ରାଜ୍ୟ

କୁଢ଼ କୁଢ଼ ଅଳିଆର କ୍ୟାପିଟାଲ ହସ୍‌ପିଟାଲ: ଅଭାବନୀୟ ପରିସ୍ଥିତିରେ ଭିତରେ ରୋଗୀ ଚିକିତ୍ସା – Ibnodisha

[ad_1]

ଭୁବନେଶ୍ବର: କେବଳ ରାଜ୍ୟର ରାଜଧାନୀ ନୁହେଁ, ଏକ ସ୍ମାର୍ଟସିଟିର ମାନ୍ୟତା ପାଇଥିବା ସହର ଭୁବନେଶ୍ବର। ରାଜ୍ୟର ସର୍ବବୃହତ୍ତ ମହାନଗର। ରାଜ୍ୟ ସରକାରଙ୍କ ଦାବି ଅନୁସାରେ, ଅନ୍ତର୍ଜାତୀୟ ପୁଞ୍ଜି ନିବେଶକାରୀ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାଲାଗି ସକ୍ଷମ ଭୁବନେଶ୍ବର। ତେବେ ଏ ସହରରେ ଥିବା ରାଜ୍ୟ ସରକାରଙ୍କର ସର୍ବବୃହତ୍ତ ହସ୍‌ପିଟାଲରେ ଗତକାଲିଠାରୁ ଦେଖିବାକୁ ମିଳୁଥିବା ଦୃଶ୍ୟକୁ ଦେଖିଲେ ଉପରୋକ୍ତ ପ୍ରଶଂସାଗୁଡ଼ିକ ଡ଼ାହାମିଛ ବୋଲି ସନ୍ଦେହ ହୁଏ। ସେ ସନ୍ଦେହ ବି ଅମୂଳକ ନୁହେଁ। ଗୋଟିଏ ବଡ଼ କଥା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ବାସଭବନଠାରୁ ଏ ହସ୍‌ପିଟାଲର ଦୂରତ୍ବ ପ୍ରାୟ ୧ କିମି ହେବ, ରାଜ୍ୟ ବିଧାନସୌଧଠାରୁ ତ ତା’ଠୁ ଆହୁରି କମ୍‌।

ଆଜି ଦ୍ବିତୀୟ ଦିନ‌ରେ ପହଞ୍ଚିଛି କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀଙ୍କ ଧାରଣା। ଆଜି ସକାଳୁ ତ ସଫେଇ ହୋଇନଥିଲା, ଦିନଯାକ ସେ ସ୍ଥିତି ଜାରି ରହିଲା। ହସ୍‌ପିଟାଲ ଭିତରେ ସ୍ଥିତି ଅତି ସାଂଘାତିକ ଓ ଅସହ୍ୟ ହେଲା। ମଝିରେ ଘଣ୍ଟାକ ପାଇଁ ସଫେଇ କର୍ମଚାରୀ ଧାରଣାରୁ ଉଠି କାମ କରିଥିଲେ। ତା’ପରେ ପୁଣି ଧାରଣାକୁ ଫେରିଗଲେ। ତା’ପରଠାରୁ ବିଳମ୍ବିତ ରାତିରେ ଏ ଖବର ଲେଖାହେବାଯାଏ କେଉଁଠି ଆଉ ଝାଡୁ ବି ମରା ହୋଇନାହିଁ। ଫଳରେ ହସ୍ପିଟାଲର ଅବସ୍ଥା ସଙ୍ଗିନ ହୋଇ ଯାଇଛି। ସକାଳୁ ଯୁଆଡ଼େ ଦେଖିବ କୁଢ଼ କୁଢ଼ ଅଳିଆ ଆବର୍ଜନା। ସଂପୂର୍ଣ୍ଣ ପରିବେଶ ଗନ୍ଧମୟ। ଶୌଚାଳୟର ପାଣି ବାହାରି ୱାର୍ଡ ବାରଣ୍ଡାରେ ଲହଡ଼ି ମାରୁଥିବାବେଳେ ବିଭିନ୍ନ ୱାର୍ଡର ଡଷ୍ଟବିନରେ ପଡ଼ିଥିବା ଖାଇବା ପଚି ଦୁର୍ଗନ୍ଧରେ ଫାଟି ପଡ଼ୁଛି। ଯେଉଁଆଡ଼େ ଆଖି ପଡୁଛି, ଇଞ୍ଜେକସନ, ଗଜ କପଡ଼ା, ଔଷଧର ଖୋଳ ପଡ଼ିଛି। ତା’ଉପରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଜୀବନ ବିକଳରେ ବାଧ୍ୟହୋଇ ଚାଲୁଛନ୍ତି। ଦୁର୍ଗନ୍ଧରୁ ରକ୍ଷା ପାଇବାଲାଗି ନାକରେ ରୁମାଲ ବାନ୍ଧିବା ହିଁ ସମ୍ଭବ ହେଉଛି। ଡାକ୍ତରମାନେ ମଧ୍ୟ ନାକରେ ମାସ୍କ ବାନ୍ଧି ରୋଗୀ ଚିକିତ୍ସା କରୁଛନ୍ତି। ଜରୁରୀକାଳୀନ ବିଭାଗ ଓ ଡ୍ରେସିଂ କକ୍ଷର ଅବସ୍ଥା ନ କହିବା ଭଲ। ବିଭାଗ ମଧ୍ୟରେ ‌‌କେଉଁଠି ରକ୍ତ ତ ଆଉ କେଉଁଠି ଗଜ କପଡ଼ା ଓ ସାଲାଇନ ବୋତଲ ବିଛାଡ଼ି ‌ହୋଇ ପଡ଼ିଛି। ଡ୍ରେସିଂ କକ୍ଷର ଅବସ୍ଥା ଆଖିରେ ଦେଖି ହେବନାହିଁ। ଏହା ଭିତରେ ବି ଜୀବନ ବିକଳରେ ଦଳକୁ ଦଳ ରୋଗୀ ଭାଗ୍ୟକୁ ଆଦରି ଆସୁଛନ୍ତି, ବା ତାଙ୍କ ସଂପର୍କୀୟ ତାଙ୍କୁ ବୋହି ଆଣୁଛନ୍ତି। ତାଙ୍କ ଥରଥର ପାଦର ଚଟିରେ କେବେ ଲଟକି ଯାଉଛି ରକ୍ତମଖା ତୁଳା ଓ ଗଜ କପଡ଼ା, ତ କେବେ ଖାଲି ସାଲାଇନ୍‌ ବୋତଲରେ ପାଦ ପଡ଼ିଗଲେ, ବୋତଲ ଚେପାହୋଇ ଭିତରୁ ଫୁସ୍‌କି ବାହାରି ଯାଉଛି ରାଜଧାନୀର ବାସିନ୍ଦା ହେବାର ଗର୍ବ ଓ ଆତ୍ମବିଶ୍ବାସ।

