ରାଜ୍ୟ

ରାଜ୍ୟ ପୁସ୍ତକ ମହୋତ୍ସବ ସମୟ ବଢ଼ାଇବାକୁ ଦାବି: ଲାଇଭ୍‌ ପେଣ୍ଟିଂରେ ମନ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟ ସରକାର ପ୍ରଥମ ଥର ପାଇଁ ଅଭିନବ ଢଙ୍ଗରେ କରିଥିବା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ପୁସ୍ତକପ୍ରେମୀଙ୍କୁ ଆକର୍ଷିତ କରୁଛି। ସାଜସଜ୍ଜା ସାଙ୍ଗକୁ ଥିମ୍‌ ପାଭିଲିୟନ, କଫି କର୍ଣ୍ଣର ପ୍ରଭୃତି ନୂଆ ବ୍ୟବସ୍ଥା ଯୋଗୁ କେବଳ ଭୁବନେଶ୍ବର ନୁହେଁ, ସାରା ରାଜ୍ୟରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପୁସ୍ତକପ୍ରେମୀ ଏଠାକୁ ଆସୁଛନ୍ତି। କିନ୍ତୁ ଏହା ରାତି ୯ଟାରୁ ବନ୍ଦ ହୋଇଯାଉଥିବାରୁ ଲୋକମାନେ‌ ମୁଖ୍ୟ ଫାଟକ ନିକଟରୁ ଫେରି ଯାଉଛନ୍ତି। ଯାହାକୁ ‌ନେଇ ଅସନ୍ତୋଷ ପ୍ରକାଶ ପାଇବା ସହ ଅବଧି ବଢ଼ାଇବା ପାଇଁ ଦାବି ହୋଇଛି। ଅପରାହ୍ନ ସାଢ଼େ ଗୋଟାଏ ବେଳେ ଷ୍ଟଲ୍‌ ମାଲିକମାନଙ୍କୁ ମେଳା ଭିତରକୁ ଛଡ଼ା ଯାଉଛି। ଅଧଘଣ୍ଟାଏ ପରେ ଗ୍ରାହକଙ୍କୁ ପ୍ରବେଶ ସୁଯୋଗ ମିଳୁଛି। ଅପରାହ୍ନ ୨ରୁ ରାତି ୯ଟା ଯାଏ ମେଳା ଚାଲୁଛି। ୯ଟା ପରେ ପହଞ୍ଚୁଥିବା ଗ୍ରାହକ ଫେରି ଯାଉଥିବା ବେଳେ ୮ଟା କିମ୍ବା ସାଢ଼େ ୮ଟାରେ ପହଞ୍ଚୁଥିବା ଗ୍ରାହକ ସମସ୍ତ ଷ୍ଟଲ୍‌ ବୁଲି ପାରୁ ନାହାନ୍ତି। ମେଳା ଆରମ୍ଭ ପୂର୍ବରୁ ବା ପ୍ରସ୍ତୁତି ବେଳେ ମେଳା ସମୟ ବଢ଼ାଇବା ପାଇଁ ଆଲୋଚନା ହୋଇଥିଲା। ଦିନ ୧୧ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ କିଛି ପ୍ରକାଶକ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହା ଗ୍ରହଣଯୋଗ୍ୟ ହେଲା ନାହିଁ। ଆରମ୍ଭ ପୂର୍ବରୁ ମେଳା ଷ୍ଟଲ୍‌ ବିବାଦରେ ଛନ୍ଦି ହୋଇଥିବାରୁ ଅଧିକାରୀମାନେ ଟଣା ଓଟରାରେ ପଶିଲେ ନାହିଁ। ପୂର୍ବ ବର୍ଷରୁ ଧାର୍ଯ୍ୟ ହୋଇଥିବା ମେଳା ଅବଧିରେ ପରିବର୍ତ୍ତନ ହେଲା ନାହିଁ।

