ରାଜନୀତି

ବିଜୁ ଅନୁଗତ ଏବେ ଅଲୋଡ଼ା: ବିଜେଡିରେ ଆମଦାନୀ ନେତା ସାଜିଛନ୍ତି ସର୍ବେସର୍ବା – Ibnodisha

[ad_1]

ବଟକୃଷ୍ଣ ବିହାରୀ
ବାରିପଦା: ଦିନେ ମୟୂରଭଞ୍ଜରେ ବିଜୁ ବାବୁଙ୍କ ଏକାନ୍ତ ଅନୁଗତ ଥିବା ମୟୂରଭଞ୍ଜର ଦକ୍ଷ ଓ ଅନୁଭବୀ ନେତାମାନେ ଏବେ ବିଜେଡି ପାଇଁ ଅଲୋଡ଼ା ହୋଇପଡ଼ିଛନ୍ତି। ଦଳ ସେମାନଙ୍କ ପରାମର୍ଶ ନେବା ତ ଦୂରର କଥା, ସମ୍ମାନ ଟିକେ ବି ଦେଉନି। ହେଲେ ଅନ୍ୟ ଦଳରୁ ଆମଦାନୀ ନେତାମାନେ ଜିଲ୍ଲା ବିଜେଡିର ସର୍ବେସର୍ବା ହୋଇଛନ୍ତି। ଏହାକୁ ନେଇ ବିଜୁ ଅନୁଗତଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି।

ମୟୂରଭଞ୍ଜର ଜଣେ ଜଣାଶୁଣା ଟାଣୁଆ ନେତା ହେଲେ ବୀରଭଦ୍ର ସିଂ। ଉତ୍କଳ ବିଶ୍ବବିଦ୍ୟାଳୟରୁ ଛାତ୍ରନେତା ଭାବେ ପରିଚୟ ପାଇଥିବା ବୀ‌ରଭଦ୍ର ବିଜୁ ବାବୁଙ୍କ ଖାସ୍ ଅନୁଗତ ଥିଲେ। ବିଜୁ ବାବୁଙ୍କ ନୀତିଆଦର୍ଶ‌ରେ ଅନୁପ୍ରାଣିତ ହୋଇ ସେ ଶିକ୍ଷକ ବୃତ୍ତି ଛାଡ଼ି ରାଜନୀତିକୁ ଆସିଥିଲେ। ବିଜୁ ବାବୁଙ୍କ ମୃତ୍ୟୁ ପରେ ବୀରଭଦ୍ରଙ୍କୁ ରାଜ୍ୟସଭା ପଠାଇଥିଲେ ନବୀନ। ହେଲେ ସାଂସଦ ଭାବେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରଠୁ ସେ ଦଳରେ ଅଲୋଡ଼ା ହୋଇପଡ଼ିଛନ୍ତି। ବୀରଭଦ୍ର ଦଳରେ ଥିଲେ ବି କେହି ତାଙ୍କୁ ପଚାରୁ ନାହାନ୍ତି କି କାର୍ଯ୍ୟକ୍ରମକୁ ଡାକୁ ନାହାନ୍ତି ବୋଲି କ୍ଷୋଭର ସହ କହିଛନ୍ତି। ମୟୂରଭଞ୍ଜରେ ବିଜେଡିର ମୂଳଦୁଆ ପକାଇଥିବା ନେତାଙ୍କ ମଧ୍ୟରୁ ଆଉଜଣେ ହେଲେ ରଘୁନାଥ ମହାନ୍ତି। ହେଲେ ଦଳ ତାଙ୍କୁ କୌଣସି ପଦପଦବି ଦେଲାନି। ରଘୁନାଥଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଜିତେନ୍ଦ୍ର ମହାନ୍ତି ବିଜେଡିରେ ବେଶ୍‌ ସକ୍ରିୟ ଥିଲେ। ଦଳୀୟ ସଂଗଠନ ଓ ନିର୍ବାଚନରେ ବାରମ୍ବାର ନିଜ ଦକ୍ଷତା ପ୍ରମାଣିତ କରିଥିଲେ ବି ତାଙ୍କୁ ଦଳରେ କୋଣଠେସା କରାଯାଉଥିବା ସମର୍ଥକମାନେ ଅଭିଯୋଗ ଆଣିଛନ୍ତି। ବିଜେଡିର ଅନ୍ୟତମ ଟାଣୁଆ ନେତା ହେଉଛନ୍ତି ଅମର ସିଂ ଟୁଡ଼ୁ। ସେ ୨୦୧୯ ସାଧାରଣ ନିର୍ବାଚନରେ ସାରସକଣାରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ନିର୍ବାଚନ ବେଳେ ଦଳୀୟ କିଛି ନେତା ତାଙ୍କୁ ଜାଣିଶୁଣି ହରାଇ ଦେଇଥିଲେ ବୋଲି ସମର୍ଥକମାନେ ଅଭିଯୋଗ କରନ୍ତି। ନିର୍ବାଚନରେ ହାରିଯିବା ପରେ ଦଳ ଅମରଙ୍କୁ ଆଉ ପଚାରୁନାହିଁ।

