ସୁନା କିଣିବା ଲାଗି ଲୋକଙ୍କ ଏକ ନିର୍ଦ୍ଦିଷ୍ଟ ବଜେଟ୍‌ ରହିଛି। ଦାମ୍ ବଢ଼ିବା ସହ ଲୋକମାନେ ସେହି ବଜେଟ୍‌ ବଢ଼ାଇ ପାରନ୍ତି ନାହିଁ ବୋଲି ସେ କହିଛନ୍ତି। କିନ୍ତୁ ଯେଉଁମାନେ ସୁନାରେ ନିବେଶ କରୁଛନ୍ତି ସେମାନେ ଜବରଦସ୍ତ ଲାଭ ପାଇବେ ବୋଲି ସେ ଜଣାଇଛନ୍ତି। ଭାରତରେ ବିକ୍ରି ହେଉଥିବା ସୁନା ମଧ୍ୟରୁ ୭୦ ପ୍ରତିଶତ ହେଉଛି ଅଳଙ୍କାର। ନିବେଶ ଉଦ୍ଦେଶ୍ୟରେ ବିକ୍ରି ହେଉଥିବା ସୁନାର ଭାଗ ୩୦ ପ୍ରତିଶତ ରହିଛି। ଜାତୀୟ ବଜାରରେ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୪,୩୯୯ ଟଙ୍କାକୁ ବୃଦ୍ଧି ପାଇଛି। ୨୦୨୫ର ଗୋଟିଏ ମାସ ବିତିଥିବା ବେଳେ ସୁନା ଦାମ୍ ୧୦ ପ୍ରତିଶତ ବଢ଼ିଛି। ୨୦୨୪ରେ ଦାମ୍‌ ୨୧ ପ୍ରତିଶତ ବଢ଼ିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button