IBN ଓଡ଼ିଶା ବ୍ୟୁରୋ

ବିନା କାରଣରେ ସରି କହିବା ଆପଣଙ୍କୁ ଅନ୍ୟ ପାଖରେ କରିଦିଏ ଶସ୍ତା, ତେଣୁ ଆଜି ହିଁ ଛାଡ଼ନ୍ତୁ ଏହି ବଦଭ୍ୟାସ

କିଛି ଲୋକଙ୍କ ସବୁକଥାରେ କ୍ଷମା ମାଗିବା ଅଭ୍ୟାସ ଥାଏ। ଠିକ୍‌ କରିଥିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳିବା ପାଇଁ ସେମାନେ ନିଜ ମୁଣ୍ଡ ଉପରକୁ ସବୁ ଦୋଷ ନେଇଯାଇଥାନ୍ତି। ଆପଣ ବି ଯଦି ସେମାନଙ୍କ ମଧ୍ୟରୁ ଜଣେ ତେବେ ଏହି ବଦଭ୍ୟାସକୁ ଆଜି ହିଁ ଛାଡ଼ନ୍ତୁ। ଜଣେ ସାଧାରଣ ବ୍ୟକ୍ତି ଦିନକୁ ପ୍ରାୟତଃ ୮ ଥର ସରି କହିଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡ଼ିଛି। ସେହିପରି ୮ ଜଣକରେ ଜଣେ ଲୋକ ଦିନକୁ ପ୍ରାୟ ୨୦ ଥର ସରି କହିଥାନ୍ତି। ବିଶେଷଜ୍ଞଙ୍କ ମତରେ କ୍ଷମା ମାଗିବା ଏକ ଭଲ ଅଭ୍ୟାସ, କିନ୍ତୁ ସବୁବେଳେ କ୍ଷମା ମାଗିବା ଆଦୌ ଭଲ ନୁହେଁ।

ବିଶେଷଜ୍ଞଙ୍କ କହିବାନୁସାରେ କ୍ଷମା ମାଗିବା ଯଦି ଅଭ୍ୟାସରେ ପରିଣତ ହୋଇଯାଇଥାଏ ତେବେ ତାହାକୁ ବନ୍ଦ କରିବା ଉଚିତ। ସରି କହିିବା ଦ୍ୱାରା ଯଦି କୌଣସି ସମ୍ପର୍କ ବଜାୟ ରହୁଛି ବା ମାନସିକ କଷ୍ଟ କମ୍‌ କରି ହେଉଛି ତେବେ ସରି କୁହନ୍ତୁ। କିନ୍ତୁ ସବୁବେଳେ ସରି କହିଲେ ସମ୍ପର୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ।

ରିସର୍ଚ୍ଚ ମୁତାବକ ଅଧିକ କ୍ଷମା ମାଗୁଥିବା ଲୋକଙ୍କ ଆତ୍ମବିଶ୍ୱାସ କମ୍‌ ବୋଲି ଅନ୍ୟମାନେ ଭାବିଥାନ୍ତି ଓ ଗୁରୁତ୍ୱ ଦେଇନଥାନ୍ତି। ଆଉ ଯଦି ପ୍ରତି ବାକ୍ୟରେ ଜଣେ ସରି ଶବ୍ଦ ବ୍ୟବହାର କରୁଛି ତେବେ ସେ ସାମ୍ନାରେ ଥିବା ଲୋକଙ୍କୁ ବୁଝେଇବାକୁ ଚେଷ୍ଟା କରୁଥିବା ଭଳି ପ୍ରତୀୟମାନ ହୋଇଥାଏ। ଏଣୁ ଏହି ଅଭ୍ୟାସକୁ ଯେତେ ଶୀଘ୍ର ପାରୁଛନ୍ତି ଛାଡ଼ନ୍ତୁ।

କୌଣସି କଥାରେ ସରି କହିବା ପୂର୍ବରୁ ସେଥିରେ ଆପଣଙ୍କ ଭୁଲ ଅଛି ନା ନାହିଁ ପ୍ରଥମେ ବିଚାର କରନ୍ତୁ। ଯଦି ଭୁଲ ଅଛି ତେବେ ଯାଇ ସରି କୁହନ୍ତୁ। ନଚେତ୍‌ ନିଜ କଥା ବା ମତାମତ ଜଣାଇ ଆପଣ ସେଭଳି କାହିଁକି କଲେ ତାହା ବୁଝାନ୍ତୁ।

ସବୁବେଳେ ସରି କହିବା ଅପେକ୍ଷା ଧନ୍ୟବାଦ କହିବା ଶିଖନ୍ତୁ। ଯଦି ଅଫିସରେ କୌଣସି କାମରେ କିଛି ଭୁଲ ହୋଇଗଲା ତେବେ ତତ୍‌କ୍ଷଣାତ୍‌ ସରି ନ କହି ଭୁଲ କେଉଁଠି ଅଛି ପ୍ରଥମେ ବୁଝନ୍ତୁ। ସମ୍ପୂର୍ଣ୍ଣ କଥା ବୁଝିଯିବା ପରେ ବସ୍‌ଙ୍କୁ ଧନ୍ୟବାଦ ଜଣାନ୍ତୁ। କ୍ଷମା ନ ମାଗି କିଛି ଏଭଳି ଶବ୍ଦ ବ୍ୟବହାର କରନ୍ତୁ ଯାହା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିପାରୁଥିବ।

ପ୍ରତି କଥାରେ ସରି କହିବା କିଛି ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଯାଇଥାଏ। ଆପଣ ବି ଯଦି ସେଥିମଧ୍ୟରୁ ଜଣେ ତେବେ ସରି କହୁଥିବା କାମଗୁଡ଼ିକୁ କରିବା ପ୍ରଥମେ ଛାଡ଼ନ୍ତୁ। ନିଜ କାମକୁ ମନ ଦେଇ କରନ୍ତୁ, ଯେମିତି ଆଉ କାହା ସାମ୍ନାରେ ଆପଣଙ୍କୁ କ୍ଷମା ମାଗିବାର ଆବଶ୍ୟକତା ପଡ଼ିବ ନାହିଁ।

ପୁରୁଣା ଅଭ୍ୟାସ ଗୋଟିଏ ରାତିରେ ବଦଳାଇବା ଅସମ୍ଭବ। ଧୀରେ ଧୀରେ ହିଁ କୌଣସି ଅଭ୍ୟାସକୁ ପରିବର୍ତ୍ତନ କରାଯାଇପାରିବ। ଯଦି ସରି କହିବା ଆପଣଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି ତେବେ ଏହାକୁ ଛାଡ଼ିବାକୁ ବି ସହଜ ଉପାୟ ରହିଛି। ଆପଣ ଦିନକୁ କେତେ ଥର ସରି କହୁଛନ୍ତି ତାହାକୁ ଗଣନ୍ତୁ। ବର୍ତ୍ତମାନ ଧୀରେ ଧୀରେ ଗୋଟିଏ ଗୋଟିଏ ଥରର ସରି କହିବା ଅଭ୍ୟାସକୁ ଛାଡ଼ନ୍ତୁ। ଦେଖିବେ ମାସେ ବା ବର୍ଷେ ଭିତରେ ଆପଣ କେତେବେଳେ ଏହି ଅଭ୍ୟାସକୁ ଛାଡ଼ି ଦେଇଥିବେ ନିଜେ ବି ଜାଣିପାରିବେ ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button