ରାଜ୍ୟ

କମୁଛି ସରକାରୀ ବିଶ୍ବବିଦ୍ୟାଳୟର ସ୍ବତନ୍ତ୍ରତା: ପ୍ରତି କ୍ଷେତ୍ରରେ ଲଗାମ ଲଗାଉଛନ୍ତି ରାଜ୍ୟ ସରକାର – Ibnodisha

[ad_1]

ବିଶ୍ବବିଦ୍ୟାଳୟ ହାତରୁ ଛଡ଼ାଇନେଲେ ଶିକ୍ଷା କ୍ୟାଲେଣ୍ଡର, ସିଣ୍ଡିକେଟ୍‌ରେ କ’ଣ ଆଲୋଚନା ହେବ ତାହା ସ୍ଥିର କରିବେ

ଭୁବନେଶ୍ବର: ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ଆଇନ-୨୦୨୦ ମାଧ୍ୟମରେ ବିଶ୍ବବିଦ୍ୟାଳୟଗୁଡ଼ିକର କ୍ଷମତା ହ୍ରାସ କରାଯାଇଛି। ପ୍ରଫେସର ନିଯୁକ୍ତିଠାରୁ ଆରମ୍ଭ କରି ଅଣଶିକ୍ଷକ ପଦବି ପୂରଣ ପର୍ଯ୍ୟନ୍ତ, ସବୁଠି ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ରହିଛି। ଆଳଙ୍କାରିକ ସଂସ୍ଥା କହି ବିଶ୍ବବିଦ୍ୟାଳୟ ସିନେଟ୍‌କୁ ରାଜ୍ୟ ସରକାର ଉଚ୍ଛେଦ କରିଛନ୍ତି। ସିଣ୍ଡିକେଟ୍‌ର ପୁନର୍ଗଠନ ହୋଇଛି। ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ କିମ୍ବା ତାଙ୍କର ପ୍ରତିନିଧି(ଯୁଗ୍ମ ସଚିବ ତଳକୁ ହୋଇ ନଥିବେ) ଏକ୍ସ ଅଫିସିଓ ସଦସ୍ୟ ରହିଛନ୍ତି। ଉଚ୍ଚଶିକ୍ଷା ବିଭାଗର ନିର୍ଦେଶକଙ୍କ ବଦଳରେ ଆଞ୍ଚଳିକ ନିର୍ଦେଶକ ପଦସୂତ୍ରରେ ସଦସ୍ୟ ରହିଛନ୍ତି। ସିଣ୍ଡିକେଟ୍‌କୁ ମନୋନୀତ ହେଉଥିବା ୬ଜଣ ପ୍ରତିନିଧିଙ୍କ ମଧ୍ୟରେ ୩ଜଣ କୁଳାଧିପତି ଓ ୩ଜଣ ରାଜ୍ୟ ସରକାରଙ୍କ ଦ୍ବାରା ଚୟନ ହେଉଛନ୍ତି।

