ନିଜ ଆଡ଼ୁ ଗୃହରେ ସ୍ପଷ୍ଟ କଲେ ନବୀନ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କରୁଥିଲା ଜନଶୁଣାଣି – Ibnodisha

[ad_1]
ଭୁବନେଶ୍ବର: ଲୋକଙ୍କ ଅଭିଯୋଗ ଶୁଣାଣିକୁ ସରକାର ସବୁବେଳେ ପ୍ରାଥମିକତା ଦେଇଛନ୍ତି। ଅଭିଯୋଗ ଶୁଣାଣି ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜିଲ୍ଲା ଗସ୍ତ କରିବାକୁ ମୁଁ ନିର୍ଦ୍ଦେଶ ଦେଇଥିଲି। ଲୋକଙ୍କ ଅଭିଯୋଗ ଶୁଣାଣି ଓ ୫-ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ଗଣମାଧ୍ୟମ ରିପୋର୍ଟ ଓ ଗତ କିଛି ଦିନ ଧରି ଚାଲିଥିବା ରାଜନୈତିକ ବୟାନବାଜି ତୃଣମୂଳସ୍ତର ପର୍ଯ୍ୟନ୍ତ ଆଲୋଚନାର ପ୍ରସଙ୍ଗ ହେବା ପରେ ଆଜି ଏମିତି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରସଙ୍ଗରେ ନିଜ ଆଡ଼ୁ ବିଧାନସଭାରେ ବିବୃତି ରଖି ମୁଖ୍ୟମନ୍ତ୍ରୀ ଅଭିଯୋଗ ଗ୍ରହଣ ପ୍ରକ୍ରିୟାରେ ହେଲିକପ୍ଟର ବ୍ୟବହାର, ସେ ସଂକ୍ରାନ୍ତ ଖର୍ଚ୍ଚ ଠାରୁ ଆରମ୍ଭ କରି ସଂଗ୍ରହ କରାଯାଇଥିବା ଅଭିଯୋଗ ଏବଂ ସମାଧାନ ପର୍ଯ୍ୟନ୍ତ ତଥ୍ୟ ରଖିବାକୁ ଚେଷ୍ଟା କରିଛନ୍ତି। କୌଣସି ଅଫିସରଙ୍କ ନାଁ ନେଇନାହାନ୍ତି, ବରଂ ସମୁଦାୟ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା କରାଯାଇଥିବା ଜଣାଇଛନ୍ତି। ଏକଥା ବି କହିଛନ୍ତି ଯେ ଅଭିଯୋଗ ସଂକ୍ରାନ୍ତ ଲୋକଙ୍କ ଖର୍ଚ୍ଚ ଓ ସମୟ ଅପଚୟ ରୋକିବାକୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ପାଖାପାଖି ଚାରି ପୃଷ୍ଠାର ମୁଖ୍ୟମନ୍ତ୍ରୀଙ୍କର ଏହି ଉତ୍ତର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ ମହାମାରୀ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୁବନେଶ୍ୱରରେ ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରି ସମାଧାନ ପାଇଁ ପଦକ୍ଷେପ ନେଉଥିଲେ। କୋଭିଡ ସମୟରେ କଟକଣା ଯୋଗୁ ପ୍ରାୟ ୨ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା। ପରିସ୍ଥିତି ସ୍ବାଭାବିକ ହେବା ପରେ ଏହା ପୁଣି ଥରେ ତାର କାର୍ଯ୍ୟ ଆରମ୍ଭ କରିଥିଲା। କିନ୍ତୁ କୋଭିଡ ପରବର୍ତ୍ତୀ ସମୟରେ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଲୋକଙ୍କ ସଂଖ୍ୟା ତଥା ଅଭିଯୋଗର ହାରାହାରି ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହେଲା। ଏହାପରେ ଲୋକଙ୍କ ଘର ପାଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନେଇ ପହଞ୍ଚାଇବା ପାଇଁ ମୁଁ ଚିନ୍ତା କଲି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ଏବଂ ମୋ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକେନ୍ଦ୍ରିତ ଅଭିଯୋଗ ଶୁଣାଣି ପରିଚାଳନା କଲେ। ୬ ମାସ ମଧ୍ୟରେ ରାଜ୍ୟର ୧୯୦ ରୁ ଅଧିକ ସ୍ଥାନରେ ଏହି ଅଭିଯୋଗ ଶୁଣାଣି ଆୟୋଜନ କରାଗଲା। ପ୍ରତ୍ୟେକ ଦିନ ୩ ରୁ ୫ଟି ସ୍ଥାନରେ ଅଭିଯୋଗ ଶୁଣାଣି ହେଲା। ଏହି ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ଠାରୁ ୫୭,୪୪୨ଟି ଦରଖାସ୍ତ ଗ୍ରହଣ କରିଥିଲା ଏବଂ ଆଜି ସୁଦ୍ଧା ୪୩,୫୩୬ ଦରଖାସ୍ତର ଫଇସଲା କରାଯାଇଛି। ଏହି ସମ୍ପୂର୍ଣ୍ଣ ବ୍ୟବସ୍ଥା ବୈଷୟିକ ଜ୍ଞାନ
କୌଶଳର ପ୍ରୟୋଗ ଦ୍ୱାରା ସ୍ୱଚ୍ଛତାର ସହ ସମ୍ପାଦନ କରାଯାଇଛି। ଉତ୍ତରାଧିକାର ସତ୍ତ୍ୱ ସଂକ୍ରାନ୍ତୀୟ ବିଷୟଗୁଡିକ ବାରମ୍ବାର ଆଲୋଚନା ଜରିଆରେ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ଏବଂ ଦୀର୍ଘ ଦିନ ଧରି ପଡି ରହିଥିବା ଏହି ଐତିହାସିକ ସମସ୍ୟା ଗୁଡିକର ଆଗାମୀ ୨ ରୁ ୩ ମାସ ମଧ୍ୟରେ ସମାଧାନ ହୋଇଯିବ ବୋଲି ଆମେ ଆଶାବାଦୀ। ମୁଁ ଦୃଢ଼ତାର ସହ କହିପାରେ ଯେ ଦେଶର ଯେ କୌଣସି ସରକାରଙ୍କ ଦ୍ବାରା ପରିଚାଳିତ ଜନସାଧାରଣଙ୍କ ଅଭିଯୋଗର ସମାଧାନ ନିମନ୍ତେ ଥିବା ବ୍ୟବସ୍ଥା ମଧ୍ୟରେ ଏହା ହେଉଛି ସର୍ବୋତ୍କୃଷ୍ଟ ବ୍ୟବସ୍ଥା।
ଜିଲ୍ଲା ସ୍ତରରେ ଅଭିଯୋଗ ଶୁଣାଣିକୁ ଯୁକ୍ତିଯୁକ୍ତ ଦର୍ଶାଇଲେ
ରାଜନୈତିକ ସମାଲୋଚନାର ଜବାବ ରଖିଲେ
ହେଲିକପ୍ଟର ନ ନେଇଥିଲେ ଦେଢ଼ ବର୍ଷ ଲାଗିଥା’ନ୍ତା
ଏହି ବ୍ୟବସ୍ଥାକୁ ନେଇ ରାଜନୈତିକ ସମାଲୋଚନାର ଉତ୍ତର ରଖି ଶ୍ରୀ ପଟ୍ଟନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ପରିଚାଳିତ। ଭୁବନେଶ୍ବରରେ ମନ୍ତ୍ରୀମାନଙ୍କର ଏହି ବ୍ୟବସ୍ଥାରେ ସାମିଲ ହେବାରେ କୌଣସି ଆବଶ୍ୟକତା ପଡ଼ିନାହିଁ। ଗୋଟିଏ ଅଭିଯୋଗ ଦରଖାସ୍ତ ମିଳିବା ପରେ ଏହାକୁ ସଂପୃକ୍ତ ବିଭାଗକୁ ପଠାଯାଇଥାଏ। ତେଣୁ ଏଥିରେ ମନ୍ତ୍ରୀ ବନାମ ଅଫିସର ପ୍ରସଙ୍ଗ ଉଠୁଛି କେଉଁଠି? ଅଭିଯୋଗ ଦରଖାସ୍ତର ବିଭାଗୀୟ ସ୍ତରୀୟ ସମାଧାନରେ ବିଭାଗର ମୁଖ୍ୟ ଭାବରେ ମନ୍ତ୍ରୀମାନେ ସବୁବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି। ଏହା ସର୍ବୋଚ୍ଚ ସ୍ତରରେ ଟିମ୍ ୱାର୍କ ଅଟେ ଏବଂ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବୃତ୍ତିଗତ ଭାବରେ ଏହା କରାଯାଇଥାଏ। ଲୋକଙ୍କ ଅଭିଯୋଗର ଯେଭଳି ଠିକ୍ ଭାବରେ ସମାଧାନ ହେବ ଏବଂ ଜନସାଧାରଣ ଯେପରି ସର୍ବୋତ୍ତମ ସନ୍ତୁଷ୍ଟି ଲାଭ କରିବେ, ତାହା ହିଁ ଆମର ଲକ୍ଷ୍ୟ। ଯଦି ସମସ୍ତ ୫୭ ହଜାର ଅଭିଯୋଗକାରୀ (ତନ୍ମଧ୍ୟରୁ ସଂଖ୍ୟାଧିକ ହେଉଛି ଗୋଷ୍ଠୀଗତ ଅଭିଯୋଗ) ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥାନ୍ତେ, ଯିବା ଆସିବା ଓ ରହଣିରେ ସେମାନଙ୍କର କେତେ ଖର୍ଚ୍ଚ ହୋଇଥାନ୍ତା ? ସେମାନେ କେତେ ମଜୁରୀ ହରାଇଥା’ନ୍ତେ? ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜନସାଧାରଣଙ୍କ ଘରପାଖକୁ ଯାଇ ଅଭିଯୋଗ ସଂଗ୍ରହ କରିଥିବାରୁ ଜନସାଧାରଣଙ୍କ ଅର୍ଥ ଓ ସମୟ ବଞ୍ଚିପାରିଛି।
