ମନୋରଞ୍ଜନ

ଅଭାବ ପୂରଣ ହେଲା: ଅଫ୍ ରିଲ୍‌ସ, ରୋମାନ୍ସ ଆଣ୍ଡ ରିଟେକ୍‌ସ – Ibnodisha

[ad_1]

ସିନେମାରେ ରୁଚି ରଖୁଥିବା ସାଧାରଣ ପାଠକଙ୍କଠାରୁ ଆରମ୍ଭ କରି ସିନେମା ଶିଳ୍ପ ସହ ସଂପୃକ୍ତ ଲୋକ ତଥା ସିନେ ଗବେଷକମାନଙ୍କର ଗୋଟିଏ ବଡ଼ ଅଭିଯୋଗ ରହି ଆସିଥିଲା ଯେ ଓଡ଼ିଆ ସିନେମା ବା ଓଡ଼ିଆ ସିନେମାର ଇତିହାସକୁ ନେଇ ଓଡ଼ିଆରେ କେତେ ଖଣ୍ଡ ବହି ଥିଲେ ହେଁ, ଇଂରାଜୀରେ ଏ ବିଷୟରେ ଗୋଟିଏ ହେଲେ ବହି ନ ଥିଲା। ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ର ରିଲିଜକୁ ଦେଖିଲେ, ଓଡ଼ିଆ ସିନେମାର ଇତିହାସ ପ୍ରାୟ ୯୦ ବର୍ଷ ପୁରୁଣା। ଏଇ ୯୦ ବର୍ଷ ଭିତରେ ଅନ୍ତତଃ ଅନ୍ୟ ଭାଷାର ପାଠକ ଓ ଗବେଷକଙ୍କ ପାଇଁ ଇଂରାଜୀରେ ଏହାକୁ ନେଇ ଖଣ୍ଡିଏ ହେଲେ ନ ଥିବା ଆଶ୍ଚର୍ଯ୍ୟର ବିଷୟ ନିଶ୍ଚୟ।

ତେବେ ଏଇ ଅଭାବକୁ ପୂରଣ କରିଛି ନିକଟରେ ପ୍ରକାଶିତ ‘ଅଫ୍ ରିଲ୍‌ସ, ରୋମାନ୍ସ ଆଣ୍ଡ ରିଟେକ୍‌ସ: ସୋସିଆଲ ନାରେଟିଭ୍‌ସ ଅଫ୍ ସିନେମା ଇନ୍ ଓଡ଼ିଶା’। ଏକ ଅନ୍ତର୍ଜାତୀୟ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ଏ ବହିର ଲେ ଖକ ସଂଜୟ ପଟ୍ଟନାୟକ ଅନେକ ବର୍ଷ ଧରି ଅର୍ଥନୈତିକ, ସାମାଜିକ ତଥା ରାଜନୈତିକ ବିକାଶ ଅଧ୍ୟୟନ କ୍ଷେତ୍ରରେ କାମ କରିଛନ୍ତି। ଜେଏନ୍‌ୟୁରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପଢ଼ିଥିବା ଶ୍ରୀ ପଟ୍ଟନାୟକଙ୍କ ବାପା ଜଣେ ପ୍ରତିଷ୍ଠିତ ନାଟ୍ୟକାର ଗୋପାଳଚନ୍ଦ୍ର ପଟ୍ଟନାୟକ। ସେହି ପ୍ରଭାବରେ ପିଲାଟିବେଳୁ ତାଙ୍କର ସାହିତ୍ୟ, ନାଟକ ଓ ସିନେମା ପ୍ରତି ରୁଚି ରହିଥିଲା। ତାଙ୍କୁ ଯେବେ ୧୦ ବର୍ଷ ହୋଇଥିଲା, ବାପାଙ୍କର ପରିଚୟ ଥିବାରୁ ମନମୋହନ ମହାପାତ୍ରଙ୍କର ଚର୍ଚ୍ଚିତ ଫିଲ୍ମ ‘ଶୀତରାତି’ରେ ସେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ ମଧ୍ୟ କରିଥିଲେ। ଅନ୍ୟ ନାଟକ ମଧ୍ୟ ଚାଲିଥିଲା। ତେଣୁ ଜେଏନ୍‌ୟୁ ଯିବା ପୂର୍ବରୁ, ବିଏ ପାସ୍‌ କରିବା ପରେ ପୁନା ସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ (ଏଫ୍‌ଟିଆଇଆଇ)ରେ ସେ ଗୋଟିଏ ଫିଲ୍ମ ଆପ୍ରିସିଏସନ୍ କୋର୍ସ କରିଥିଲେ। ନିଜ ପୋସାଗତ କାମ ଭିତରେ ସଂଜୟ ୨୦୧୪ରେ ‘ଶୁକ ଆସୁଛି’ ବୋଲି ଗୋଟିଏ ଫିଲ୍ମ ତିଆରି କରିଥିଲେ। ସେଥିରେ କମ୍ପାନି ଓ ଖଣି ମାଫିଆଙ୍କ ଦ୍ବାରା ଶୋଷିତ ଏକ ପରିବାରର କାହାଣୀ କହିଥିଲେ। ଫିଲ୍ମଟି ରାଜ୍ୟ ପୁରସ୍କାର ପାଇଥିଲା ।

