ରାଜ୍ୟ

କଲ୍ୟାଣ ମଣ୍ଡପରେ ଚାଲିଛି ଲିଙ୍ଗରାଜ ଥାନା: ଥାନା ଖୋଜୁଛି ସ୍ଥାୟୀ ଠିକଣା

ଭୁବନେଶ୍ୱର: ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖରେ ଥିବା ଲିଙ୍ଗରାଜ ଥାନାକୁ ଏକାମ୍ର ପ୍ରକଳ୍ପ ପାଇଁ ଭାଙ୍ଗିଦେଲେ। ହେଲେ ନୂଆ ଥାନା ନିର୍ମାଣ ହେଲା ନାହିଁ। ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ହାଟସାହିରେ ନିର୍ମାଣ ହୋଇଥିବା ଦକ୍ଷିଣଚଣ୍ଡୀ କଲ୍ୟାଣ ମଣ୍ଡପରେ ଗତ ୪ ବର୍ଷ ହେବ ଅତି ଦୟନୀୟ ସ୍ଥିତିରେ ଚାଲିଛି ଥାନା। ନୂଆ ଥାନା କୋଠା ନିର୍ମାଣ ହେବା ଦୂର କଥା, ଚିହ୍ନଟ ହୋଇଥିବା ଜମି ଏଯାଏ ପୁଲିସ ହାଉସିଂ କର୍ପୋରେସନ୍‌କୁ ହସ୍ତାନ୍ତର ହୋଇପାରୁନି। କଲ୍ୟାଣ ମଣ୍ଡପରେ ଥାନା ପାଇଁ ଆବଶ୍ୟକ ପ୍ରକୋଷ୍ଠ, ହାଜତ ଘର, ରେକର୍ଡ ରୁମ୍‌ ଭଳି ଜରୁରି ଓ ସର୍ବନିମ୍ନ ଭିତ୍ତିଭୂମି ନାହିଁ। ଖୋଲାମେଲା ସ୍ଥାନରେ ଥାନା ଚାଲିଛି।

ପୁଲିସ ବିଭାଗକୁ ଏଯାଏ ଜମି ହସ୍ତାନ୍ତର ହୋଇନି ଘରୋଇ ମଣ୍ଡପରେ ଖର୍ଚ୍ଚାନ୍ତ ହେଉଛନ୍ତି ଅଞ୍ଚଳବାସୀ

ଥାନାକୁ ଯିବା ପାଇଁ ପ୍ରଶସ୍ତ ରାସ୍ତା ମଧ୍ୟ ନାହିଁ। ତେଣୁ କୌଣସି ବଡ଼ଗାଡ଼ି ଜବତ କରି ନେବାବେଳେ କର୍ମଚାରୀ ନାକେଦମ ହେଉଛନ୍ତି। ବାରମ୍ବାର ଅଭିଯୋଗ ପରେ ସାନିଟାରିୟମ୍‌ ଛକରେ ନିର୍ମାଣ ହେଉଥିବା ନୂଆ ପାର୍କିଂ ସ୍ଥାନରେ ଲିଙ୍ଗରାଜ ଥାନା ନିର୍ମାଣ ହେବା ପାଇଁ ଟ୍ରଷ୍ଟବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି। ଥାନା ନିର୍ମାଣ ହେବାକୁ ଥିବା ଜମି ପ୍ରଭୁ ଲିଙ୍ଗରାଜଙ୍କର। ତେଣୁ ଟ୍ରଷ୍ଟବୋର୍ଡ ବୈଠକର ନିଷ୍ପତ୍ତି ପରେ ଦେବୋତ୍ତର ବିଭାଗ ପ୍ରଥମେ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ନାମରେ ଉକ୍ତ ଜମି ସ୍ଥାନାନ୍ତର କରିବେ। ଏହାପରେ ସାଧାରଣ ପ୍ରଶାସନ ବିଭାଗ ପୁଲିସ ହାଉସିଂ କର୍ପୋରେସନ୍‌କୁ ଜମି ଦେବା ପରେ ନିର୍ମାଣ କାମ ଆରମ୍ଭ ହେବ। ହେଲେ ଏତେ ବର୍ଷ ପରେ ବି ଏଯାଏ ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ହୋଇନାହିଁ। ଅନ୍ୟପଟେ ପ୍ରାୟ ୪୦ ହଜାର ବର୍ଗ ଫୁଟ୍‌ ଜମି ଆବଶ୍ୟକ ଥିବା ବେଳେ ୩୦ ହଜାର ବର୍ଗ ଫୁଟ୍‌ ଜମି ‌ଥାନା ପାଇଁ ଦିଆଯିବାକୁ ସ୍ଥିର ହୋଇଛି।

ଏଥିରେ ଥାନା ନିର୍ମାଣ ଓ ଆନୁଷଙ୍ଗିକ କାର୍ଯ୍ୟପାଇଁ ସ୍ଥାନର ଅଭାବ ରହିବ ବୋଲି ଆଶଙ୍କା ଉପୁଜିଛି। ଏନେଇ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଭୁବନେଶ୍ବରର ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ମହାନ୍ତି କହିଛନ୍ତି, ଟ୍ରଷ୍ଟ ବୋର୍ଡ ବୈଠକରେ ଥାନା ପାଇଁ ଜମି ଦିଆଯାଇଛି। ଖୁବ୍‌ଶୀଘ୍ର ଦେବୋତ୍ତର ବିଭାଗ ଜମି ହସ୍ତାନ୍ତର କରିବାର ଯୋଜନା ରହିଛି। ଏପଟେ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି ଆମ ପାଖରେ କୌଣସି ସମସ୍ୟା ନାହିଁ। ଜମି ମିଳିବା ପରେ ପୁଲିସ ହାଉସିଂ କର୍ପୋରେସନ୍‌ ପକ୍ଷରୁ ନିର୍ମାଣ କାମ ଆରମ୍ଭ ହେବ। ତେଣୁ ଏବେ ଜମି ହସ୍ତାନ୍ତରକୁ ଅପେକ୍ଷା ରହିଛି। ସେପଟେ ମଣ୍ଡପରେ ଥାନା ଚାଲୁଥିବାରୁ ପୁରୁଣା ଭୁବନେଶ୍ବରର ସାଧାରଣ ଜନତା ମଣ୍ଡପର ଲାଭ ପାଉନାହାନ୍ତି। ବାହାଘର, ବ୍ରତଘର କିମ୍ବା କୌଣସି ଉତ୍ସବ କରିବାକୁ ଘରୋଇ ମଣ୍ଡପ ଉପରେ ନିର୍ଭର କରିବାକୁ ପଡ଼ୁଛି। ଯେଉଁଠି ଲୋକମାନେ ସରକାରୀ କଲ୍ୟାଣ ମଣ୍ଡପ ଅପେକ୍ଷା ଦଶ ଗୁଣା ଅଧିକ ଟଙ୍କା ଗଣୁଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button