ରାଜ୍ୟ

କଳାହାଣ୍ଡିରେ ବିଜେଡି ଅସନ୍ତୁଷ୍ଟଙ୍କ ମେଳି – Ibnodisha

[ad_1]

ସେପଟେ ଜିଲ୍ଲା ବିଜେଡି ମହିଳା ସେଲ୍‌ ସମାବେଶ, ଏପଟେ ଭବାନୀପାଟଣା ଆଶାୟୀଙ୍କ ରୁଦ୍ଧଦ୍ବାର ବୈଠକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଜେଡିରେ ଦଳୀୟ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଯେତିକି ନିର୍ବାଚନ ପାଖେଇ ଆସୁଛି ସେତିକି ଅସନ୍ତୁଷ୍ଟଙ୍କ ମେଳି ଦେଖିବାକୁ ମିଳିଛି। ଗତ ଆଠ ତ‌ାରିଖରେ ଭବାନୀପାଟଣା ସହରସ୍ଥିତ ଟାଉନ୍‌ ହଲରେ ଜିଲ୍ଲା ବିଜେଡି ମହିଳା ସେଲର ଜିଲ୍ଲାସ୍ତରୀୟ ସମାବେଶ ‌ଚାଲିଥିବାବେଳେ ସମାବେଶକୁ ବର୍ଜନ କରି ଭବାନୀପାଟଣା ସଦର ନିର୍ବାଚନ ମଣ୍ଡଳୀର ବହୁ ଆଶାୟୀ ଜଣେ ଛାମୁଆ ନେତାଙ୍କ ଘରେ ରୁଦ୍ଧଦ୍ବାର ବୈଠକ କରିବା ଘଟଣା ବିଜେଡି ରାଜନୀତିକୁ ସରଗରମ କରିଛି।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ବିଜେଡି ମହିଳା ସେଲ ପକ୍ଷରୁ ଉକ୍ତ ଦିନ ଭବାନୀପାଟଣା ସହରସ୍ଥିତ ଟାଉନ୍‌ ହଲରେ ଜିଲ୍ଲାସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ମହିଳା ସେଲ ସଭାନେତ୍ରୀ ଲଳିତା ନାଏକ ପୂର୍ବ ବିଧାୟକ ଦୁଷ୍ମନ୍ତ ନାଏକଙ୍କ ପତ୍ନୀ। ଆଗାମୀ ନିର୍ବାଚନରେ ପୂର୍ବ ବିଧାୟକ ଦୁଷ୍ମନ୍ତ ନାଏକଙ୍କୁ ଭବାନୀପାଟଣା ସଦର ନିର୍ବାଚନ ମଣ୍ଡଳୀରେ ବିଧାୟକ ଟିକଟ ଦିଆ ନଯାଇ ତାଙ୍କ ପତ୍ନୀ ଲଳିତା ନାଏକଙ୍କୁ ଟିକଟ ଦେବା ପାଇଁ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ପରୋକ୍ଷ ସମର୍ଥନ ଦେଉଥିବା ଯୋଗୁଁ ଅନ୍ୟ ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ମହିଳା ସମାବେଶ ଚାଲିଥିବାବେଳେ ଭବାନୀପାଟଣା ସହରସ୍ଥିତ ପ୍ରଦେଶୀପଡ଼ାରେ ଜଣେ ଛାମୁଆ ନେତାଙ୍କ ଘରେ ଭବାନୀପାଟଣା ସଦର ନିର୍ବାଚନ ମଣ୍ଡଳୀ ନିମନ୍ତେ ଆଶାୟୀ ଥିବା ନେତାଙ୍କ ଏକ ରୁଦ୍ଧଦ୍ବାର ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଥିରେ ପୂର୍ବ ବିଧାୟକ ଅନାମ ନାଏକ, ଜିଲ୍ଲା ଏସ୍‌ସି ସେଲ ସଭାପତି ପ୍ରଶାନ୍ତ ନାଏକ, ରାଜ୍ୟ ବରିଷ୍ଠ ଯୁବ ଉପସଭାପତି ମଣ୍ଟୁ ନାଏକ, ଟାଉନ ଉପସଭାପତି ଚକ୍ରଧର ସେଠୀ, ଜିଲ୍ଲା ଉପସଭାପତି ସାମନ୍ତ ଖମାରୀ, ଲବଣୀ ମହାନନ୍ଦ, ମଧୁ ନାଗ, ସୁରେଶ ମହାନନ୍ଦ, ସେନାପତି ନାଏକ ପ୍ରମୁଖ ସାମିଲ ଥିଲେ।

ତେବେ ଉଭୟ ଜିଲ୍ଲା ବିଜେଡି ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ଗୋଟିଚାଳନାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଗତ ସେପ୍ଟେମ୍ବର ୫ ତାରିଖ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଓ ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ସହ କଳାପତାକା ପ୍ରଦର୍ଶନ ଘଟଣା ପରେ ଆଜି ଭବାନୀପାଟଣା ସଦର ନିର୍ବାଚନ ମଣ୍ଡଳୀରେ ଦଳୀୟ ଫାଟ ଜଣାପଡ଼ିବା ପରେ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଜୁନାଗଡ଼ ଆସନ ପାଇଁ ଗୋଟି ଚାଳନା କରୁଥିବାବେଳେ ଭବାନୀପାଟଣା ପାଇଁ ମହିଳା ଆସନ ନିମନ୍ତେ ଉଦ୍ୟମ କରୁଥିବା ନେଇ ଆଶାୟୀମାନେ ଅଭିଯୋଗ କରିଛନ୍ତି।

ବିଜେଡିର ଦୁଇ ତୃତୀୟାଂଶ ଆସନରେ ମହିଳାଙ୍କୁ ଟିକଟ ଦେବା ପାଇଁ ଏକ ରକମ ସ୍ଥିର କରିଥିବାବେଳେ କିଭଳି ଜୁନାଗଡ଼ ଓ ଧର୍ମଗଡ଼ରେ ମହିଳାଙ୍କୁ ଟିକଟ ଦିଆନଯିବ ଏଥିପାଇଁ ସଭାପତି ଓ କାର୍ଯ୍ୟକାରୀ ସଭାପତି ଗୋଟି ଚାଳନା କରୁଥିବା ଆଲୋଚନା ହେଉଛି। ଯାହାକୁ ନେଇ ଭବାନୀପାଟଣା ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଶାୟୀ ନେତାମାନେ ମହିଳା ସମାବେଶରେ ଯୋଗ ‌ନଦେବା ଓ ଅନ୍ୟତ୍ର ରୁଦ୍ଧଦ୍ବାର କରିବା ‌ଘଟଣା ବିଜେଡିର ଫାଟକୁ ପଦାରେ ପକାଇଛି। ଏପରିକି ମହିଳା ସମାବେଶରେ ମଞ୍ଚରେ କେବଳ ପୁରୁଷ ନେତାଙ୍କ ଦବ୍‌ଦବା ଯୋଗୁଁ ମହିଳା ନେତ୍ରୀଙ୍କ ମଧ୍ୟରେ ଭ୍ରୁକୁଞ୍ଚନ ଦେଖାଦେଇଥିଲା।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button