୪୬ ବର୍ଷ ପୁରୁଣା ମନ୍ଦିରରେ ଆଜିଠାରୁ ଆରମ୍ଭ ହେଲା ପୂଜାର୍ଚ୍ଚନା, ସାମ୍ପ୍ରଦାୟିକ ବିବାଦ ପରେ ଥିଲା ବନ୍ଦ
ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ଖନନ ସମୟରେ ଏକ ୪୬ ବର୍ଷ ପୁରାତନ ଶିବ-ହନୁମାନ ମନ୍ଦିରର ସନ୍ଧାନ ମିଳିଛି । ମନ୍ଦିରରେ ଶିବଲିଙ୍ଗ ସହିତ ହନୁମାନଙ୍କ ମୂର୍ତ୍ତି ମିଳିଛି । ସାମ୍ପ୍ରଦାୟିକ କାରଣରୁ ଏହି ମନ୍ଦିର ବନ୍ଦ ହୋଇ ରହିଥିବା କୁହାଯାଉଛି । ପ୍ରଶାସନ ଉପସ୍ଥିତିରେ ପୋଲିସ ମନ୍ଦିର ଦ୍ୱାର ଖୋଲିଥିଲା । ମନ୍ଦିରକୁ ସଫାସୁତରା କରିବା ପରେ ଆଜିଠାରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ମନ୍ଦିରରେ ସିସିଟିଭି ମଧ୍ୟ ଲଗାଯାଇଛି ।
୧୯୭୮ ମସିହାରେ ସାମ୍ପ୍ରଦାୟିକ ବିବାଦ ପରେ ଏହି ମନ୍ଦିର ବନ୍ଦ ହୋଇଯାଇଥିଲା । ଯେତେବେଳେ ପୋଲିସ କର୍ମଚାରୀମାନେ ମନ୍ଦିରର ଭିତର ସଫା କରିଥିଲେ, ମନ୍ଦିରର ଗର୍ଭ ଗୃହରେ ଶିବଲିଙ୍ଗ ଏବଂ ହନୁମାନଙ୍କ ମୂର୍ତ୍ତି ରହିଥିବା ଦେଖିବାକୁ ମିଳିଥିଲା । ରାତିସାରା ମନ୍ଦିର ସଫା କରାଯିବା ପରେ ସକାଳେ ପୂଜାର୍ଚ୍ଚନା କରାଯାଇଥିଲା । ମନ୍ଦିରରେ ଘଣ୍ଟି ଏବଂ ଶ୍ଲୋକ ଶୁଣାଯାଇଥିଲା । ମନ୍ଦିରରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି । ଫଳରେ ଲୋକମାନେ ଖୁସି ହୋଇଯାଇଛନ୍ତି ।
ପୋଲିସ ଅଧିକ୍ଷକ କୃଷ୍ଣ କୁମାର କହିଛନ୍ତି ଯେ, ଶନିବାର ସକାଳେ ସମ୍ଭଲରେ ଲାଉଡ ସ୍ପିକର ଯାଞ୍ଚ କରାଯାଉଥିବାବେଳେ ବେଆଇନ ବିଦ୍ୟୁତ ସଂଯୋଗ ମାଧ୍ୟମରେ ସମଗ୍ର ଅଞ୍ଚଳକୁ ବିଦ୍ୟୁତ ଯୋଗାଣ କରାଯାଉଥିବା ଜଣାପଡିଥିଲା । ଯେତେବେଳେ ବିଦ୍ୟୁତ୍ ବିଭାଗ ଯାଞ୍ଚ କଲେ, ସେଠାରେ ଶତାଧିକ ବେଆଇନ ସଂଯୋଗ ଥିବା ଜାଣିବାକୁ ପାଇଥିଲେ । ବର୍ତ୍ତମାନ ଚାରୋଟି ମସଜିଦରୁ ବିଭିନ୍ନ ପ୍ରକାରର ତାର ବାହାରିଛି । ଏଠାରେ ଏକ ପାୱାର ହାଉସ୍ ନିର୍ମାଣ କରି ବେଆଇନ ଭାବେ ଲୋକଙ୍କୁ ବିଦ୍ୟୁତ୍ ଯୋଗାଇ ଦିଆଯାଉଥିଲା ବୋଲି ଜଣାପଡ଼ିଛି ।
ଉପସ୍ଥିତିରେ ବିଜୁଳି ବିଭାଗ ଓ ପୋଲିସ ମିଳିତ ଭାବେ ସେଠାରେ ଥିବା ସମସ୍ତ ଘର ଓ ମସଜିଦ ଉପରେ ଚଢ଼ାଉ କରିଥିଲେ । ବିଜୁଳି ଚୋରି ଧରିବାକୁ ହୋଇଥିବା ଏହି ଚଢ଼ାଉ ସମୟରେ ଏହି ବହୁ ପୁରାତନ ମନ୍ଦିର ଦେଖିବାକୁ ମିଳିଥିଲା ।
ସୂଚନାଯୋଗ୍ୟ, ସମ୍ଭଲ ଜିଲ୍ଲାରେ ଶାହି ଜାମା ମସଜିଦ କମ୍ପ୍ଲେକ୍ସରେ ସର୍ଭେକୁ ନେଇ ବିବାଦ ସୃଷ୍ଟି ହୋଇଛି । ମସଜିଦ ହିନ୍ଦୁ ମନ୍ଦିରକୁ ଭଙ୍ଗାଯାଇ ନିର୍ମାଣ ହୋଇଥିବା ଦାବି ଉଠିବା ପରେ ଟ୍ରାଏଲ କୋର୍ଟ ଏକ ଆବେଦନ କ୍ରମେ ସର୍ଭେ ନିର୍ଦ୍ଦେଶ ଦେଇଥିଲେ । ତେବେ ସୁପ୍ରିମକୋର୍ଟ ଏ ଉପରେ ଏକ ଶୁଣାଣି କରି ସର୍ଭେକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭଲର ଶାହି ଜାମା ମସଜିଦ ଏବଂ ହରିହର ମନ୍ଦିରକୁ ନେଇ ହିନ୍ଦୁ-ମୁସଲିମ ଦଳ ନିଜ ନିଜର ଦାବି ଉପସ୍ଥାପନ କରୁଛନ୍ତି । ଜାମା ମସଜିଦ ସର୍ଭେ ବିବାଦ ସମୟରେ ଗତ ୨୪ ନଭେମ୍ବରରୁ ହୋଇଥିବା ହିଂସା ଯୋଗୁଁ ସମ୍ଭଲରେ ଡିସେମ୍ବର ୧୦ ପର୍ଯ୍ୟନ୍ତ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରିଥିଲା । ଏନେଇ ଆସନ୍ତା ଜାନୁଆରୀ ୮ ତାରିଖରେ ପରବର୍ତ୍ତୀ ଶୁଣାଣି ହେବା ନେଇ ସମ୍ଭଲ କୋର୍ଟ ପକ୍ଷରୁ କୁହାଯାଇଛି ।