ରାଜ୍ୟ

ରସିକିଆ ସତ୍ୟଜିତର ମିଥ୍ୟା ପ୍ରେମ ଘଟଣା: ବ୍ରହ୍ମପୁର ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ବ୍ଳାକମେଲ୍ କରି ଠକିଛି ୧.୬୦ ଲକ୍ଷ

ଭୁବନେଶ୍ୱର,୧୦/୦୮: ବିବାହର ପ୍ରତିଶ୍ରୁତି ଦେଇ ସାରା ଦେଶରେ ମହିଳା ଓ ଯୁବତୀଙ୍କୁ ଧୋକା ଦେଇଥିବା ଯାଜପୁରର ସତ୍ୟଜିତ ସାମଲ ବିରୋଧରେ ଆସିଛି ପୁଣି ଏକ ଅଭିଯୋଗ । କ୍ୟାପିଟାଲ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ବ୍ରହ୍ମପୁର ଜଣେ ମହିଳା । ବିବାହ ପ୍ରତିଶ୍ରୁତି ଦେଇ ସତ୍ୟଜିତ୍ ତାଙ୍କୁ ଦୁଷ୍କର୍ମ କରିବା ସହ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି ବୋଲି ମହିଳା ଜଣଙ୍କ ଏତଲାରେ ଦର୍ଶାଇଛନ୍ତି ।

ପୁଲିସ୍ ଆଉ ଏକ ମାମଲା ରୁଜୁ କରିଛି ।

ବ୍ରହ୍ମପୁର ବଡ଼ବଜାରର ୪୦ ବର୍ଷୀୟ ମହିଳା ୨ ବର୍ଷ ତଳେ ତାଙ୍କ ସ୍ୱାମୀକୁ ଛାଡ଼ପତ୍ର ଦେଇଥିଲେ । ସତ୍ୟଜିତ୍ଙ୍କ ସହ ଜୀବନସାଥୀ ଡଟ୍ କମ୍ରେ ତାଙ୍କର ସମ୍ପର୍କ ହୋଇଥିଲା । ସତ୍ୟଜିତ୍ ନିଜକୁ ସିବିଆଇ ଇନ୍ସପେକ୍ଟର ବୋଲି ପରିଚୟ ଦେଇଥିଲେ । ସିବିଆଇ ଇନ୍ସପେକ୍ଟର ଜାଣି ମହିଳା ଜଣଙ୍କ ସତ୍ୟଜିତ୍ଙ୍କୁ ବାହା ହେବା ପାଇଁ ରାଜି ହୋଇଥିଲେ । ସତ୍ୟଜିତ୍ଙ୍କ ସହ ମହିଳାଙ୍କର ପ୍ରଥମ ଦେଖା ଗୋପାଳପୁରର ଏକ ତାରକା ହୋଟେଲ୍ରେ ହୋଇଥିଲା । ପ୍ରଥମ ଦେଖାରେ ସତ୍ୟଜିତ୍ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ସେହିଦିନ ତାଙ୍କ ଘର ଲୋକଙ୍କ ସହ ଦେଖା କରି ବାହାଘର ତାରିଖ ଠିକ୍ କରି ଦେଇଥିଲେ । ଅଳ୍ପ କିଛି ଦିନ ପରେ ମହିଳାଙ୍କୁ ବିଭିନ୍ନ ବାହାନାରେ ୨ ଲକ୍ଷ ଟଙ୍କା ମାଗିଥିଲେ । ସଂପୃକ୍ତ ମହିଳା ସୁନା ବନ୍ଧକ ରଖି ୧ ଲକ୍ଷ ୬୦ ହଜାର ଟଙ୍କା ଦେଇଥିଲେ ।

ସତ୍ୟଜିତ୍ କହିଥିଲେ, ପ୍ରତିମାସରେ ସେ ଟଙ୍କା ଦେବେ ଋଣ ସୁଝିବା ପାଇଁ । ହେଲେ ଟଙ୍କା ନେଲା ପରେ ଧରାଛୁଆଁ ଦେଇନଥିଲେ । ମହିଳା ଫୋନ୍ କରି ଟଙ୍କା ମାଗିଥିଲେ । ହେଲେ ସତ୍ୟଜିତ୍ ଟଙ୍କା ଦେବାକୁ ମନା କରି ଦେଇଥିଲେ । ତେଣୁ ସଂପୃକ୍ତ ମହିଳା ଏତଲା ଦେବେ ବୋଲି କହିଥିଲେ । ସତ୍ୟଜିତ୍ ତାଙ୍କୁ ଧମକ ଦେଇଥିଲେ ହୋଟେଲ୍ ରୁମ୍ରେ ଶାରୀରିକ ସମ୍ପର୍କର ଭିଡିଓ ଭାଇରାଲ୍ କରିଦେବେ । ଏହାଶୁଣି ସେ ଚୁପ୍ଚାପ୍ ରହି ଯାଇଥିଲେ ।

ଗତ ସପ୍ତାହରେ ସତ୍ୟଜିତ୍ ଗିରଫ ହେବା ପରେ ଅନେକ ଗୁମର ଫିଟିଥିଲା । ପୁଲିସ୍ ଅନେକ ମହିଳା ଓ ଯୁବତୀଙ୍କ ସହ ଯୋଗାଯୋଗ କରିଥିଲା । ହେଲେ କେହି ଏତଲା ଦେବାକୁ ରାଜି ହୋଇନଥିଲେ । ଗତ ମଙ୍ଗଳବାର ଦିନ ପୁଲିସ୍ ସତ୍ୟଜିତ୍ ଘରେ ଚଢ଼ଉ କରି ଲାପ୍ଟପ୍ ଓ ପେନ୍ ଡ୍ରାଇଭ୍ ଜବତ କରିଥିଲା । ଏହି ସମୟରେ ବ୍ରହ୍ମପୁର ମହିଳାଙ୍କ ସହ ସତ୍ୟଜିତ୍ର ଲିଙ୍କ୍ ମିଳିଥିଲା । କ୍ୟାପିଟାଲ ଥାନା ଆଇଆଇସି ସୁଧାଂଶୁ ଜେନା ଉକ୍ତ ମହିଳାଙ୍କ ସହ ଯୋଗାଯୋଗ କରିଥିଲେ । ପ୍ରଥମେ ସଂପୃକ୍ତ ମହିଳା ରାଜି ହୋଇନଥିଲେ । ଆଇଆଇସି ଶ୍ରୀ ଜେନା ବୁଝା ସୁଝା କରିବା ପରେ ସେ ଏତଲା ଦେବାକୁ ରାଜି ହୋଇଥିଲେ ।

ସେପଟେ ସତ୍ୟଜିତ୍ ଏକାଧିକ ମହିଳାଙ୍କ ନାଁରେ ଋଣ କରି କାର କିଣିବା ପରେ ବିଭିନ୍ନ ଟ୍ରାଭେଲ ଏଜେନ୍ସିରେ ଲଗାଇଥିଲା । ପୁଲିସ୍ ପୂର୍ବରୁ ୨ ଟି କାର୍ ଜବତ କରିଥିଲା । ଶୁକ୍ରବାର ପୁଣି ଗୋଟିଏ କାର୍ (ଓଡି୦୨ସିଏମ୍୧୭୫୦) ଜବତ କରିଛି । ଉକ୍ତ କାର୍ ସତ୍ୟଜିତ୍ଙ୍କ ନାଁରେ ଥିବା ପୁଲିସ୍ କହିଛି

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button