ପ୍ରଥମଥର ସେପ୍ଟେମ୍ବରରେ ଇନ୍ଦ୍ରାବତୀ ଶୁଖିଲା: ଲିକେଜ୍ ପାଣିରେ ବଞ୍ଚିଛି ନଦୀ – Ibnodisha
[ad_1]
ନବରଙ୍ଗପୁର: ଜଳଭଣ୍ଡାର ଲିକେଜ୍ ପାଣିରେ ବଞ୍ଚିଛି ଇନ୍ଦ୍ରାବତୀ। ପ୍ରଥମ ଥର ପାଇଁ ସେପ୍ଟେମ୍ବରରେ ନଦୀ ଶୁଖିଲା ପଡ଼ିଛି। ନଦୀକୁ ଜଳ ଯୋଗାଉଥିବା ଅଞ୍ଚଳରେ ଅଳ୍ପ ବର୍ଷା ଯୋଗୁଁ ନଦୀର ଅବସ୍ଥା ଏପରି ହୋଇଛି। ଯାହା ନଦୀ ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀଙ୍କ ଜୀବନଜୀବିକାକୁ ବିଶେଷ ଭାବେ ପ୍ରଭାବିତ କରିଛି। ଦିନଥିଲା ଇନ୍ଦ୍ରାବତୀ ନଦୀ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକ ସମେତ ସୀମାନ୍ତ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଓ କୋଟପାଡ଼ ବ୍ଲକର ନଦୀ ତଟ ଗାଁଗୁଡିକୁ ଜୀବିକା ଯୋଗାଉଥିଲା। ଚାଷୀ ବର୍ଷକୁ ୨ଥର ଫସଲ କରୁଥିଲେ। ଜୁଲାଇରୁ ସେପଟେମ୍ବର ମଧ୍ୟରେ ନଦୀରେ ୨ରୁ ୩ଥର ବନ୍ୟା ଆସୁଥିଲା। ତିନିମାସ ପର୍ଯ୍ୟନ୍ତ ନଦୀ କୂଳ ଖାଇ ପାଣି ପ୍ରବାହିତ ହେଉଥିଲା। ଏବେ ଦୀର୍ଘ ବର୍ଷ ପରେ ସେପ୍ଟେମ୍ବରରେ ପାଣି ନଦୀ ଶଯ୍ୟାକୁ ବି ଓଦା କରିପାରୁନି। ନଦୀରେ ଯେଉଁ ଅଳ୍ପ ପାଣି ଆସୁଛି ତାହା ଜଳଭଣ୍ଡାର ଲିକେଜ୍ ପାଣି। କହିବାକୁ ଗଲେ ଜଳଭଣ୍ଡାର ଲିକେଜ୍ ପାଣି ନଦୀକୁ ଏକପ୍ରକାର ବଞ୍ଚାଇ ରଖିଛି। ନଚେତ ନଦୀ ସମ୍ପୂର୍ଣ୍ଣ ଶୁଖିଲା ପଡ଼ନ୍ତାଣି।
ଇନ୍ଦ୍ରାବତୀ କଳାହାଣ୍ଡି ଜିଲ୍ଲା ଥୁଆମୂଳା ରାମପୁର ବ୍ଲକ ମର୍ଦ୍ଧିଗୁଡା ଅଞ୍ଚଳର ମୁଣ୍ଡିଆ ପାହାଡରୁ ବାହାରିଛି। ଏହା ଚିରସ୍ରୋତା। ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟ ୧୯୭୯ରୁ ଆରମ୍ଭ ହୋଇଥିଲା। ୧୯୯୬ବେଳକୁ ଜଳଭଣ୍ଡାର କାମ ପ୍ରାୟତଃ ସରି ଆସିଥିଲା। ତଥାପି ନଦୀକୁ ବନ୍ଦ କରାଯାଇ ନଥିଲା। ୨୦୦୧ ବେଳକୁ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବା ପରେ ନଦୀ ପାଣି ବନ୍ଦ କରାଗଲା। ସାଧାରଣତଃ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକରେ ବର୍ଷା ହେଲେ ଇନ୍ଦ୍ରାବତୀ ନଦୀ ଫୁଲି ଉଠିଥାଏ। ଗତ ଅଗଷ୍ଟରେ ତେନ୍ତୁଳିଖୁଣ୍ଟି ବ୍ଲକରେ ମାତ୍ର ୨୬୬ମିମି ବର୍ଷା ହୋଇଛି। ନନ୍ଦାହାଣ୍ଡି ବ୍ଲକରେ ୨୪୩ ମିମି ଓ ନବରଙ୍ଗପୁର ବ୍ଲକରେ ୩୧୬ମିମି ବର୍ଷା ହୋଇଛି। ଗତବର୍ଷ ଅଗଷ୍ଟରେ ତେନ୍ତୁଳିଖୁଣ୍ଟି ବ୍ଲକରେ ୫୫୮ମିମି, ନନ୍ଦାହାଣ୍ଡି ବ୍ଲକରେ ୬୨୧ମିମି ଓ ନବରଙ୍ଗପୁର ବ୍ଲକରେ ୬୩୫ମିମି ବର୍ଷା ହୋଇଥିଲା। ଗତବର୍ଷ ତୁଳନାରେ ଚଳିତ ବର୍ଷ କହିବାକୁ ଗଲେ ଅଧାରୁ କମ୍ ବର୍ଷା ହୋଇଛି। ଚଳିତ ବର୍ଷ ଜିଲ୍ଲାର ୩ଟି ବ୍ଲକରେ ନିଅଣ୍ଟିଆ ବର୍ଷାର ପ୍ରଭାବ ଇନ୍ଦ୍ରାବତୀରେ ପଡିଛି। ପାଣି ପ୍ରାୟ ନଥିବାରୁ ନଦୀରେ ରହିଥିବା କିଛି ଉଠା ଜଳସେଚନ ପ୍ରକଳ୍ପ ନିୟମିତ ପାଣି ଯୋଗାଇବାରେ ସକ୍ଷମ ହେଉ ନଥିବା ଜଣାପଡିଛି। ଅନ୍ୟପକ୍ଷରେ, ଜଳଭଣ୍ଡାରରେ ମଧ୍ୟ ପୂର୍ବ ବର୍ଷଠାରୁ ୫୩ପ୍ରତିଶତ କମ୍ ପାଣି ରହିଛି। ଭଣ୍ଡାରରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ୯ ମିଟର କମ୍ ପାଣି ରହିଛି। ଏବେ ଜଳଭଣ୍ଡାର ସ୍ଲୁଇସ୍ ଗେଟ୍ ଦେଇ ୫.୧୫ଘନମିଟର ଜଳ ଇନ୍ଦ୍ରାବତୀ ନଦୀକୁ ପ୍ରବାହିତ ହେଉଛି। ଏହି ପାଣି ହିଁ ନଦୀକୁ ବଞ୍ଚାଇ ରଖିଛି।
[ad_2]