ରାଜନୀତି

ପ୍ରଦୀପଙ୍କ ପରେ ବିପିନ, ତାପରେ କିଏ? ଗଞ୍ଜାମ ବିଜେଡି ନେତାଙ୍କୁ ଘାରିଛି ବାସନ୍ଦ ଭୟ! – Ibnodisha

[ad_1]

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ କରୁଥିବା ଗଞ୍ଜାମ ଜିଲ୍ଲାରେ ବିଜେଡିର ଆଭ୍ୟନ୍ତରୀଣ ସଂସ୍କାର କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ଦଳ ଜିଲ୍ଲାର ୧୩ରୁ ୧୩ ଆସନ କବ୍‌ଜା କରିବା ଏବଂ ଜିଲ୍ଲାକୁ ନିଜର ଗଡ଼ ବୋଲି ବାହାସ୍ଫୋଟ ମାରିବା ସ୍ଥିତିରେ ନାହିଁ। ଚିତ୍ର ବଦଳିବାରେ ଲାଗିଛି। ଯଦିଓ ଜିଲ୍ଲାରେ ବିରୋଧୀ ଦଳ ଗୁଡ଼ିକ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଘେରି ଅକଳରେ ପକାଇବାକୁ ପ୍ରୟାସ ଜାରି ରଖିଛନ୍ତି, ବଳ ଜୁଟାଇ ପାରୁ ନାହାନ୍ତି। ଗତ ୨୦୨୦ ଡିସେମ୍ବର ପରଠାରୁ ଜିଲ୍ଲା ବିଜେଡି ରାଜନୀତିରେ ଘଟୁଥିବା ଘଟଣାକ୍ରମ ଏବଂ ନୂଆ ସମୀକରଣକୁ ଅନୁଧ୍ୟାନ କଲେ ଦଳ ଭିତରେ ନେତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଦଳ ଓ ନେତୃତ୍ବ ପ୍ରତି ଆନୁଗତ୍ୟ ବଦଳରେ ଭୟ ବଢ଼ି ଚାଲିଛି। ଦଳବିରୋଧୀ ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ଅନୁଗତ ଥିବା ଗୋପାଳପୁର ବିଧାୟକଙ୍କୁ ଦଳରୁ ବହିଷ୍କାର କରାଗଲା। ଏହି କ୍ରମରେ ସମାନ ଢଙ୍ଗରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ଦିଗପହଣ୍ଡି ବ୍ଲକ୍‌ ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଥିବା ଦିବଂଗତ ପ୍ରତିଦ୍ବନ୍ଦ୍ବୀ ନେତା, ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରେ ନିର୍ବାଚନମଣ୍ଡଳୀରେ ବିଜେଡିର ଦ୍ବିତୀୟ ଟାଣୁଆ ନେତା ବିପିନ ପ୍ରଧାନ। ବିଜେଡି ସରକାରର ପଞ୍ଚମ ପାଳିରେ ଅଧିକାଂଶ ନିର୍ବାଚନମଣ୍ଡଳୀରେ ବିଜେଡିର ବିରୋଧୀ ଖୋଦ୍‌ ବିଜେଡି ସାଜିଥିବା ଏବଂ ସବୁଠି ଦଳ ଭିତରେ ବିଦ୍ରୋହୀ ଗୋଷ୍ଠୀର ଅବିର୍ଭାବ ଘଟିଥିବା ଦେଖିବାକୁ ମିଳିଛି। କେବଳ ଗୋଟିଏ କିମ୍ବା ଦୁଇଟି ନିର୍ବାଚନମଣ୍ଡଳୀ ନୁହଁ ବରଂ ଅଧିକାଂଶ ନିର୍ବାଚନମଣ୍ଡଳୀରେ ଦଳର ଆଭ୍ୟନ୍ତରୀଣ ସ୍ଥିତି ଭଲ ନଥିବା ବେଳେ ବିପିନଙ୍କୁ ବହିଷ୍କାର ପରେ ଜିଲ୍ଲାର ବିଧାୟକଙ୍କ ଠାରୁ ଆରମ୍ଭ କରି ବ୍ଲକ୍‌ ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଲମ୍ବନ, ବହିଷ୍କାର ଭଳି ଭୟ ଘାରିଛି।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ଅଭିଯୋଗ ଶୁଣାଣି ନାମରେ ଗୋପାଳପୁର ନିର୍ବାଚନମଣ୍ଡଳୀର କନିଷି ଆସିବା ବେଳେ ଏକଦା ଦଳର ଜିଲ୍ଲା ଦାୟିତ୍ବ ନେଉଥିବା ଏବଂ ପରବର୍ତ୍ତୀ ସମୟରେ ଦଳରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଦଳୀୟ କର୍ମୀମାନେ ଯେଭଳି ସଂଘବଦ୍ଧ ଭାବେ ଅଣ୍ଡାମାଡ଼ କରିବା ସହ ତାଙ୍କ ଗାଡ଼ି ଉପରେ ଚଢ଼ି ବିରୋଧ କଲେ ତାହା ଆଲୋଡ଼ନ ସୃଷ୍ଟି କରିଥିଲା। ପ୍ରକାଶ ଥାଉକି, ପୂର୍ବରୁ ଦଳ ଗୋପାଳପୁର ବିଧାୟକ ଡ. ପାଣିଗ୍ରାହୀଙ୍କୁ ଜନବି‌ରୋଧୀର ଆଖ୍ୟା ଦେଇ ଦଳରୁ ବହିଷ୍କୃତ କରି ଦଳୀୟ କର୍ମୀ ଓ ନେତାଙ୍କ ପାଇଁ ଏକ କଡ଼ା ବାର୍ତ୍ତା ଦେଇଥିଲା। ବର୍ତ୍ତମାନ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ବିଜେଡି ନେତା ବିପିନ ପ୍ରଧାନଙ୍କୁ ଦଳବିରୋଧୀର ଅଭିଯୋଗ ଆଣି ଦଳରୁ ବହିଷ୍କୃତ କରାଗଲା। ବ୍ଲକ୍‌ ଅଧ୍ୟକ୍ଷ ଉପନିର୍ବାଚନରେ ବିଦ୍ରୋହୀ ଗୋଷ୍ଠୀର ନେତୃତ୍ବ ନେଉଥିବା ଶ୍ରୀ ପ୍ରଧାନ ନିର୍ବାଚନ ସ୍ଥଗିତକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଦଳ ବିରୋଧୀ କାର୍ଯ୍ୟ କରିନଥିବା ବରଂ ଏଥିନେଇ ସେ ନିଜ ସମର୍ଥକ, କର୍ମୀଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି କହିଥିଲେ। କିନ୍ତୁ ତାପର ଦିନ ଦଳରୁ ବହିଷ୍କାର କରିବା ପରେ ବର୍ତ୍ତମାନ ବିପିନ୍‌ ପ୍ରଧାନଙ୍କ ସମର୍ଥିତ ଗୋଷ୍ଠୀର ନେତା, କର୍ମୀ ସଂପୂର୍ଣ୍ଣ ନିରବ। ଝଡ଼ ପୂର୍ବର ନିରବତା ଭଳି ବର୍ତ୍ତମାନ ଦଳ ବିପିନ୍‌ଙ୍କୁ ଦଳରୁ ବହିଷ୍କାର କରି ମୁହଁ ବନ୍ଦ। ଅସନ୍ତୁଷ୍ଟ ନେତାମାନେ ଏବେ ମୁହଁ ଖୋଲିବାକୁ ଅମଙ୍ଗ ହେଉଛନ୍ତି।