ଅଭାବନୀୟ ପରିସ୍ଥିତିରେ ଭିତରେ ରୋଗୀ ଚିକିତ୍ସ‌ା

ଅସ୍ତ୍ରୋପଚାର ବନ୍ଦ

ଆଲୋଚନା ପରେ ଥରେ ଉଠିଲା ଅଳିଆ

କିନ୍ତୁ ପୁଣି ଧାରଣାରେ ବସିଲେ ସଫେଇ କର୍ମଚାରୀ

ଦିନ ୧୨ଟା ପର୍ଯ୍ୟନ୍ତ ଏମିତି ସ୍ଥିତି ଜାରି ରହିବା ପରେ ମଧ୍ୟ-ବିଧାୟକ ଅନନ୍ତ ନାରାୟଣ ଜେନା ହସ୍ପିଟାଲରେ ପହଞ୍ଚି ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ନୈତିକତା ବିଷୟରେ ବୁଝାଇଥିଲେ। ତା’ପରେ ସଫେଇ କର୍ମଚାରୀମାନେ ଆନ୍ଦୋଳନରୁ ଉଠି ସଫେଇ କାର୍ଯ୍ୟ କରିବା ପରେ ପୁଣି ଆସି ହସ୍ପିଟାଲର ପ୍ରଶାସନିକ ବିଭାଗ ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି କଡ଼ା ଚେତାବନୀ ଦେଇଛନ୍ତି ସେମାନେ। ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ହେତୁ ଆବର୍ଜନା ନଉଠିବା ସହିତ କ୍ୟାପିଟାଲ ହସ୍ପିଟାଲର ବିଭିନ୍ନ ଜରୁରୀକାଳିନ ବିଭାଗରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ହସ୍ପିଟାଲରେ ଅସ୍ତ୍ରୋପଚାର ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି।‌ ଅସ୍ତ୍ରୋପଚାର ହେବାକୁ ଥିବା ରୋଗୀମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି। ଆଇସିୟୁ,‌ ଏସଏନସିୟୁ, ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ଗନ୍ଧମୟ ପରିବେଶ ଯୋଗୁଁ ଚିକିତ୍ସ‌ା ସମ୍ଭବ ହେଉନଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ଏମିତି ଆଗକୁ ଚାଲିଲେ ସବୁ ଜରୁରୀକାଳିନ ବିଭାଗକୁ ବନ୍ଦ କରିବାକୁ ପଡ଼ିବ ବୋଲି ସଙ୍କେତ ମିଳିଛି।
କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ। ଏବେ ହସ୍ପିଟାଲ ପାଖରେ ଆଉ କିଛି କରିବାର ନାହିଁ। ସଫେଇ କର୍ମଚାରୀଙ୍କର ଯେଉଁ‌ସବୁ ଉଚିତ ଦାବି ରହିଥିଲା, ତାହା ପୂରଣ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଛି। ଏ‌ହା ବାହାରେ ଥିବା ଦାବିଗୁଡ଼ିକୁ ପୂରଣ କରିବା କର୍ତ୍ତୃପକ୍ଷଙ୍କ ପକ୍ଷରେ ସମ୍ଭବ ନୁହେଁ। ଏ ବାବଦରେ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖି ଜଣାଇ ଦିଆ ଯାଇଛି ବୋଲି କ୍ୟାପିଟାଲ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରକାଶ।

ରୋଗୀକଲ୍ୟାଣ ସମିତି ବୈଠକରେ ଆଲୋଚନା
କ୍ୟାପିଟାଲ ହସ୍ପିଟାଲରେ ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ରୋଗୀକଲ୍ୟାଣ ସମିତି (ଆରକେଏସ)ର ଗଭର୍ଣ୍ଣିଂ ବୈଠକ ବସିଥି‌ଲା। ବୈଠକରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ବାବଦରେ ଆଲୋଚନା କରାଯାଇଥିଲା। ସେମାନେ କରୁଥିବା ଦାବିଗୁଡ଼ିକ ବାବଦରେ ହସ୍ପିଟାଲ ପ୍ରଶାସନ ହାତରେ କିଛି ନଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଜଣାଇଥିଲେ। ଏହାପରେ ହସ୍ପିଟାଲ ପ୍ରଶାସନ, ସ୍ବାସ୍ଥ୍ୟବିଭାଗ ସହ ମଧ୍ୟସ୍ଥତା କରି ସମାଧାନ କରିବାକୁ ‌ଶ୍ରୀମତୀ ଷଡ଼ଙ୍ଗୀ ପରାମର୍ଶ ଦେଇଥିଲେ। ଏହାପରେ ପୂର୍ବ ଆ‌ରକେଏସ ବୈଠକରେ ହୋଇଥିବା ବିଭିନ୍ନ ନିଷ୍ପତ୍ତି କେତେ କାର୍ଯ୍ୟକ୍ଷମ ହୋଇଛି ସେ ବାବଦରେ ସାଂସଦ ତଜର୍ମା କରିଥିଲେ। ହସ୍ପିଟାଲରେ ଦିନକୁ ଦିନ ଗହଳି ବଢ଼ୁଥିବାରୁ, ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ରେଜିଷ୍ଟ୍ରେସନ କାଉଣ୍ଟରକୁ ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏବେ ୪ଟି କାଉଣ୍ଟରରୁ ମାତ୍ର ଗୋଟିଏ କାଉଣ୍ଟର କାର୍ଯ୍ୟକ୍ଷମ ହୋଇଛି। କର୍ମଚାରୀ ଅଭାବରୁ ଅନ୍ୟ ୩ଟି କାଉଣ୍ଟର କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏଥିପାଇଁ କର୍ମଚାରୀ ଯୋଗାଇ ଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ବାସ୍ଥ୍ୟବିଭାଗକୁ ଚିଠି ଲେଖିଥିବା ସାଂସଦଙ୍କୁ ଜଣାଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button