ସାଂଗଠନିକ ଦକ୍ଷତା ଓ ନେତୃତ୍ବକୁ ବିଚାର କରି ଦଳ ଦିନେ ଯାହାକୁ ବିଧାୟକ ପ୍ରାର୍ଥୀ କରିଥିଲା, ‌ସେ ଏବେ ସରପଞ୍ଚ ହୋଇ ନିଜ ଅଞ୍ଚଳର କଥା ବୁଝୁଛନ୍ତି। କେବଳ ଏମାନେ ନୁହଁନ୍ତି; ଉଦଳାର ପୂର୍ବତନ ବିଧାୟକ ରୋହିଦା ସୋରେନଙ୍କ ପୁଅ ଦୁଲାଲ ସୋରେନ, କୁଳିଅଣାର ପୂର୍ବତନ ବିଧାୟକ କାହ୍ନୁ ସୋ‌ରେନ, କୋହିନୁର ଇସଲାମ, ଅବନୀ ମହାନ୍ତ, ବୈଦ୍ୟନାଥ ମହାନ୍ତ, କୃଷ୍ଣମୋହନ ବେହେରା, ଦିଲ୍ଲୀପ କୁମ‌ାର ସାହୁ, ବରିଷ୍ଠ ନେତା ରାଜକିଶୋର ଆଚାର୍ଯ୍ୟ, ଜ୍ଞାନରଂଜନ ଦାସ, ସୁଶାନ୍ତ କୁମାର ବଳା, ପ୍ରଫୁଲ୍ଲ ଦ‌ଳେଇ, ପଙ୍କଜ ଦାସ, ଅନାମ ମହାନ୍ତ ପୂର୍ବତନ ବିଧାୟକ ଛତିଶ ଚନ୍ଦ୍ର ଧଳଙ୍କ ପରି ବହୁ ବିଜୁ ବାବୁଙ୍କ ଅନୁଗତ ଦଳରେ ଥାଇ ବି ନଥିଲା ଭଳି। ଏପରି ସମୟରେ ବିଭିନ୍ନ ଦଳରୁ ଆମଦାନୀ ନେତା କିନ୍ତୁ ବି‌ଜେଡିର ସର୍ବେସର୍ବା ସାଜିଛନ୍ତି। ଜେଏମ୍‌ଏମ୍‌ରୁ ଆସିଥିବା ସୁଦାମ ମାରାଣ୍ଡି ଦଳର ଜିଲ୍ଲା ସଭ‌ାପତି ଓ କ୍ୟାବିନେଟ୍‌ ମନ୍ତ୍ରୀ। ବିଜେପିର ବରିଷ୍ଠ ନେତା ରାଜକିଶୋର ଦାସ ୨୦୧୯ରେ ଦଳୀୟ ଟିକେଟ୍‌ ନପାଇବାରୁ ଶେଷ ମୁହୂର୍ତ୍ତରେ ବିଜେଡିରେ ଯୋଗଦେଇଥିଲେ। ବିଜେଡି ଟିକେଟ୍‌ରେ ନିର୍ବାଚନ ଲଢ଼ି ବିଜୟୀ ହେବା ସହ ମୋରଡ଼ା ବିଧାୟକ ହୋଇଛନ୍ତି। ଦଳରେ ଯାହାଙ୍କ କାଟ୍‌ତି ଦଳରେ ଢେର ଅଧିକ। ଭାଦବ ହାଁସଦା ଜେଏମ୍‌ଏମ୍‌ରୁ ଆସି ବିଜେଡି ଟିକେଟ୍‌​ରେ ଥରେ ବିଧାୟକ ହୋଇଥିବା ବେଳେ ଆସନ୍ତା ନିର୍ବାଚନ ପାଇଁ ସାରସକଣାରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଲବିରେ ଅଛନ୍ତି।

