ରାଜ୍ୟ

‘ମୋ ବସ୍‌’ ଚଢ଼ିଯିବା ଘଟଣା: ଝିଲିଙ୍କର ହେବ ସପ୍ତମ ଅସ୍ତ୍ରୋପଚାର

ଖଣ୍ଡଗିରି: ‘ମୋ ବସ୍‌’ ଧକ୍କାରେ ଗୁରୁତର ଆହତ ହୋଇଥିବା ସମ୍ବଲପୁର ଜିଲ୍ଲାର ଝିଲ୍ଲୀ ସୋହଲାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁନି। ଦୁର୍ଘଟଣା ହେବା ଦିନ ଠାରୁ ଅର୍ଥାତ୍‌ ମାସେରୁ ଅଧିକ ଦିନ ହେବ ସେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଦଫାଦଫାରେ ତାଙ୍କର ୬ଟି ଅପ‌ରେସନ ସରିଲାଣି। ଏହାପରେ ମଧ୍ୟ ତାଙ୍କ ହାତ ଆଉ କାମ କରିବ କି ନାହିଁ, ସେ ପୂର୍ବବତ୍‌ କାମ କରିପାରିବେ କି ନାହିଁ ତାହା ସ୍ପଷ୍ଟ ହୋଇ ପାରୁନି। ଏବେ ଆଉ ଏକ ଅପରେସନ ହେବ ବୋଲି ଡାକ୍ତର କହିଛନ୍ତି। ଏହି ଅପରେସନ ତାରିଖ ୧୬କୁ ଧାର୍ଯ୍ୟ ହୋଇଛି। କିଛିଦିନ ତଳେ ସେ ଡିସଚାର୍ଜ ହୋଇଥିବା ଝିଲ୍ଲୀ ଏହି ଅପରେସନ ପାଇଁ ପୁଣି ଥରେ ୧୪ ତାରିଖରେ ଆଡମିଟ୍‌ ହେବେ।

ଭୁବନେଶ୍ବରରେ ରହିବାକୁ ତାଙ୍କ ପାଖରେ ଘର କି ସମ୍ବଳ ନଥିବାରୁ ସେ ଓ ତାଙ୍କ ମା’ ଏମ୍ସର ଧର୍ମଶାଳାରେ ରହୁଛନ୍ତି। ପ୍ରତିଦିନ ଡ୍ରେସିଂ କରାଯାଉଛି। ଖାଇବା ଓ ଅନ୍ୟାନ୍ୟ ଖର୍ଚ୍ଚ ଚିନ୍ତାରେ ସେମାନେ ଭାଙ୍ଗି ପଡ଼ିଛନ୍ତି। ଏ ଯାବତ୍‌ ‘ମୋ ବସ୍‌’ ପରିଚାଳନା କରୁଥିବା ସଂସ୍ଥା ‘କ୍ରୁଟ୍‌’ ମଧ୍ୟ କୌଣସି ସହାୟତା ଯୋଗାଇନାହିଁ। ତେବେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସାଧାରଣ ‌ଲୋକ ଠାରୁ ଆର୍ଥିକ ସହାୟତା ଆସିବା ଆରମ୍ଭ ହୋଇଛି। ଏ ଯାବତ୍‌ ୫୦ ହଜାରରୁ ଊର୍ଦ୍ଧ୍ବ ଟଙ୍କାର ଅର୍ଥରାଶି ସହାୟତା ମିଳିଛି। ମିଳିଥିବା ସୂଚନା ମୁତାବକ, ନଭେମ୍ବର ୨ ତାରିଖରେ ଝିଲ୍ଲିଙ୍କୁ ପ୍ରଥମେ କ୍ୟାପିଟାଲ ଓ ପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ମାସେ ପର୍ଯ୍ୟନ୍ତ ଏମ୍ସରେ ରହି ସେ ୬ଟି ଅସ୍ତ୍ରୋପଚାରର ସମ୍ମୁଖୀନ ହେବା ପରେ ପୁଣି ଥରେ ଅପରେସନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଝିଲ୍ଲୀଙ୍କର ହାତ‌କୁ ଠିକ୍‌ କରିବା ପାଇଁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରୁ ଚର୍ମ ନିଆଯାଇ ପରୀକ୍ଷା କରାଯାଇଛି। ୧୬ ତାରିଖରେ ହେବାକୁ ଥିବା ଅସ୍ତ୍ରୋପଚାରରେ ଏହି ଚର୍ମ ଲଗାଯିବ। ତେବେ ଯଦି ଝିଲ୍ଲିଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରୁ‌ହେ ତେବେ ଏହି ଅପରେସନ ହେବ। ଅସ୍ଥିରତା ଦେଖାଗଲେ ଏହା ପୁଣି ଘୁଞ୍ଚିପାରେ ବୋଲି କୁହାଯାଇଛି।