ହେଲିକପ୍ଟର ବ୍ୟବହାର ସଂପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଆମେ ଯଦି ହେଲିକପ୍ଟର ବ୍ୟବହାର ନ କରି ସଡ଼କ ପଥରେ ଯାଇଥାନ୍ତୁ, ତେବେ ଏଥିପାଇଁ ଆମକୁ ଦେଢ଼ ବର୍ଷ ସମୟ ଲାଗିଥାନ୍ତା । ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ୩ ରୁ ୫ଟି ସଭା କରିବା ଏବଂ ତାହା ପୁଣି ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୦ଟାରୁ ୩ଟା ମଧ୍ୟରେ କରିବା ଯେକୌଣସି ମଣିଷ ପାଖରେ ଅସମ୍ଭବ ଅଟେ। ଗତ ସାଢ଼େ ତିନି ବର୍ଷ ମଧ୍ୟରେ ଆମେ ହେଲିକପ୍ଟର ବ୍ୟବହାରରେ ୪୦ କୋଟି ଟଙ୍କା ଖର୍ଚ୍ଚ କରିଛୁ। ହାରାହାରି ଭାବରେ ପ୍ରତି ମାସରେ ହେଲିକପ୍ଟର ବ୍ୟବହାର ବାବଦକୁ ଏକ କୋଟିରୁ ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଗତ ୬ ମାସ ମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବ୍ୟାପକ ଭାବରେ ହେଲିକପ୍ଟର ବ୍ୟବହାର କରାଯାଇଛି, ଯାହାର କି ହାରାହାରି ଖର୍ଚ୍ଚ ମାସ ପିଛା କୋଟିଏ ରୁ ଦେଢ଼ କୋଟି ଟଙ୍କା ମଧ୍ୟରେ ହୋଇଛି। ହେଲିକପ୍ଟର ବ୍ୟବହାରରେ ମାତ୍ରାଧିକ ଖର୍ଚ୍ଚ ସଂକ୍ରାନ୍ତୀୟ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଅଭିସନ୍ଧିମୂଳକ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ଅଭିଯୋଗ ଶୁଣାଣି ନିମନ୍ତେ ବିଭିନ୍ନ ସ୍ଥାନରେ ଯେଭଳି ବୃତ୍ତିଗତ ଭାବରେ ଦକ୍ଷତାର ସହ ପଦକ୍ଷପ ଗ୍ରହଣ କରାଗଲା, ସେଥିପାଇଁ ମୁଁ ମନ୍ତ୍ରୀଗଣ, ଜିଲ୍ଲା ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସରକାରଙ୍କ ବିଭିନ୍ନ ବିଭାଗ ତଥା ଏଥିରେ ସଂପୃକ୍ତ ଥିବା ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ସେମାନଙ୍କ ଅଞ୍ଚଳରେ ଅନେକ ଅଭିଯୋଗର ସମାଧାନ କରାଯାଇଥିବାରୁ ବିରୋଧୀ ଦଳର ସଦସ୍ୟ ମାନେ ମଧ୍ୟ ଖୁସି ହେବା ଉଚିତ। ମୁଁ ବୁଝିପାରୁ ନାହିଁ, ଲୋକଙ୍କ ସମସ୍ୟା ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପକୁ କିଏ କିପରି ବିରୋଧ କରିପାରିବ ? ଏଭଳି ବିରୋଧ ଜନବିରୋଧୀ ଏବଂ ଜନସାଧାରଣ ଏଭଳି ମନୋବୃତ୍ତିକୁ ଉଚିତ ଜବାବ ଦେବେ। ମୋ ସରକାର ପାଇଁ ଜନସାଧାରଣ ହେଉଛନ୍ତି ପ୍ରଥମ । ଲୋକଙ୍କ ସମସ୍ୟା ସମାଧାନ ଆମର ସର୍ବୋଚ୍ଚ ପ୍ରାଥମିକତା ଓ ଏହାକୁ ସର୍ବୋତ୍ତମ ଭାବରେ ସମ୍ପାଦନ କରିବା ପାଇଁ ମୁଁ କାମ କରିଚାଲିବି। ଏଠାରେ ଉଲ୍ଲେଖଥାଉକି, ମନ୍ତ୍ରୀ ବଡ଼ ନା ଅଫିସର; ପ୍ରସଙ୍ଗକୁ ନେଇ ସମ୍ବାଦରେ ଖବର ପ୍ରକାଶ ପାଇଥିଲା। ବିରୋଧୀ ରାଜନୈତିକ ଦଳ ଠାରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମ ଯାଏ ମାସାଧିକ ଧରି ପ୍ରସଙ୍ଗଟି ଚର୍ଚ୍ଚାର ବିଷୟ ହୋଇଥିଲା।
[ad_2]