ବାଲିପାଟଣାରେ ନିଆରା ପରମ୍ପରା: ଘରେ ମାଣବସା, ମଣ୍ଡପରେ ମହାଲକ୍ଷ୍ମୀ
ବାଲିପାଟଣା: ଘରେଘରେ ବିଧି ମୁତାବକ ରୀତିନୀତିରେ ଚାଲିଥାଏ ମାଣବସା। କିନ୍ତୁ ସମାନ ସମୟରେ ସମାନ୍ତରାଳ ଭାବେ ମଣ୍ଡପରେ ମଧ୍ୟ ଚାଲିଥାଏ ମହାଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମା ପୂଜା। ଏଭଳି ବିରଳ ପରମ୍ପରା ବର୍ଷବର୍ଷ ଧରି ବାଲିପାଟଣା ଅଞ୍ଚଳରେ ଚଳିଆସିଛି। ସାଧାରଣତଃ କାର୍ତ୍ତିକ ପୂଜା ପରେ ବିଭିନ୍ନ ଦେବଦେବୀଙ୍କ ମଣ୍ଡପ ପୂଜା ସରିଥାଏ। ଏହା ପୂର୍ବରୁ ଶାରଦୀୟ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଥାଏ। କିନ୍ତୁ ମାଣବସା ଗୁରୁବାରରେ ମା’ ଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତ୍ତି ମଣ୍ଡପରେ ପୂଜା ପାଇବା ଏକ ନିଆରା ପରମ୍ପରା, ଯାହାକି ବାଲିପାଟଣାରେ ହିଁ ବେଶ୍ ଜଣାଶୁଣା। ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାର ଏହି ବ୍ଲକ୍ରେ ପ୍ରାୟ ୧୦ଟି ସ୍ଥାନରେ ଏଭଳି ପୂଜା ବେଶ୍ ଜାକଜମକରେ ହେଉଛି।
ସ୍ଥାନୀୟ ଲୋକଙ୍କ କହିବା କଥା ମା’ ଲକ୍ଷ୍ମୀଙ୍କ ପ୍ରକୃତ ପୂଜା ହେଉଛି ମାଣବସା। ଏହି ସମୟରେ ବିଲରୁ ଧାନ ଅମଳ କରି ଖଳାକୁ ଅଣାଯାଉଥିବାରୁ ମା’ ଲକ୍ଷ୍ମୀ ଘରେଘରେ ବିରାଜମାନ କରନ୍ତି। ତେଣୁ ମହାଲକ୍ଷ୍ମୀଙ୍କୁ ଆବାହନ କରିବାର ପ୍ରକୃ୍ଷ୍ଟ ସମୟ ହେଉଛି ପବିତ୍ର ମାର୍ଗଶୀର ମାସ। ତେଣୁ ଏଠାରେ ଘରେ ମଣାବସା ହେଉଥିବା ବେଳେ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା କରିବା ବିଧି ପାଳନ କରାଯାଉଛି। ବନମାଳୀପୁର ଜନାର୍ଦ୍ଦନପାଟଣାରେ ୯୦ବର୍ଷ ହେଲା ଏହି ପୂଜା ହୋଇଆସୁଛି। ସେହିଭଳି ବନମାଳୀପୁର ବଜାରରେ ୮୫ବର୍ଷ ଧରି ଏହା ଜାରି ରହିଛି। ଏହାବାଦ୍ ବାଲିପାଟଣା ଥାନାସାହି ମହାଲକ୍ଷ୍ମୀ କ୍ଲବ୍ର ୫୨ତମ, ପମ୍ପାଲୋ ଗ୍ରାମରେ ୨୧ତମ, ବଳଭଦ୍ରପୁର ୩୪ତମ, ଡେଙ୍ଗରେ ୩୪ତମ, ନୂଆସାହିରେ ୧୮ତମ ଓ ଦରଡ଼ାରେ ୧୩ତମ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି। ବଡ଼କଥା ହେଉଛି ମହାଲକ୍ଷ୍ମୀଙ୍କ ଏହି ମଣ୍ଡପ ପୂଜା ୭ଦିନ ଧରି ଅନୁଷ୍ଠିତ ହୋଇଥାଏ। ମାର୍ଗଶୀର ମାସର ଶେଷ ଗୁରୁବାର ଏହି ପୂଜାର ପୂର୍ଣ୍ଣାହୁତି ପାଳନ କରାଯାଏ। ଏହି ମଣ୍ଡପ ପୂଜାରେ ସମସ୍ତ ବିଧିବିଧାନ ଅନୁସାରେ କଳସଯାତ୍ରାଠାରୁ ଆରମ୍ଭ କରି ଘଟମଣ୍ଡଳାଦି, ଜୀବନ୍ୟାସ, ଷୋଡ଼ଶ ଉପଚାର, ଗୋପୂଜା ଓ ସୂର୍ଯ୍ୟପୂଜା ଆଦି କରାଯାଇଥାଏ। ସେହିଭଳି ହନୁମାନ ଆଳତି, ଗୀତା ଆହୁତି, ଭାଗବତ ପାରାୟଣ, ଅଷ୍ଟପ୍ରହର ନାମଯଜ୍ଞ, ନଗର ସଂକୀର୍ତ୍ତନ ଭଳି କାର୍ଯ୍ୟକ୍ରମ ବି ରହିଛି। ଏହାବାଦ୍ ବିଷ୍ଣୁ ସହସ୍ର ନାମ ଆହୁତି, ସର୍ବଦେବଦେବୀ ଆହୁତି, ମହାଲକ୍ଷ୍ମୀ ଆହୁତି ଓ ଶେଷରେ ପୂର୍ଣ୍ଣାହୁତି ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥାଏ। ଘରେଘରେ ମାଣବସାର ମହକ ସାଙ୍ଗକୁ ବାହାରେ ମଣ୍ଡପରେ ମା’ ଲକ୍ଷ୍ମୀଙ୍କ ପୂଜା ଏବେ ସ୍ଥାନୀୟ ଅଞ୍ଚଳରେ ଏକ ସ୍ବତନ୍ତ୍ର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି।
latest news
11aammznxpa post image
ସରକାରୀ ଚାକିରି ଅର୍ଥ ଉପାର୍ଜନ ପାଇଁ କରନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ
କଢ଼ଖ post image
ଗିରଫ ପରେ ଥାନାରୁ ହସ୍ପିଟାଲ ପହଞ୍ଚିଲେ ଅଲ୍ଲୁ
Mid-day post image
ପୁଲିସ୍ ମୋ ‘ବେଡ୍ରୁମ୍’ରେ ପଶି ମୋତେ ଗିରଫ କରିଛି
ase post image
ପ୍ରଶାସନ ଭାଙ୍ଗିଲା ବ୍ୟାଙ୍କ ଶିଢ଼ି, ଜେସିବି ସାହାଯ୍ୟରେ କର୍ମଚାରୀ ହେଲେ ଉଦ୍ଧାର
WhatsApp Image 2024-12-13 at 1.54.20 PM (1) post image
ମଶାତେଲ-ବ୍ଲିଚିଙ୍ଗ ପାଉଡର କିଣା ଦୁର୍ନୀତି: ୩ପୌର କର୍ମଚାରୀ ଅଟକ