ମେଳା ଦୁଆର ମୁହଁରୁ ଫେରି ଆସୁଥିବା କିଛି ଗ୍ରାହକଙ୍କୁ ଆମେ ଭେଟିଥିଲୁ। ସେମାନଙ୍କର ଅଭିଯୋଗ ହେଉଛି, ବିଭିନ୍ନ ସଂସ୍ଥାରେ ଲୋକମାନେ ତିନି ସିଫ୍ଟରେ କାମ କରୁଛନ୍ତି। ଯେଉଁମାନଙ୍କର ସିଫ୍ଟ ଦିନ ୨ଟାରୁ ଆରମ୍ଭ ହେଉଛି ସେମାନେ ଏହି ମେଳାରୁ ସମ୍ପୂର୍ଣ୍ଣ ବଞ୍ଚିତ ହେଉଛନ୍ତି। ‌ଅନେକ ସଂସ୍ଥାରେ ସାଢ଼େ ୫ଟା ଅଫିସ୍‌ ସରିବା ସମୟ ଥିଲେ ମଧ୍ୟ ଅଫିସ ଛାଡ଼ିବା ବେଳକୁ ୭ଟା ହୋଇଯାଉଛି। ଘରକୁ ଆସି ପରିବାର ସହ ମେଳା ଆସିବା ବେଳକୁ ମେଳା ବନ୍ଦ ହୋଇଯାଉଛି। ସେହିପରି ଅନ୍ୟ ଜିଲ୍ଲାମାନଙ୍କରୁ ଆସିଥିବା ଲୋକମାନେ ମଧ୍ୟ ସମୟ କମ୍‌ ଥିବାରୁ ବହି କିଣାକିଣି କରି ଫେରିବାରେ ସମସ୍ୟା ଭୋଗୁଛନ୍ତି। ଏହି ସମୟ ପାବନ୍ଧି ମେଳା ଭିତର ମୁଖ୍ୟ ମଞ୍ଚ ଓ ଛୋଟ ମଞ୍ଚରେ ଚାଲୁଥିବା ସାହିତ୍ୟ ଆଲୋଚନାକୁ ପ୍ରଭାବିତ କରୁଛି।

କିଛି ପ୍ରକାଶକ ଓ ପୁସ୍ତକପ୍ରେମୀଙ୍କ ଯୁକ୍ତି ହେଲା, ଭୁବନେଶ୍ବରରେ ହୋଟେଲ୍‌, ରେସ୍ତୋରାଁ ରାତି ୧୨ଟା ଯାଏ ଖୋଲା ରହୁଛି। ଏମିତିକି ମଦ ବାର୍‌ ଖୋଲିବାକୁ ସରକାର ରାତି ୧୨ଟା ଯାଏ ଅନୁମତି ଦେଇଛନ୍ତି। ପୂର୍ବରୁ ରାତ୍ରୀ ବଜାର ଏକାମ୍ର ହାଟରେ ଖୋଲା ଯାଇଥିଲା। ଆଗକୁ ପ୍ରବାସୀ ଦିବସରେ ମଧ୍ୟ ରାତ୍ରୀ ବଜାର ଖୋଲିବାକୁ ସରକାର ଯୋଜନା କରୁଛନ୍ତି। ହେଲେ ପୁସ୍ତକ ମେଳା ସମୟ ଦିନ ୧୧ରୁ ରାତି ୧୦ଟା ବଢ଼ାଇବାରେ ସମସ୍ୟା କେଉଁଠି? ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦେବପ୍ରସାଦ ଦାଶ କହିଛନ୍ତି, ଚଳିତ ବର୍ଷ ୧୨ଦିନ ଏହି ମହୋତ୍ସବ କରାଯାଉଛି। ଆଗକୁ ଅନେକ କାର୍ଯ୍ୟକ୍ରମ ଥିବାରୁ ଆଉ ସମୟ ବଢ଼ିବାର ନାହିଁ। ସମୟ ବଢ଼ିବା ନେଇ ପ୍ରସ୍ତାବ ଆସିଥିଲା। ପରବର୍ତ୍ତୀ ସମୟରେ ସରକାର ଏ ସମ୍ପର୍କରେ ଚିନ୍ତା କରିବେ।

