ଦେଶରେ କାର୍ଯ୍ୟ କରୁଛି ୧୫୦ ହାତୀ କରିଡର – Ibnodisha

[ad_1]
ନୂଆଦିଲ୍ଲୀ: ଦେଶର ୧୫ ରାଜ୍ୟରେ ମୋଟ ୧୫୦ଟି ହାତୀ କରିଡର କାର୍ଯ୍ୟ କରୁଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଏଥିମଧ୍ୟରୁ ପଶ୍ଚିମବଙ୍ଗରେ ସର୍ବାଧିକ ୨୬ଟି ହାତୀ କରିଡର ରହିଛି । କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଜାରି କରାଯାଇଥିବା ‘ଏଲିଫାଣ୍ଟ୍ସ କରିଡର ଅଫ୍ ଇଣ୍ଡିଆ’ ଶୀର୍ଷକ ଏହି ରିପୋର୍ଟ ଅନୁଯାୟୀ ୫୯ଟି କରିଡରରେ ହାତୀଙ୍କ ଚଳପ୍ରଚଳ ପୂର୍ବାପେକ୍ଷା ବୃଦ୍ଧି ପାଇଥିବାବେଳେ ୨୯ଟିରେ ହ୍ରାସ ପାଇଛି ଏବଂ ଆଉ ୨୯ଟିରେ ଏହା ଅପରିବର୍ତ୍ତିତ ରହିଛି । ୧୫ଟି କରିଡର କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଗୁଡିକର ମରାମତି ଜରୁରୀ ହୋଇପଡିଛି । ଅବଶିଷ୍ଟ ୧୮ଟି କରିଡର ସମ୍ପର୍କରେ କୌଣସି ସୂଚନା ମିଳିନଥିବା ରିପୋର୍ଟରେ ଦର୍ଶାଯାଇଛି । ଗୋଟିଏ ସ୍ଥାନକୁ ଅନ୍ୟ ସ୍ଥାନକୁ ଚଳପ୍ରଚଳ ପାଇଁ ହାତୀପଲ ଯେଉଁ ନିର୍ଦ୍ଦିଷ୍ଟ ପଥ ବ୍ୟବହାର କରିଥାନ୍ତି, ତାହାକୁ ହାତୀ କରିଡର କୁହାଯାଇଥାଏ । ଜଙ୍ଗଲର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କିମ୍ବା ଗୋଟିଏ ଜଙ୍ଗଲରୁ ନିକଟସ୍ଥ ଅନ୍ୟ ଜଙ୍ଗଲ ଯିବାକୁ ହାତୀପଲ ବ୍ୟବହାର କରୁଥିବା ରାସ୍ତାକୁ ହିଁ ହାତୀ କରିଡର ଆଖ୍ୟା ଦିଆଯାଇଥାଏ ।
ତେବେ ଜଙ୍ଗଲରୁ ଜନବସତି ଆଡକୁ ଯଦି ହାତୀପଲ କଦବା କ୍ୱଚିତ କୌଣସି ରାସ୍ତା ଦେଇ ମାଡି ଆସନ୍ତି, ତେବେ ଉକ୍ତ ପଥକୁ ହାତୀ କରିଡର ମାନ୍ୟତା ମିଳିନଥାଏ । ହାତୀ କରିଡର ଫଳକ ଲଗାଇବାର ଉଦ୍ଦେଶ୍ୟ ହେଉଛି, ଯଦି କୌଣସି ବ୍ୟକ୍ତି କିମ୍ବା ଯାନବାହନ ଉକ୍ତ ରାସ୍ତା ଦେଇ ଯାଉଥାନ୍ତି, ତେବେ ସେମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ । ଜଙ୍ଗଲ ନଷ୍ଟ ହେଉଥିବାରୁ ହାତୀମାନେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଛନ୍ତି । ଫଳରେ ନିୟମିତଭାବେ ହାତୀ-ମଣିଷ ଲଢେଇ ଦେଖିବାକୁ ମିଳିଛି । ହାତୀ ଆକ୍ରମଣରେ ପ୍ରାଣ ହରାଉଥିବା କିମ୍ବା ଆହତ ହେଉଥିବା ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କ୍ଷତିପୂରଣ ରାଶି ଦେବାକୁ ପଡୁଛି । ଏଭଳି ସ୍ଥିତି ଯୋଗୁଁ ହାତୀବଂଶ କ୍ରମଶଃ ହ୍ରାସ ପାଇବାରେ ଲାଗୁଛି । ୨୦୧୭ ଗଣନା ଅନୁଯାୟୀ ଭାରତରେ ୩୦ ହଜାର ହାତୀ ରହିଛନ୍ତି । ଏହା ବିଶ୍ୱରେ ମୋଟ ହାତୀ ସଂଖ୍ୟାର ୬୦ ପ୍ରତିଶତ । କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ, ରାଜ୍ୟ ବନ ବିଭାଗ ଏବଂ ୱାଇଲଡ୍ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ବିଗତ ଦୁଇବର୍ଷ ଧରି ସର୍ଭେ କରାଯିବାପରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।
ଦେଶର ଚାରିଟି ହାତୀ ରହୁଥିବା ଅଞ୍ଚଳ ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ଅଞ୍ଚଳରେ ସର୍ବାଧିକ ୫୨ଟି ହାତୀ କରିଡର କାର୍ଯ୍ୟ କରୁଛି । ଏହାପଛକୁ ଉତ୍ତର-ପୂର୍ବାଞ୍ଚଳରେ ୪୮, ଦକ୍ଷିଣାଞ୍ଚଳରେ ୩୨ ଏବଂ ଉତ୍ତରାଞ୍ଚଳରେ ୧୮ଟି କରିଡର ରହିଛି । ୧୫୦ ମଧ୍ୟରୁ ୧୨୬ଟି କରିଡର ନିର୍ଦ୍ଦିଷ୍ଟ ରାଜ୍ୟର ଭୌଗଳିକ ସୀମା ମଧ୍ୟରେ ରହିଥିବାବେଳେ ୧୯ଟି କରିଡର ଦୁଇଟି ରାଜ୍ୟର ସୀମାରେ ଏବଂ ଅବଶିଷ୍ଟ ୬ଟି ଭାରତ-ନେପାଳ ସୀମା (ମୁଖ୍ୟତଃ ଉତ୍ତର ପ୍ରଦେଶ)ରେ ରହିଥିବା କୁହାଯାଇଛି । ରିପୋର୍ଟ ମୁତାବକ ମହାରାଷ୍ଟ୍ର, ଛତିଶଗଡ, ମଧ୍ୟପ୍ରଦେଶରେ ହାତୀପଲ ସେମାନଙ୍କର ବିଚରଣ ପରିସୀମା ବୃଦ୍ଧି କରିଥିବା ଲକ୍ଷ୍ୟ କରାଯାଇଛି । ଏପରିକି ଓଡ଼ିଶାର ଦକ୍ଷିଣାଞ୍ଚଳରେ ଥିବା ହାତୀପଲ ଆନ୍ଧ୍ରକୁ ଚାଲିଯାଉଥିବାର ଦୃଷ୍ଟାନ୍ତ ରହିଛି । ସାଧାରଣତଃ ହାତୀପଲ ଦିନକୁ ଅତିକମରେ ୫୦ରୁ ୬୦ କିମି ପର୍ଯ୍ୟନ୍ତ ଚାଲିଥାନ୍ତି । ତେଣୁ ରାଜ୍ୟଗୁଡିକର ଭୌଗଳିକ ସୀମା ନିର୍ଦ୍ଧାରଣ କରିବା ସେମାନଙ୍କ ପକ୍ଷରେ ଅସମ୍ଭବ ।
[ad_2]