ବାହାଘର ପରେ ବି ବଲିଉଡ୍ ନାୟିକା ଲୋକପ୍ରିୟ : ଶ୍ରେଷ୍ଠ ୯ ଜଣଙ୍କ ଭିତରୁ ୭ ବିବାହିତା – Ibnodisha

[ad_1]

ଏକଦା ବଲିଉଡ୍ରେ ବାହାଘରକୁ ତାରକାମାନେ ଭୟ କରୁଥିଲେ। ଏମିତିକି ଅଭିନେତାମାନେ ମଧ୍ୟ ନିଜ ବାହାଘରକୁ ଲୁଚାଉଥିଲେ। ଭୟ ଥିଲା, ବାହା ହେଇଗଲେ ତାଙ୍କ ଲୋକପ୍ରିୟତା କମିଯିବ! ନାୟିକାମାନଙ୍କ କଥା ତ ଥିଲା ଆହୁରି ସଙ୍ଗୀନ। ଏକ ସମୟ ଥିଲା, ଅଭିନେତ୍ରୀମାନେ ଯେତେଦିନ ସମ୍ଭବ, ଅଭିନୟ କରୁଥିଲେ; ଯେତେବେଳେ ଆଉ ଅଧିକ କିଛି ଆଶା ରହୁ ନ ଥିଲା ବା ଟିକେ ବୟସ ହୋଇ ଯାଉଥିଲା, ସେତେବେଳେ ବାହା ହୋଇ ଅଭିନୟକୁ ବାୟ ବାୟ କହି ଘର ସଂସାରରେ ମାତୁଥିଲେ। କିନ୍ତୁ ସମୟ ଢ଼େର୍ ବଦଳିଲାଣି।
ଏତେ ଏତେ ଅବିବାହିତ ଓ ହ୍ୟାଣ୍ଡସମ୍ ଯୁବ ଅଭିନେତା ଥିଲେ ହେଁ, ଫିଲ୍ମରେ ଅଭିନୟ ଜୀବନ ଆରମ୍ଭ କରିବା ପୂର୍ବରୁ ବି ବାହା ହୋଇ ସାରିଥିବା ଶାହରୁଖ୍ ଖାଁ ୩୦ ବର୍ଷ ପରେ ଆଜି ମଧ୍ୟ ବଲିଉଡ୍ର ସବୁଠୁ ଲୋକପ୍ରିୟ ରୋମାଂଟିକ୍ ନାୟକ ଭାବେ ସ୍ବୀକୃତି ପାଉଛନ୍ତି। ବିବାହିତା ଅଭିନେତ୍ରୀମାନେ ବି ପଛରେ ପଡ଼ି ନାହାନ୍ତି। ଫିଲ୍ମର ସଫଳତା ସହିତ ଆହୁରି ଏକାଧିକ ମାନକର ଆଧାରରେ ଓର୍ମାକ୍ସ ଦ୍ବାରା ପ୍ରସ୍ତୁତ ସବୁଠୁ ଲୋକପ୍ରିୟ ବଲିଉଡ୍ ନାୟିକାମାନଙ୍କର ଏକ ତାଲିକାର ପ୍ରଥମ ୪ଟି ସ୍ଥାନରେ ଅଛନ୍ତି ବିବାହିତା ଅଭିନେତ୍ରୀ। କେବଳ ସେତିକି ନୁହେଁ, ସେ ତାଲିକାରେ ଥିବା ମୋଟ ୯ ଜଣ ଅଭିନେତ୍ରୀଙ୍କ ଭିତରେ ବାହା ହୋଇ ନ ଥିବା ଅଭିନେତ୍ରୀଙ୍କ ସଂଖ୍ୟା ମାତ୍ର ୨। ଏ ତାଲିକା ଅନୁସାରେ, ବିବାହିତା ଆଲିଆ ଭଟ୍ଟ ବର୍ତ୍ତମାନ ବଲିଉଡ୍ର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ। ତାଙ୍କଠୁ ଖୁବ୍ କମ୍ ବ୍ୟବଧାନରେ ଥିବା ଦୀପିକା ପାଦୁକୋନ୍ ଏ ତାଲିକାରେ ଦ୍ବିତୀୟ ସ୍ଥାନରେ ଅଛନ୍ତି। ସେ ବି ତ ବାହା ହୋଇ ସାରିଛନ୍ତି। ତୃତୀୟରେ ଅଛନ୍ତି ଆଉଜଣେ ବିବାହିତା ସୁନ୍ଦରୀ- କିଆରା ଆଡ୍ଭାନୀ। ସେମିତି ଚତୁର୍ଥରେ ଅଛନ୍ତି ବିବାହିତା କ୍ୟାଟ୍ରିନା କୈଫ୍।
କେବଳ ପଞ୍ଚମ ଓ ଷଷ୍ଠ ସ୍ଥାନରେ ଅଛନ୍ତି ୨ ଜଣ ଅବିବାହିତା – ପଞ୍ଚମରେ କୀର୍ତ୍ତି ସାନୋନ୍ ଓ ତାଙ୍କପରେ ଷଷ୍ଠରେ ଶ୍ରଦ୍ଧା କପୁର୍। ସପ୍ତମ ଓ ଅଷ୍ଟମରେ ଅଛନ୍ତି ଯଥାକ୍ରମେ କରୀନା କପୁର୍ ଓ ପ୍ରିୟଙ୍କା ଚୋପ୍ରା। ଏମାନେ ଯେ ବାହା ହୋଇ ମାଆ ସାଜି ସାରିଲେଣି, ଏକଥା ପାଠକଙ୍କୁ ଅଜଣା ନାହିଁ। ଆଉ ମାସକ ପରେ ୫୦ ବର୍ଷ ପୂରଣ କରୁଥିବା ବିଶ୍ବସୁନ୍ଦରୀ ଐଶ୍ବର୍ଯ୍ୟା ରାୟଙ୍କର ଚାହିଦା ତଥାପି କମିନି। ସେ ଅଛନ୍ତି ସବୁଠୁ ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀଙ୍କ ତାଲିକାର ନବମ ସ୍ଥାନରେ।
[ad_2]