ପାର୍କିଂ ଫି ଆଦାୟକୁ ନେଇ ଅସନ୍ତୋଷ
ପୁସ୍ତକ ମେଳାରେ ଭିଡ଼କୁ ଦେଖି ବିଏମ୍‌ସିର ଲୋଭ ଲାଗିଛି। ବିନା ଟେଣ୍ଡରରେ ପ୍ରଦର୍ଶନୀ ପଡ଼ିଆ ସମ୍ମୁଖ ରାସ୍ତାର ଉଭୟପାର୍ଶ୍ବରେ ପାର୍କିଂ ପାଇଁ ଅନୁମତି ଦେଇଦେଇଛି। ପୂର୍ବରୁ ମେଳା ପରିସରରେ ବ୍ୟବସ୍ଥା ହୋଇଥିବା ବେଳେ ଏବେ ଏହି ରାସ୍ତା କଡ଼ରେ ଗାଡ଼ି ରଖିବା ବ୍ୟବସ୍ଥା ହେବା ସହ ପାର୍କିଂ ଦେୟ ଦେବାକୁ ପଡ଼ୁଛି। ଦୁଇ ଦିନ ହେବ ବିଏମ୍‌ସି ଏଭଳି ବ୍ୟବସ୍ଥା କରିଛି। ଦୁଇ ଚକିଆ ଯାନ ପାଇଁ ୫ ଟଙ୍କା ଓ ୪ ଚକିଆ ଗାଡ଼ିକୁ ୨୦ ଟଙ୍କା ଦେୟ ରହିଛି। ଫଳରେ ପୁସ୍ତକମେଳାକୁ ଆସୁଥିବା ଗ୍ରାହକ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ବିଏମ୍‌ସି କହିଛି, ଏଠାରେ ଗାଡ଼ି ରଖିବା ଓ ବ୍ୟବସାୟୀଙ୍କୁ ବସିବା ପାଇଁ ଆମେ କଟକଣା କରିଥିଲୁ। ହେଲେ କେହି ମାନିଲେ ନାହିଁ। ସବୁବେଳେ ଏନ୍‌ଫୋର୍ସମେଣ୍ଟ କରିବା ମଧ୍ୟ ସମ୍ଭବ ହେଲା ନାହିଁ। ଏଣୁ ଆମେ ଏକ ଅଫ୍‌ସେଟ୍‌ ପ୍ରାଇସ ଧାର୍ଯ୍ୟ କରି ଠିକା ଦେଇଛୁ। ଟେଣ୍ଡର ପାଇଁ ସମୟ ନଥିବାରୁ ଏଭଳି କରାଯାଇଛି।

ଲାଇଭ୍‌ ପେଣ୍ଟିଂରେ ମନ
ଭୁବନେଶ୍ବର: ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ଭିଡ଼ ବଢ଼ିବାରେ ଲାଗିଛି। ବହି ଠାରୁ ଖାଇବା ପର୍ଯ୍ୟନ୍ତ ସବୁଠି ଗହଳିଚହଳି। ବିଭିନ୍ନ ତୋରଣ ପାଖରେ ଫଟୋ ଉଠାଚାଲିଛି। ଏସବୁ ଭିଡ଼ ବାଦ୍‌ ପ୍ରବେଶ ପଥର ଡାହାଣ ପାଖରେ ଚାଲିଥିବା ଲାଇଭ୍‌ ପେଣ୍ଟିଂରେ ଅନେକଙ୍କର ମନ ଲାଖି‌ଥିବା ପରିଲକ୍ଷିତ ହୋଇଛି। ବିକେ ଆର୍ଟ କଲେଜର ଶୋଭନ ସୁନ୍ଦର ସାହୁ, ଅମିତ୍‌ ବିଭାର ଓ ଟିଏସ୍‌ ଚନ୍ଦ୍ରଶେଖର ମାତ୍ର କେଇ ମିନିଟ୍‌ରେ ଲୋକର ଅବକିଳ ଚିତ୍ର ପ୍ରସ୍ତୁତ କରି ଦେଉଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button