ବିଜେପିର ସାନନ୍ଦ ମାରାଣ୍ଡି ବିଜେଡିରୁ ୨ଥର ବିଧାୟକ ସହ ଉପ ବାଚସ୍ପତି ହୋଇଛନ୍ତି। ସେ ଏଥର ବାରିପଦାରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଭାରତୀ ହାଁସଦା ଜନତା ଦଳରୁ ବିଜେପିକୁ ଯାଇଥିଲେ। ପରେ ବି‌ଜେଡିରେ ଯୋଗଦେଇ ଏବେ ଜିଲ୍ଲା ପରିଷଦ ସଭ‌ାପତି ଅଛନ୍ତି। ମହିଳା ନେତ୍ରୀ ଛବି ମାହାଲି ଅନ୍ୟ ଦଳରୁ ଆସି ବିଜେଡିରେ ଯୋଗଦେଇଛନ୍ତି ଏବଂ ରାଜ୍ୟ ଯୁବ ବିଜେଡିର ରାଜ୍ୟ ଉପ ସଭାପତି ଭାବେ କାମ କରୁଛନ୍ତି। କଂଗ୍ରେସର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଥିବା କମଳା ତିରିଆ ବିଜେଡିରେ ଯୋଗ ଦେଇଥିଲେ। ବତ୍ତର୍ମାନ ସେ ମୟୂରଭଞ୍ଜ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଅଛନ୍ତି। କଂଗ୍ରେସର ଯୁବନେତା ଗଣେଶ୍ବର ପାତ୍ର ଦଳ ଛାଡ଼ି ୨୦୧୪ରେ ବିଜେଡି ଟିକେଟ୍‌ରେ ବଡ଼ସାହିରୁ ବିଧାୟକ ହୋଇଥିଲେ। ଗତଥର ଦଳ ତାଙ୍କୁ ଟିକେଟ୍‌‌ ଦେଇ ନଥିଲା ବେ‌ଳେ ଏଥର ସେ ଟିକେଟ୍‌ ଦୌଡ଼ରେ ଥିବା ଚର୍ଚ୍ଚା ହେଉଛି। ସେହିପରି ପ୍ରିୟବ୍ରତ ମାରାଣ୍ଡି କଂଗ୍ରେସରୁ ବିଜେପିକୁ ଯାଇଥିଲେ। ପରବର୍ତ୍ତୀ ସମୟରେ ବିଜେଡି​ରେ ମିଶି ଦଳର ରାଜ୍ୟ ମିଡିଆ ସେଲ୍‌ ମୁଖପାତ୍ର ହୋଇଛନ୍ତି। କୃଷ୍ଣାନନ୍ଦ ମହାନ୍ତି ‌ଜେଏମ୍‌ଏମ୍‌ରୁ ବିଜେଡିକୁ ଆସି ବାରିପଦା ନଗରପାଳ ହେବାର ସୌଭାଗ୍ୟ ପାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button