ଶକ୍ତିଶାଳୀ ହେବ ଓଡ଼ିଶା ପୁଲିସ, ମିଳିବ ହାଇସ୍ପିଡ୍ ଯାନ’: ତଦନ୍ତକାରୀ ଅଧିକାରୀଙ୍କୁ ଦିଆଯିବ ୯ହଜାର ବାଇକ୍
ଭୁବନେଶ୍ବର: ଅପରାଧୀ ଅପରାଧ ଘଟାଇବା ପାଇଁ ପୁଲିସ ଠାରୁ ଦାମୀ ଓ ଅତ୍ୟାଧୁନିକ ଯାନ ବ୍ୟବହାର କରୁଛନ୍ତି। ଯାହାଦ୍ବାରା ସେମାନେ ପୁଲିସକୁ ଚକ୍ମାଦେଇ ସହଜରେ ଖସିଯାଉଛନ୍ତି। ଏଭଳି ଅନେକ ଘଟଣାର ଉଦାହରଣ ରହିଛି। ଅପରାଧୀଙ୍କୁ ଦମନ କରିବା ପାଇଁ ପୁଲିସକୁ ସଶକ୍ତ କରାଯିବ। ସେମାନଙ୍କୁ ଅତ୍ୟାଧୁନିକ ଓ ହାଇସ୍ପିଡ୍ ଯାନ ଯୋଗାଇଦିଆଯିବ। ଏନେଇ ରାଜ୍ୟ ସରକାର ଯୋଜନା କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଲିସ ସେବା ଭବନରେ ଇଆର୍ଏସ୍ଏସ୍ର ୩୦ଟି ନୂଆ ଭ୍ୟାନ୍କୁ ଉଦ୍ଘାଟନ କରି ଏଭଳି ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଇଆର୍ଏସ୍ଏସ୍ ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ଯୋଜନା। ଦିଲ୍ଲୀର ନିର୍ଭୟା କାଣ୍ଡ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ମସିହାରେ ଜରୁରୀକାଳୀନ ପରିସ୍ଥିତିରେ ପୁଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ। କମିସନରେଟ୍ ପୁଲିସକୁ ମିଳିଥିବା ୩୦ଟି ନୂଆ ଯାନ ସାଧାରଣ ଗାଡ଼ି ନୁହେଁ। ଏହା ଗୋଟିଏ ଗୋଟିଏ ସୁରକ୍ଷା ରଥ। ନ୍ୟାୟ, ଶୃଙ୍ଖଳା, ଭୟମୁକ୍ତ ବାତାବରଣ ଓ ଅପରାଧମୁକ୍ତ ସମାଜର ପ୍ରତୀକ। ଯାନ ଯେତିକି ଗଡ଼ିବ ଲୋକମାନେ ସେତିକ ନ୍ୟାୟ ପାଇବେ ଓ ସେମାନଙ୍କ ଆତ୍ମବିଶ୍ୱାସ ବଢିବ। ତେବେ ଏହି ୩୦ଟି ଯାନରୁ ଭୁବନେଶ୍ୱର ପାଇଁ ୨୨ଟି ଓ କଟକ ପାଇଁ ୮ଟି ଦିଆଯାଇଛି। ପୂର୍ବରୁ ଅଚଳ ହୋଇଥିବା ପିସିଆର୍ ବଦଳରେ ଏହି ନୂତନ ଯାନ କାର୍ଯ୍ୟ କରିବ। ଏହି ଅତ୍ୟାଧୁନିକ ଭ୍ୟାନ ପୁଲିସ କାର୍ଯ୍ୟ ଦକ୍ଷତାକୁ ସୁଦୃଢ କରିବ ବୋଲି ସେ କହିଥିଲେ।
ଗଡ଼ିଲା ୩୦ ନୂଆ ଇଆର୍ଏସ୍ଏସ୍ ଭ୍ୟାନ୍
ଖୁବ୍ଶୀଘ୍ର ପୂରଣ ହେବ ୫ ହଜାର ଗୃହରକ୍ଷୀ ପଦବି, ବଢ଼ିବ ଭତ୍ତା
ତଦନ୍ତକାରୀ ଅଧିକାରୀଙ୍କୁ ଦିଆଯିବ ୯ହଜାର ବାଇକ୍