ଓଡ଼ିଆ ସିନେମା ସଂପର୍କରେ ବିଶେଷ କିଛି ବହି ବା ତଥ୍ୟ ଉପଲବ୍ଧ ନ ଥିବାରୁ ସଂଜୟ ଏ ବହିଟି ଲେଖିବା ଲାଗି ମୁଖ୍ୟତଃ ଫିଲ୍ମ ସହିତ ସଂପୃକ୍ତ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସାକ୍ଷାତ କରିଛନ୍ତି। ଅବଶ୍ୟ ଆହୁରି ଅନେକ ସୂତ୍ରରୁ ସୂଚନା ଆଣି ଗୁନ୍ଥିଛନ୍ତି। ବହିର ଏକ ଅନ୍ୟତମ ପ୍ରମୁଖ ଆକର୍ଷଣୀୟ ଦିଗ ହେଉଛି, ଲେଖକ ଓଡ଼ିଆ ସିନେମାକୁ ଓଡ଼ିଆ ପରିଚୟର ଏକ ଶକ୍ତିଶାଳୀ ମାନକ ଭାବେ ଗ୍ରହଣ କରିଛନ୍ତି। ୧୯୩୬, ଏପ୍ରିଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବାର ଅଳ୍ପ କିଛିଦିନ ଭିତରେ, ସେହି ୧୯୩୬ ଏପ୍ରିଲର ଶେଷ ଭାଗରେ ରିଲିଜ୍ ହୋଇଥିଲା ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’। ଏହାକୁ ଓଡ଼ିଶା, ଓଡ଼ିଆ ଭାଷା ଓ ଓଡ଼ିଆ କଳା ସଂସ୍କୃତିର ସ୍ବତନ୍ତ୍ରତା ପରିପ୍ରକାଶ କରିବାର ଏକ ଶକ୍ତିଶାଳୀ ପ୍ରୟାସ ଓ ଘଟଣା ବୋଲି ଲେଖକ ଗ୍ରହଣ କରିଛନ୍ତି। ସ୍ବାଧୀନତା ଆନ୍ଦୋଳନ ଓ ସ୍ବାଧୀନତା ପ୍ରାପ୍ତି ସମୟର ଓଡ଼ିଶାର ଚିତ୍ର ଓଡ଼ିଆ ସିନେମାରେ କିଭଳି ପ୍ରତିଫଳିତ ହୋଇଛି, ତାହାକୁ ସାମାଜିକ ବିକାଶ ଅଧ୍ୟୟନର ଜଣେ ଗବେଷକର ଦୃଷ୍ଟିକୋଣରୁ ସେ ଦେଖିବାକୁ ଓ କହିବାକୁ ଚାହିଛନ୍ତି। ବହିର ଶେଷ ଅଂଶରେ ଓଡ଼ିଆତ୍ବର ଏକ ଈର୍ଷଣୀୟ ପରିଚୟ ଭାବେ ଗ୍ରହଣୀୟ ହୋଇ ଆସିଥିବା ଓଡ଼ିଆ ସିନେମା ଦିନେ କେମିତି ସେ ସ୍ଥାନରୁ ତଳକୁ ଖସିପଡ଼ିଲା, ତା’ର ବିଶ୍ଳେଷଣ ମଧ୍ୟ ରହିଛି। ବହିଟିର ପୃଷ୍ଠା ଗୁଡ଼ିକରୁ ଓଡ଼ିଶାର ଇତିହାସକୁ ସିନେମାର ଦୃଷ୍ଟିକୋଣରୁ ସମାନ୍ତରାଳ ଭାବେ ଦେଖିବା ସମ୍ଭବ ହୋଇପାରେ! ମୋଟ ଉପରେ ‘ଅଫ୍ ରିଲ୍‌ସ, ରୋମାନ୍ସ ଆଣ୍ଡ ରିଟେକ୍‌ସ’ ଓଡ଼ିଆ ସିନେମା ଓ ସଂ ସ୍କୃତିପ୍ରେମୀ, ସିନେମାର ଛାତ୍ର ତଥା ସାଧାରଣ ପ‌ାଠକଙ୍କ ପାଇଁ ଏକ ସୁନ୍ଦର ଉପହାର ବୋଲି କୁହାଯିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button