ପୁଷ୍ପା ୨ର ସ୍କ୍ରିନିଂ ବେଳେ ଦଳାଚକଟାରେ ଚାଲିଯାଇଥିଲା ମା’ ଜୀବନ, ଏବେ ଭେଣ୍ଟିଲେଟରରେ ୮ ବର୍ଷର ପୁଅ
ପୁଷ୍ପା ୨ର ସ୍କ୍ରିନିଂ ସମୟରେ ବେଳେ ଘଟିଥିବା ଅଘଟଣରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଥିଲା । ଏହାସହିତ ଘଟଣାରେ ମୃତ ମହିଳାଙ୍କର ୮ ବର୍ଷର ପୁଅ ମଧ୍ୟ ଗୁରୁତର ଆହତ ହୋଇଥିଲେ । ପିଲାଟିକୁ ହସପିଟାଲରେ ଆଡମିଟ୍ କରାଯାଇଥିଲା । ଏବେ ପିଲାଟି ଭେଣ୍ଟିଲେଟର ସପୋର୍ଟରେ ରହି ଜୀବନମରଣ ସହିତ ସଂଗ୍ରାମ କରୁଛନ୍ତି ।
ହସପିଟାଲ କହିବା ମୁତାବକ, ମୃତ ମହିଳାଙ୍କ ୮ ବର୍ଷର ପୁଅଙ୍କୁ ବାରମ୍ବାର ଜ୍ବର ଆସୁଛି । ପିଲାଟି ଏବେ ଭେଣ୍ଟିଲେଟର ସପୋର୍ଟରେ ରହିଛି । ଟ୍ୟୁବ ଦ୍ବାରା ଖାଦ୍ୟ ଦିଆଯାଉଛି । ସିକନ୍ଦରାବାଦର କିମ୍ସରେ ପିଲାଟି ଭର୍ତ୍ତି ହୋଇଛି ।
ସୂଚନାଯୋଗ୍ୟ, ଡିସେମ୍ବର ୪ ତାରିଖରେ ପୁଷ୍ପା ୨ର ସ୍କ୍ରିନିଂ ସମୟରେ ସନ୍ଧ୍ୟା ଥିଏଟର ବାହାରେ ଦଳାଚକଟା ହୋଇଥିଲା । ଏହି ଘଟଣା ପରେ ମୃତ ମହିଳା ରେବତୀଙ୍କ ସ୍ୱାମୀ ଭାସ୍କର ଥାନାରେ ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା କର୍ମୀ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା ଦେଇଥିଲେ । ତାଙ୍କ ଏତଲାକୁ ପୋଲିସ ଗ୍ରହଣ କରି ମାମଲା ରୁଜୁ କରିଥିଲା । ମାମଲାରେ ହାଇଦ୍ରାବାଦ ପୋଲିସ ୧୩ ଡିସେମ୍ବରରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ।କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଅଲ୍ଲୁ ଅର୍ଜୁନଙ୍କୁ ତାଙ୍କ ହାଇଦ୍ରାବାଦ ସ୍ଥିତ ଘରୁ ଗିରଫ କରିଥିଲା ପୋଲିସ । ସେଠାରୁ ତାଙ୍କୁ ଥାନାକୁ ନିଆଯାଇଥିଲା । ପରେ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଯାଞ୍ଚ ପରେ ତାଙ୍କୁ ନାମପଲ୍ଲୀ କୋର୍ଟରେ ହାଜର କରାଯାଇଥିଲା ।
ହାଇଦ୍ରାବାଦ ଚଞ୍ଚଲଗୁଡା ସେଣ୍ଟ୍ରାଲ ଜେଲରେ ଥିଲେ ଅଲ୍ଲୁ । ତେବେ ତେଲଙ୍ଗାନା ହାଇକୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜାମିନ ମିଳିଥିଲେ ବି ଆଇନଗତ ପ୍ରକ୍ରିୟା ଶେଷ ହୋଇନଥିବାରୁ ଜେଲରୁ ବାହାରିପାରିନଥିଲେ ।ଏହାପୂର୍ବରୁ ଅଭିନେତା ପୀଡିତା ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେଇଥିଲେ । ଆଉ ଜେଲରୁ ଫେରିବା ପରେ ପରିବାରକୁ ଯଥାସମ୍ଭବ ସାହାଯ୍ୟ କରିବେ ବୋଲି ଅଲ୍ଲୁ ଅର୍ଜୁନ କହିଛନ୍ତି ।
ଡିସେମ୍ବର ୪ ତାରିଖରେ ପୁଷ୍ପା-୨ର ସ୍କ୍ରିନିଂ ପାଇଁ ସନ୍ଧ୍ୟା ଥିଏଟରକୁ ଅଲ୍ଲୁ ଅର୍ଜୁନ ଆସୁଥିବା ନେଇ ତେଲଙ୍ଗାନା ପୋଲିସ କୁ ଅବଗତ କରାଯାଇ ନଥିଲା ବୋଲି ଅଭିଯୋଗ ହୋଇଥିଲା । ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ସନ୍ଧ୍ୟା ଥିଏଟରରେ ଲୋକଙ୍କ ଭିଡ଼ ଜମି ଥିଲା । ପ୍ରବଳ ଭିଡ଼ ଯୋଗୁ ଦଳଚକଟାରେ ପଡ଼ି ଜଣେ ୩୯ ବର୍ଷୀୟା ମହିଳା ଅଣନିଃଶ୍ୱାସୀ ହୋଇଯାଇଥିଲେ ଓ ତାଙ୍କ ମୃତ୍ୟୁ ଘଟିଥିଲା । ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ ।