ଓପନ୍ଏଆଇ ହ୍ବିସିଲ୍ବ୍ଲୋୟର ବାଲାଜୀଙ୍କ ମୃତ୍ୟୁ: ଆପାର୍ଟମେଣ୍ଟରୁ ମିଳିଲା ଶବ
ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଲୋକପ୍ରିୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ଚାଟ୍ଜିପିଟି ବିକାଶ କରିଥିବା ସଂସ୍ଥା ଓପନ୍ଏଆଇରେ ଘଟୁଥିବା ଗୋପନ କଥାଗୁଡ଼ିକୁ ପ୍ରଘଟ କରିଥିବା ୨୬ ବର୍ଷୀୟ ଭାରତୀୟ ଯୁବକ ସୁଚିର ବାଲାଜୀଙ୍କ ମୃତ୍ୟୁ ହୋଇଛି। ଆମେରିକାର ସାନ୍ଫ୍ରାନ୍ସିସ୍କୋରେ ଥିବା ଆପାର୍ଟମେଣ୍ଟରୁ ତାଙ୍କ ମୃତ ଦେହ ଜବତ କରାଯାଇଛି। କୌଣସି ଲେଖା ମିଳି ନ ଥିବାରୁ ସେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ପୁଲିସ ସନ୍ଦେହ କରୁଛି।
ଆପାର୍ଟମେଣ୍ଟରୁ ମିଳିଲା ଶବ
କପିରାଇଟ୍ ଉଲ୍ଲଂଘନ ଅଭିଯୋଗ କରିଥିଲେ
ବାଲାଜୀ ଚାରି ବର୍ଷ ଓପନ୍ଏଆଇରେ କାମ କରି ଚାଟ୍ଜିପିଟି ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହାକୁ ବିକାଶ କରିବା ବେଳେ କପିରାଇଟ୍ ଥିବା ତଥ୍ୟଗୁଡ଼ିକୁ ବ୍ୟବହାର କରାଯାଇଥିଲା। ତାହାକୁ ଆଇନତଃ ବୈଧ ବୋଲି ସେ ଭାବୁଥିଲେ। ମାତ୍ର ୨୦୨୨ରେ ଚାଟ୍ଜିପିଟି ଜାରି ହେବା ପରେ ସେ ତାହାକୁ ନେଇ ସ୍ବର ଉଠାଇଥିଲେ। ୨୦୨୩ ଅଗଷ୍ଟରେ ସେ ଓପନ୍ଏଆଇରୁ ଇସ୍ତଫା ଦେଇଥିଲେ ଏବଂ ତାଙ୍କ ମନରେ ଥିବା ଭାବନାଗୁଡ଼ିକୁ ପ୍ରକାଶ କରିଥିଲେ। ଏଆଇ ବିକାଶରେ ନୈତିକତାର ହେଉଥିବା ଉଲ୍ଲଂଘନକୁ ସେ ବିରୋଧ କରୁଥିଲେ।
ବାଲାଜୀଙ୍କ ମୃତ୍ୟୁ ପୁଣି ଥରେ ଏଆଇର ନୈତିକ ବ୍ୟବହାର ପ୍ରଶ୍ନକୁ ଉଜାଗର କରିଛି। ଓପନ୍ଏଆଇ ବିରୋଧରେ ଆଇନଗତ ଲଢ଼େଇ ଲଢ଼ୁଥିବା ଟେସ୍ଲାର ମୁଖ୍ୟ ଏଲନ୍ ମସ୍କ ମଧ୍ୟ ଏହି ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରି ‘ହୁଁ’ ବୋଲି ଲେଖିଛନ୍ତି। ଓପନ୍ଏଆଇ ବିରୋଧରେ ଦାଖଲ ହୋଇଥିବା ମାମଲାରେ ବାଲାଜୀ ଥିଲେ ପ୍ରମୁଖ ସାକ୍ଷୀ। ଏକ କୋର୍ଟ ମାମଲାରେ ତାଙ୍କ ନାମ ସାମିଲ ହେବାର ଗୋଟିଏ ଦିନ ପରେ ତାଙ୍କ ମୃତ୍ୟୁ ହୋଇଛି। ତେଣୁ ତାହା ଏକ ସ୍ବାଭାବିକ ଘଟଣା ବୋଲି ବିଶ୍ବାସ କରିବା କଷ୍ଟକର ହେଉଛି।