ସେହିପରି ପୁଲିସ ବାହିନୀକୁ ଆହୁରି ସଶକ୍ତ କରିବା ପାଇଁ ଗୃହ ବିଭାଗରେ ପ୍ରାୟ ୧୦ ହଜାର ପଦବି ଖୁବ୍ ଶୀଘ୍ର ପୂରଣ କରାଯିବ। ଗୃହରକ୍ଷୀମାନେ ହେଉଛନ୍ତି ପୁଲିସର ଏକ ଅଭିନ୍ନ ଅଙ୍ଗ। ତେଣୁ ୨୦୨୦ରୁ ଗୃହରକ୍ଷୀ ନିଯୁକ୍ତିରେ ଲାଗିଥିବା କଟକଣା ଉଠାଇ ଦିଆଯାଇଛି। ଖୁବଶୀଘ୍ର ଖାଲିଥିବା ୨୪୧୬ଟି ପଦବୀ ସହ ୨୫୮୪ଟି ନୂତନ ପଦବି ସୃଷ୍ଟି କରାଇ ମୋଟ ୫ ହଜାର ଗୃହରକ୍ଷୀଙ୍କୁ ନିଯୁକ୍ତି ଦିଆଯିବ। ସେମାନଙ୍କ ଦୈନିକ ଭତ୍ତା ବୃଦ୍ଧି ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ରାଜ୍ୟର ଥାନା ଗୁଡ଼ିକୁ ୯ହଜାର ବାଇକ୍ ଯୋଗାଇଦିଆଯିବ। ଏହି ବାଇକ୍ ଗୁଡ଼ିକୁ ତଦନ୍ତକାରୀ ଅଧିକାରୀଙ୍କୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପୁଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ବାତ୍ୟା ଦାନା ସମୟରେ ଇଆର୍ଏସ୍ଏସ୍ ଯାନ ଲୋକମାନଙ୍କୁ ପ୍ରଶଂସନୀୟ ସେବା ଯୋଗାଇଛି। ଆପଦ କାଳୀନ ପ୍ରଶମନ ସହାୟତା ବ୍ୟବସ୍ଥାରେ ରାଜ୍ୟରେ ମୋଟ ୧୦୬ଟି ଇଆର୍ଏସ୍ଏସ୍ ଭ୍ୟାନ୍, ୧୫୮ ପିସିଆର, ୧୦୯୮ ପୁଲିସ, ୧୯୮ କଲ୍ ଯୋଗାଯୋଗକାରୀ ବିଭିନ୍ନ ଜିଲ୍ଲା ଓ ସ୍ଥାନୀୟ ପୁଲିସ ସହ ମିଶି ୨୪ଘଣ୍ଟିଆ ସେବା ଯୋଗାଉଛନ୍ତି। ପ୍ରତିଦିନ ୧୧୨ର ୧୦୬ଟି ଗାଡ଼ି ରାଜ୍ୟରେ ୧୦,୬୦୦ କିମି ପାଟ୍ରୋଲିଂ କରି ଲୋକଙ୍କୁ ସୁରକ୍ଷା ଯୋଗାଉଛି। ହେଲେ ଆଜିଠାରୁ ଏହି ଭ୍ୟାନ୍ ଅଧିକ ୩ହଜାର କିମି ପାଟ୍ରୋଲିଂ କରିବ। ନିକଟ ଭବିଷ୍ୟତରେ ପାଟ୍ରୋଲିଂ ସୀମା ୩୫,୦୦୦କୁ ବୃଦ୍ଧି କରାଯିବ। ବର୍ତ୍ତମାନ ସୁଦ୍ଧା ଇଆର୍ଏସ୍ଏସ୍ କେନ୍ଦ୍ରକୁ ୧କୋଟି ୧୬ଲକ୍ଷରୁ ଊର୍ଧ୍ବ ଲୋକ ଯୋଗାଯୋଗ କରିଛନ୍ତି। ସେହିପରି ଏହି ସେବାକୁ ଆଗାମୀ ଦିନରେ ଦେଶରେ ୧ ନମ୍ବର କରାଯାଇ ପ୍ରତିକ୍ରିୟା ସମୟକୁ ୨୦-୨୫ ମିନିଟ୍ ବଦଳରେ ୧୦-୧୫ ମିନିଟ୍ କରାଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି। କାର୍ଯ୍ୟକ୍ରମରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଦୟାଲ ଗଙ୍ଗୱାର, ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ ଓ ଡିସିପି ପିନାକ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଯୋଗଦେଇଥିଲେ।