ରୋହିତଙ୍କ ସନ୍ନ୍ୟାସକୁ ନେଇ ବଢିଲା ଚର୍ଚ୍ଚା, ଲଣ୍ଡନରେ ପହଞ୍ଚିଲେ ହିଟମ୍ୟାନଙ୍କ ମାବାପା

ଇଂଲଣ୍ଡ ବିପକ୍ଷରେ ଭାରତ ଆସନ୍ତା ୧୯ ତାରିଖରେ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳିବ । ଏହି ମ୍ୟାଚ ରୋହିତଙ୍କ କ୍ୟାରିୟରର ଶେଷ ମ୍ୟାଚ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଯାହା ଫ୍ୟାନ୍ସଙ୍କ ପାଇଁ ବଡ଼ ଝଟକା ହୋଇପାରେ । ତେବେ ଏଯାଏଁ ରୋହିତ କିମ୍ବା ଚୟନକର୍ତ୍ତା, ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ । ଏହାରି ଭିତରେ ରୋହିତଙ୍କ ବାପାମା ଲର୍ଡ୍ସରେ ପହଞ୍ଚିଛନ୍ତି । ସାଧାରଣତଃ ରୋହିତଙ୍କ ବାପାମା ମଇଦାନକୁ ମ୍ୟାଚ ଦେଖିବା ପାଇଁ ଯାଆନ୍ତି ନାହିଁ ।
ରିପୋର୍ଟ ମୁତାବକ, ରୋହିତଙ୍କ ସନ୍ନ୍ୟାସ ନେବା ଚର୍ଚ୍ଚା ଭିତରେ ତାଙ୍କ ମା ବାପା ଲଣ୍ଡନରେ ପହଞ୍ଚିଛନ୍ତି । ରୋହିତ ନିଜର ଭବିଷ୍ୟ ପାଇଁ ଚୟନକର୍ତ୍ତାଙ୍କ ପ୍ଲାନ ବିଷୟରେ ଜାଣିବା ପରେ ନିଜ ବାପା ମାଙ୍କ ପାଇଁ ଲର୍ଡ୍ସ ଦିନିକିଆରେ ପହଞ୍ଚିବା ପାଇଁ ପ୍ଲାନ୍ କରିଥିଲେ ।
୨୦୨୭ ବିଶ୍ୱକପ୍ ପାଇଁ ଏବେଠୁ ଚୟନକର୍ତ୍ତା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଫିଟନେସ ବଢ଼ାଇବା ପରେ ରୋହିତ ଖେଳ ଜାରି ରଖିବାକୁ ଚାହାନ୍ତି । ହେଲେ ଚୟନକର୍ତ୍ତା ଆଗାମୀ ଭବିଷ୍ୟତ ସଂପର୍କରେ ନିଜେ ନିଷ୍ପତ୍ତି ନେବାକୁ ତାଙ୍କୁ ପରାମର୍ଶ ଦେଇଛନ୍ତି । ରୋହିତ ଏମିତି ନିଷ୍ପତ୍ତିରେ ଆଦୌ ଖୁସି ନୁହଁନ୍ତି ।
ରୋହିତ ଗତ ଇଂଲଣ୍ଡ ବିପକ୍ଷ ୨ଟି ମ୍ୟାଚରେ ଭଲ ପ୍ରଦର୍ଶନ କରି ପାରି ନାହାନ୍ତି । ପ୍ରଥମ ମ୍ୟାଚରେ ୧୧ ଓ ଦ୍ୱିତୀୟ ମ୍ୟାଚରେ ୨୬ ରନ କରିଥିଲେ । ପୂର୍ବରୁ ରୋହିତ ଓ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା ହେବା ପୂର୍ବରୁ ସେମାନେ ଆଗ ପଛ ହୋଇ ସନ୍ନ୍ୟାସ ନେଇଥିଲେ । ତେବେ ଦୁହେଁ ଦିନିକିଆ ବିଶ୍ବକପରେ ଦୁହେଁ ଚୟନ ହେବେ କି ନାହିଁ ତାହା ଜଣାପଡିବ ।
ରୋହିତ ଶର୍ମା ଗତ ୮ଟି ଦିନିକିଆରେ ୩୩ ପ୍ରତିଶତରେ ୨୪୧ ରନ୍ କରିଛନ୍ତି । ତାଙ୍କ ଷ୍ଟ୍ରାଇକ୍ ରେଟକୁ ନେଇ ଚୟନକର୍ତ୍ତା ଚିନ୍ତାରେ ରହିଛନ୍ତି । ତେବେ ଭାରତ ଦିନିକିଆ ବିଶ୍ବକପ ୨୦୨୭ ପୂର୍ବରୁ ଆହୁରି ୨୦ଟି ମ୍ୟାଚ ଖେଳିବ । ତେଣୁ ଚୟନକର୍ତ୍ତା ଏବଂ ଟିମ୍ ମ୍ୟାନେଜମେଣ୍ଟ ଚାହୁଁଛି କି, ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ନୂଆ ଖେଳାଳିଙ୍କୁ ଅଧିକ ସୁଯୋଗ ମିଳୁ । ଯଶସ୍ବୀ ଜୟସୱାଲ ରୋହିତ ଶର୍ମାଙ୍କ ରିପ୍ଲେସମେଣ୍ଟର ପ୍ରବଳ ଦାବିଦାର ରହିଛନ୍ତି । ସେ ଗତ ୩ଟି ଦିନିକିଆ ଇନିଂସରେ ଦୁଇଟି ଶତକ ମାରିଛନ୍ତି । ଭାରତ ଆଗାମୀ ଦିନିକିଆ ସିରିଜ ସେପ୍ଟେମ୍ବରରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ । ଜୟସୱାଲ ଏହି ସିରିଜରେ ଦିନିକିଆ ପାଇଁ ଖେଳିପାରନ୍ତି ।




