ରାଜ୍ୟ

ଝାରପଡ଼ା ଜେଲରେ କଏଦୀଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲା

ଭୁବନେଶ୍ବର: ଝାରପଡ଼ା ଜେଲରେ ଜଣେ ବିଚାରଧୀନ କଏଦୀଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲାକୁ ଦୁଇ ସପ୍ତାହ ପୂରିଲା। ତଦନ୍ତ ସାରି କଟକ ଡିଭିଜନ୍ ଡିଆଇଜି ଅନୁସୂୟା ଜେନା ଗତ ୫ ତାରିଖ ଦିନ ଏଡିଜିଙ୍କୁ ରିପୋର୍ଟ ପ୍ରଦାନ କରିସାରିଲେଣି। ରିପୋର୍ଟ ଦେବାର ୧୨ ଦିନ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ଆଜି ଯାଏଁ କାହାକୁ ଦୋଷୀ ସାବ୍ୟସ୍ତ କରାଗଲା ନାହିଁ କି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ।

ସମୟ ଗଡ଼ାଇ ମାମଲାକୁ ରଫାଦଫା କରିଦେବାକୁ ଉଦ୍ୟମ କରାଯାଉଥିବା ଯୋଜନା ଚାଲିଛି। ଏହି ଆକ୍ରମଣରେ ବହୁ ହାଇପ୍ରୋଫାଇଲ କଏଦୀ ସାମିଲ ଥିବାରୁ ଉପରୁ ଚାପ ପଡ଼ୁଛି। ତେଣୁ ପ୍ରକୃତ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଚର୍ଚ୍ଚା ହେଉଛି।

ସୂଚନାନୁସାରେ ବିଚାରାଧୀନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ଆକ୍ରମଣର କୌଣସି ଭିଡିଓ ପ୍ରମାଣ ନାହିଁ। ସେ ରହୁଥିବା ସେଲ୍ର ସିସିଟିଭି ଅଚଳ ହୋଇଯାଇଥିଲା। କେବଳ ସୌମ୍ୟକାନ୍ତଙ୍କ ଅଭିଯୋଗ ଅନୁସାରେ ଓ ଜେଲର୍ ଓ ୱାର୍ଡରଙ୍କ ବୟାନ ଆଧାରରେ ଆକ୍ରମଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ବୟାନରେ କୌଣସି ତାଳମେଳ ରହୁ ନାହିଁ। ଅନ୍ୟ ଏକ ସିସିଟିଭି ଫୁଟେଜ୍ରେ ପ୍ରାୟ ୮୦ ଜଣ କଏଦୀ ସୌମ୍ୟକାନ୍ତଙ୍କୁ ମାଡ଼ ମାରିବାକୁ ଏକାଠି ହୋଇଥିବା ଜଣାପଡ଼ିଛି। ଆକ୍ରମଣରେ ସଂପୃକ୍ତ କଏଦୀମାନଙ୍କୁ ଅନ୍ୟ ଜେଲ୍କୁ ପଠାଇବାକୁ ଯୋଜନା ଚାଲିଛି। କିନ୍ତୁ ଏମାନଙ୍କ ମଧ୍ୟରେ ବହୁ ହାଇପ୍ରୋଫାଇଲ କଏଦୀ ସାମିଲ ଅଛନ୍ତି। ତେଣୁ ଆକ୍ରମଣକାରୀଙ୍କ ଉପରେ କୌଣସି କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜେଲ୍ ବିଭାଗ ଅଧିକାରୀଙ୍କ ଉପରେ ଉପର ମହଲରୁ ଚାପ ବଢ଼ୁଛି।

ଅନ୍ୟପକ୍ଷରେ ସିସିଟିଭି ନଥିବା ସହ ଚିଠି ଲେଖିଥିବା କଏଦୀଙ୍କ ବାବଦରେ ଅନ୍ୟ କଏଦୀମାନଙ୍କୁ ସୂଚନା ଦେବା, ଜେଲ୍ ମଧ୍ୟରେ ଚାଲିଥିବା କେଳେଙ୍କାରୀର ଗୁମର, ସହ ଟଙ୍କା ନେଇ କଏଦୀମାନଙ୍କୁ ନିଶାଦ୍ରବ୍ୟ ମୋବାଇଲ୍ ଆଦି ଯୋଗାଇ ଦେବା ମାମଲାରେ ଝାରପଡ଼ା ଜେଲର ଅଧୀକ୍ଷକ, ଜେଲ୍ର ୱାଡର ଓ କର୍ମଚାରୀଙ୍କ ସଂପୃକ୍ତି ମଧ୍ୟ ସାମ୍ନାକୁ ଆସୁଛି। ସୌମ୍ୟକାନ୍ତ ମଧ୍ୟ ଡିଆଇଜିଙ୍କ ତଦନ୍ତରେ ସନ୍ତୁଷ୍ଟ ନଥିବା ଏକ ଫୋନ କଲ ରେକର୍ଡରୁ ଜଣାପଡ଼ିଛି। ଡିଆଇଜି ଅଧୀକ୍ଷକଙ୍କ କ୍ଲାସମେଟ୍ ହୋଇଥିବାରୁ ତାଙ୍କୁ ବଞ୍ଚାଇବାକୁ ସେ ଠିକ୍ ଭାବେ ତଦନ୍ତ କରି ନଥିବା ଜଣାପଡ଼ିଛି। କେବଳ ମାଡ଼ ମାମଲାର ତଦନ୍ତ ହୋଇଥିବା ବେଳେ ଯେଉଁ ଚିଠି ଡିଏଲ୍ଏସ୍ଙ୍କୁ ଲେଖି ଜେଲର ଗୁମର ଖୋଲିଥିଲେ, ସେ ବାବଦରେ କୌଣସି ତଦନ୍ତ ହୋଇ ନଥିବା ସେ କହୁଛନ୍ତି। ଅନ୍ୟପଟେ ଏତେ ବଡ଼ ଘଟଣା ପରେ ମଧ୍ୟ ଜେଲ୍ରେ ହାର୍ଡକୋର କଏଦୀମାନେ ମନମାନି କରୁଥିବା ଜଣାପଡ଼ିଛି।

ନିଜର ପତିଆରା ଦେଖାଇବାକୁ ଯାଇ ଜେଲ୍ ମଧ୍ୟରେ ଗ୍ୟାଙ୍ଗ ତିଆରି କରୁଛନ୍ତି। କର୍ମଚାରୀମାନେ ସବୁ ଜାଣି ଟଙ୍କା ନେଇ ଚୁପ ହୋଇ ଯାଉଛନ୍ତି। କିନ୍ତୁ ଏବେ ମାମଲା ଚାଲିଥିବାରୁ ସେମାନଙ୍କୁ କିଛି ଦିନ ପାଇଁ ଚୁପ ରହିବାକୁ ନିର୍ଦ୍ଦେଶ ଦିଆଯାଉଥିବା ଜଣାପଡ଼ିଛି। ଏବେବି ଜେଲ୍ରେ ମାଦକ ଦ୍ରବ୍ୟ ଚାଲାଣ ହେଉଛି। ଜେଲ୍ରୁ ପୁରୁଣା କର୍ମଚାରୀଙ୍କୁ ବଦଳି କରିବାକୁ ଉପରିସ୍ଥ ଜେଲ ଅଧିକାରୀମାନେ ଯୋଜନା କରୁଥିବା ଜଣାପଡ଼ିଛି। ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ ରିପୋର୍ଟର ତର୍ଜମା ଚାଲିଛି। ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button