୨୦୨୦ ସଂଶୋଧିତ ଆଇନ ବଳରେ ବିଶ୍ବବିଦ୍ୟାଳୟଗୁଡ଼ିକର ସ୍ବତନ୍ତ୍ରତା ରାଜ୍ୟ ସରକାର ନିଜ ହାତକୁ ନେଇସାରିଛନ୍ତି। କେବଳ କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷ କରିବା ବ୍ୟତୀତ ଆଉ କୌଣସି ସୁବିଧା ନ ଥିବାରୁ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସଂଶୋଧିତ ଆଇନ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଚାଲିଥିବା ବେଳେ ଏହାରି ଭିତରେ ବିଶ୍ବବିଦ୍ୟାଳୟର ସ୍ବତନ୍ତ୍ରତା ଆହୁରି ହ୍ରାସ କରାଯାଇଛି। ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଖୋଲିବା ଉପରେ ରାଜଭବନ ପକ୍ଷରୁ କଟକଣା ଲଗାଯିବା ପରେ ଏବେ ରାଜ୍ୟ ସରକାର ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରିଛନ୍ତି। ପୂର୍ବରୁ ବିଶ୍ବବିଦ୍ୟାଳୟଗୁଡ଼ିକ ନିଜସ୍ବ ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରୁଥିଲେ। ପିଲାମାନଙ୍କ ପାଠପଢ଼ା କେଉଁଭଳି ହେବ, ଦୈନିକ କେତୋଟି କ୍ଲାସ ରହିବ, କେଉଁ ସମୟରେ କର୍ମଶାଳା, ଆଲୋଚନାଚକ୍ର ଆଦି କରାଯିବ ସେନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଉଥିଲେ। ମାତ୍ର ୨୦୨୩-୨୪ ଶିକ୍ଷାବର୍ଷ ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟଗୁଡ଼ିକ ପାଇଁ କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଛି ଏବଂ ତାହାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ ବୈଠକ କିଭଳି ହେବ ସେନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ବିଶ୍ବବିଦ୍ୟାଳୟ କୁଳସଚିବମାନେ ବୈଠକର ୧୫ ଦିନ ପୂର୍ବରୁ ଉଚ୍ଚଶିକ୍ଷା ସଚିବଙ୍କ ନିକଟକୁ ସିଣ୍ଡିକେଟ୍‌ ବୈଠକର ଏଜେଣ୍ଡା ପଠାଇବେ। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ବୈଠକର ରୂପରେଖ ପ୍ରସ୍ତୁତ କରିବେ। ପ୍ରତି ବୈଠକ ନିଷ୍ପତ୍ତିକୁ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ପ୍ରତିନିଧି ତଦାରଖ କରିବା ପରେ ନିଷ୍ପତ୍ତି ପ୍ରକାଶ ପାଇବ। ଏଥିରେ କୌଣସି ବ୍ୟତିକ୍ରମ ହେଲେ ସମ୍ପୃକ୍ତ ବିଶ୍ବବିଦ୍ୟାଳୟର ବିଭାଗୀୟ ଅଧିକାରୀ ଦାୟୀ ରହିବେ। ବୈଠକରେ ଯୋଗଦେଇଥିବା ବିଭାଗୀୟ ଅଧିକାରୀ ଦୁଇ ଦିନ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରି ଉଚ୍ଚଶିକ୍ଷା ସଚିବଙ୍କ ନିକଟରେ ଦାଖଲ କରିବେ।

ଗୋଟିଏ ପରେ ଗୋଟିଏ ଘଟଣାରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦ୍ବାରା ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ରତା ବୋଲି କିଛି ରହୁ ନ ଥିବା ଜଣେ ପୂର୍ବତନ କୁଳପତି କହିଛନ୍ତି। ତାଙ୍କ କହିବାନୁଯାୟୀ ବିଶ୍ବବିଦ୍ୟାଳୟ ଶୈକ୍ଷିକ ଓ ପ୍ରଶାସନିକ ସ୍ବତନ୍ତ୍ରତାରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ରହୁଛି। ବିଶ୍ବବିଦ୍ୟାଳୟ ନିଜର କୌଣସି ନିଷ୍ପତ୍ତି ନିଷ୍ପତ୍ତି ନେଇପାରିବ ନାହିଁ। ପୂର୍ବରୁ ପରିସ୍ଥିତିକୁ ଦେଖି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ଇଚ୍ଛାରେ ଛୁଟି ପରିବର୍ତ୍ତନ କରିପାରୁ ଥିଲେ। ପୂର୍ବରୁ କେବଳ ଏତିକି ଦିନ ଛୁଟି ହେବ ବୋଲି କହୁଥିଲେ। ମାତ୍ର ଏବେ ଯେଉଁଭଳି ହସ୍ତକ୍ଷେପ କରାଯାଇଛି ତାହା ଦ୍ବାରା ଶୈକ୍ଷିକ ବାତାବରଣ ପ୍ରଭାବିତ ହେବେ। ମଙ୍ଗଳବାରରେ ଆଲୋଚନାଚକ୍ର କରିବା ନେଇ କ୍ୟାଲେଣ୍ଡରରେ ଯାହା କୁହାଯାଇଛି ଏହାଦ୍ବାରା ସମସ୍ତ ବିଭାଗର ଆଲୋଚନା ଗୋଟିଏ ସମୟରେ ହେବ। ଫଳରେ ରାଜ୍ୟ ସରକାର ଯେଉଁ ମଲ୍‌ଟି ଟ୍ୟାଲେଣ୍ଟ ବାହାର କରିବା କଥା କହୁଛନ୍ତି ତାହା ପ୍ରଭାବିତ ହେବେ। ଏକକ ଶିକ୍ଷାବର୍ଷ କ୍ୟାଲେଣ୍ଡର୍‌ ପ୍ରସ୍ତୁତ ବାହାନାରେ କରାଯାଇଥିବା ଏହି ନିୟମ ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି କରିପାରେ ବୋଲି ଆଶଙ୍କା ଦେଖାଦେଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button