ଦିଗପହଣ୍ଡିରେ ବିଜେଡିରୁ ବହିଷ୍କୃତ ନେତା ବିପିନ୍‌ ଓ ସ୍ବର୍ଗତ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ଧରି ଛକାପଞ୍ଝା ଲାଗି ରହିଥିଲା। ପରାଜୟ ଭୟ ଯୋଗୁଁ ୭ଜଣ ସମିତି ସଭ୍ୟଙ୍କୁ ନିଖୋଜ ଦର୍ଶାଇ ବ୍ଲକ୍‌ ଅଧ୍ୟକ୍ଷ ଉପନିର୍ବାଚନକୁ ସ୍ଥଗିତ ରଖାଗଲା। ଏହା ପରେ ବିପିନଙ୍କୁ ଦଳରୁ ବହିଷ୍କୃତ କରାଗଲା। କେତେକ ନିର୍ବାଚନମଣ୍ଡଳୀରେ ବିଜେଡି ଦୁଇଫାଳ ହୋଇ ସାରିଥିବା ସ୍ପଷ୍ଟ ଦେଖାଯାଉଛି। ଗୋପାଳପୁର ପରେ ଏବେ ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ବିଜେଡି ପାଇଁ ଚିନ୍ତାର କାରଣ ହୋଇଛି। ସ୍ବର୍ଗତ ପାତ୍ରଙ୍କ ପରେ ଦିଗପହଣ୍ଡିର ନେତୃତ୍ବ କିଏ ନେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଦିଗପହଣ୍ଡିରେ ବିଜେଡିର ଦୁଇଟି ଗୋଷ୍ଠୀ ସମାନ୍ତରାଳ ଭାବେ କାମ କରିବା ଘଟଣାରୁ ସ୍ପଷ୍ଟ ହୋଇ ସାରିଛି। ବିଜେଡିର ଶୀର୍ଷ ନେତୃତ୍ବ ‘ଗ୍ରାଉଣ୍ଡ ଜିରୋକୁ ଆକଳନ ନକରି ଦଳୀୟ ବଡ଼ପଣ୍ଡାଙ୍କ ତଥ୍ୟ ଆଧାରରେ କରୁଥିବା ବହିଷ୍କାର ଫର୍ମୁଲା ଘାତକ ସାଜିବ ବୋଲି ଆଲୋଚନା ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button