ଆସୁଛି ଖ୍ରୀଷ୍ଟମାସ: ଯୀଶୁଙ୍କୁ ସ୍ବାଗତ ପାଇଁ ଜୋରଦାର୍ ପ୍ରସ୍ତୁତି
ଭୁବନେଶ୍ୱର: ଆସୁଛି ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ ଖ୍ରୀଷ୍ଟମାସ। ସେଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ସହର ବଜାର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସ୍ବାଗତ କରିବା ପାଇଁ ସରକାରୀ ତଥା ବେସରକାରୀ ଅନୁଷ୍ଠାନ, ସପିଂ ମଲ୍, ହୋଟେଲ, ରେଷ୍ଟୁରାଣ୍ଟ ଆଦିରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହି ପର୍ବକୁ ପାଳନ କରିବା ପାଇଁ ଲୋକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ଦେଖି ବଜାରକୁ ଆସିଛି ନୂଆ ନୂଆ ସାମଗ୍ରୀ। ଏକ ନମ୍ୱର, ସତ୍ୟନଗର ଛକ, ସିଆର୍ପି, ନୂଆପଲ୍ଲୀ, ବାଣୀବିହାର ଆଦି ସ୍ଥାନରେ ବ୍ୟବସାୟୀମାନେ ପସରା ମେଲାଇଛନ୍ତି। ବଜାରରେ ଖ୍ରୀଷ୍ଟମାସ ଟେବୁଲ ଟ୍ରି ୨୦ଟଙ୍କାରୁ ଆରମ୍ଭ ହୋଇ ଦଶ ହଜାର, ଡେକୋରେସନ ବକ୍ସ ଦର ୪୪୯ ଟଙ୍କା, ସାଣ୍ଟା ଦର ୮୦ ଟଙ୍କାରୁ ଆରମ୍ଭ ହୋଇ ୧୨ଶହ ଟଙ୍କା ପର୍ଯ୍ୟନ୍ତ ରହିଛି।
ସେହିଭଳି ହେୟାର ବ୍ୟାଣ୍ଡ୍ ଓ ଚଷମା ଦର ୮୦ ରୁ ୧୫୦, ସାଦା ଟୋପି ୨୦, ସାଇନିଙ୍ଗ ଟୋପି ୧୫୦ ଟଙ୍କାରୁ ୪ଶହ ଟଙ୍କା, ହ୍ୟାଙ୍ଗିଙ୍ଗ୍ ସ୍ନୋ ମ୍ୟାନ୍ ୩ ହଜାର ଟଙ୍କା, ବେଲ୍ର ଦାମ୍ ଆକାର ଅନୁସାରେ ୮୦ରୁ ୨୫ ଶହ ଟଙ୍କା, ଷ୍ଟାର୍ ୩୦ ଟଙ୍କାରୁ ୧୦୦୦ଟଙ୍କା, ସାଣ୍ଟା ଡ୍ରେସ୍ ମୂଲ୍ୟ ୨୦୦ ଟଙ୍କାରୁ ୬୫୦ ଟଙ୍କା ରହିଛି। ସେହିପରି ଘର ସଜାଇବା ପାଇଁ ଝୁମର୍ ୧୫୦ ଟଙ୍କାରୁ ଆରମ୍ଭ ହେଉଛି। ଏହି ସାମଗ୍ରୀଗୁଡ଼ିକ ଗୋଆ, ନୂଆଦିଲ୍ଲୀ, କୋଲକାତା, କେରଳରୁ ଆସିଛି ବୋଲି ଏକ ନମ୍ୱର ମାର୍କେଟ ବ୍ୟବସାୟୀ ରଘୁ ସାହୁ କହିଛନ୍ତି।
ସେହିଭଳି ଖ୍ରୀଷ୍ଟମାସ୍ ପାଇଁ ବେକରି ଦୋକାନରେ ମଧ୍ୟ ପ୍ରବଳ ଭିଡ଼ ଜମୁଛି। ଭଳିକି ଭଳି ଫ୍ରୁଟ କେକ୍, ଡ୍ରାଏ ଫ୍ରୁଟ କେକ୍, ବଟର୍ ଫ୍ରୁଟ୍ କେକ୍ ଆଦିର ଚାହିଦା ବଢ଼ିଛି। ତେବେ ଖ୍ରୀଷ୍ଟ ଧର୍ମାଲମ୍ୱୀମାନେ ପ୍ଲମ୍ କେକ୍ ଓ ଡ୍ରାଏ ଫ୍ରୁଟସ୍ କେକ୍କୁ ବେଶୀ ପସନ୍ଦ କରୁଛନ୍ତି ବୋଲି ରାମ ମନ୍ଦିର ଛକରେ ଥିବା ‘ନିଲ୍ କମଲ ବେକରି ସପ୍’ର ପ୍ରିୟରଞ୍ଜନ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି। ମାସେ ଆଗରୁ ଉଭୟ କେକ୍ରୁ ୫ କେଜିର ତିନି ଶହ ପିସ୍ ବରାଦ ଆସି ସାରିଲାଣି ବୋଲି ସେ କହିଛନ୍ତି। ପ୍ଲମ୍ କେକ୍ର ମୂଲ୍ୟ ଏକ କେଜିକୁ ୭୫୦ ଟଙ୍କା ରହିଥିବା ବେଳେ ଡ୍ରାଏ ଫ୍ରୁଟସ୍ କେକ୍ର ଦାମ ୭୦୦ ଟଙ୍କା ରହିଛି। ଏହାବ୍ୟତୀତ ପାଇନ୍ଆପୁଲ, ବ୍ଲାକ୍ ଫରେଷ୍ଟ, ଆଲମଣ୍ଡ୍ କେକ୍ର ମଧ୍ୟ ଚାହିଦା ରହିଛି ବୋଲି ସେ କହିଛନ୍ତି।