ଦଫା ଦଫାରେ ଯନ୍ତ୍ରଣା, ଏବେ ବି ଅନିଶ୍ଚିତତା

ମିଳିଲାଣି ୫୦ ହଜାରୁ ଅଧିକ ଟଙ୍କାର ସହାୟତା

ଝିଲ୍ଲୀ ନିଜର କୌଣସି କାମ କରିବା ଅସମର୍ଥ ହେଉଥିବାରୁ ମା’ପୂର୍ଣ୍ଣବାସୀ ଓ ଝିଲ୍ଲୀଙ୍କ ସାଙ୍ଗ ଜଗି ରହିଛନ୍ତି। ଆର୍ଥିକ ଦୁଶ୍ଚିନ୍ତାରେ ପୂରା ପରିବାର ଘାଣ୍ଟି ହେଉଛନ୍ତି। କୌଣସି ନିଶ୍ଚିତତା ନଥିବାରୁ ଝିଲ୍ଲୀଙ୍କର ଗାଁକୁ ଫେରିବା ବାଟ ଏକ ପ୍ରକାର ବନ୍ଦ ହୋଇଯାଇଛି। ଏବେ କେବଳ ସାଧାରଣ ଲୋକଙ୍କ ପାଖରୁ ମିଳୁଥିବା ସହାୟତାକୁ ‌ସେମାନେ ଚାହି ବସିଛନ୍ତି। ମା’ଙ୍କ ଅଭିଯୋଗ ହେଉଛି, ଧର୍ମଶାଳାରେ ସବୁଦିନ ପ୍ରାୟ ୫ଶହ ଟଙ୍କା ଖର୍ଚ୍ଚ ହେଉଛି। ଝିଲ୍ଲୀର ସ୍ବାସ୍ଥ୍ୟ କାର୍ଡରେ ଥିବା ଖର୍ଚ୍ଚ ସୀମା ଶେଷ ହୋଇଯାଇଛି। ଏବେ ଅସ୍ତ୍ରୋପଚାର ହେଲେ ଆନୁସଙ୍ଗୀକ ସାମଗ୍ରୀ ଓ ଔଷଧ କିଣିବାକୁ ଅର୍ଥ କେଉଁଠୁ ଆସିବ ବୋଲି ଚିନ୍ତା ପ୍ରକଟ କରିଛନ୍ତି।

ସୂଚନାଯୋଗ୍ୟ, ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଗତ ୫ ତାରିଖ ସୁଦ୍ଧା ୨୬,୫୦୦ ଟଙ୍କା ସହାୟତା ମିଳିଥିଲା। ଗତ ସପ୍ତାହ ମଧ୍ୟରେ ସତ୍ୟଜିତ ପାଣିଗ୍ରାହି ୧୩ ହଜାର ୫ଶହ, ଦେବାଶିଷ ସାହୁ, ନିତିନ ରଞ୍ଜିତ ‌ବେହେରା ଓ ଚନ୍ଦ୍ରକାନ୍ତ ସାହୁ ୧ହଜାର ଟଙ୍କା ‌ଲେଖାଏଁ ପ୍ରଦାନ କରିଛନ୍ତି। ଶୁଭସ୍ମିତା ମହାପାତ୍ର ଶହେ, ଆଞ୍ଚଲ ଚୌଧୁରୀ ଓ ମଙ୍ଗେସ କୁମାର ମୁଖାର୍ଜି ୩ଶହ ଲେଖାଏଁ ଏବଂ ରୋହିତ କୁମାର ସାହୁ ଓ ସୁଶାନ୍ତ କୁମାର ରାୟ ୫ଶହ ଟଙ୍କା ଲେକାଏଁ ସହାୟତା କରିଛନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button