ରାଜ୍ୟ

ଖୋଲିବ ଭାଗୀରଥି ହତ୍ୟାକାଣ୍ଡ ଫାଇଲ୍‌: ଭ‌ାସ୍କର ରାଓଙ୍କ ସମେତ ୬ଜଣଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ

ରାୟଗଡ଼ା: ବହୁ ଚର୍ଚ୍ଚିତ ଭାଗୀରଥି ମାଣ୍ଡାଙ୍ଗି ହତ୍ୟାକାଣ୍ଡ ନୂଆ ମୋଡ଼ ନେଇଛି। ୧୪ବର୍ଷ ପୁରୁଣା ମାମଲାର ଫାଇଲ୍ ପୁଣି ଖୋଲିବାକୁ ଯାଉଛି। ଭାଇ ଜଗନ୍ନାଥ ମାଣ୍ଡାଙ୍ଗିଙ୍କ ୧ସିସି ମକଦମାକୁ ଶୁଣାଣି ନିମନ୍ତେ ରାୟଗଡ଼ା ଏସ୍ଡିଜେଏମ୍ ବର୍ଷା ଦାଶ ଗ୍ରହଣ କରିଛନ୍ତି। ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତା ଭାସ୍କର ରାଓ, ବିଜେପି ନେତା ୟେଲା ଭେଙ୍କେଟେଶ୍ବର ରାଓ, କେ.

କ୍ରିଷ୍ଣା ରାଓ, ଇପିଲି ସନ୍ନ୍ୟାସୀ ରାଜୁ, ଏନ୍ ଆଦି ନାରାୟଣା ଏବଂ ପି. ଦିଲୀପ କୁମାରଙ୍କ ବିରୋଧରେ କୋର୍ଟ ଜାମିନ ବିହୀନ ଗିରଫ ପରୱାନା (ଏନ୍ବିଡବ୍ଲ୍ୟୁ) ଜାରି କରିଛନ୍ତି। କୋର୍ଟଙ୍କ ଆଦେଶ ପରେ ପୂର୍ବତନ ସାଂସଦଙ୍କୁ ଶକ୍ତ ଝଟ୍କା ଲାଗିଛି।

୨୦୧୦ ମସିହା ଡିସେମ୍ବର ୧୫ ତାରିଖରେ ରାୟଗଡ଼ାର ଯୁବ ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗି ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ଏ ନେଇ ଥାନାରେ ଅଭିଯୋଗ କରିବାର ୪ଦିନ ପରେ ଆନ୍ଧ୍ରପ୍ରଦେଶ କୋମରାଡ଼ା ଡ୍ୟାମ୍ ନିକଟରୁ ଗୋଟିଏ ଗଳିତ ଶବ ଉଦ୍ଧାର ହୋଇଥିଲା। ସପ୍ତାହେ ପରେ ଜାରି ହୋଇଥିବା ଫଟୋରୁ ଉକ୍ତ ମୃତଦେହ ଭାଗୀରଥିଙ୍କର ବୋଲି ପରିବାର ଲୋକ ଚିହ୍ନଟ କରିଥିଲେ। ତେଣୁ ହତ୍ୟା ମାମଲା ରୁଜୁ କରି ରାୟଗଡ଼ା ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସର ଗତିହୀନ ତଦନ୍ତକୁ ନେଇ ପରିବାର ସଦସ୍ୟ ଏବଂ ଆଦିବାସୀ ମହାସଂଘ ସନ୍ଦେହ ପ୍ରକାଶ କରିବା ସହ ରାସ୍ତାକୁ ଓହ୍ଲାଇଥିଲେ। ସିବିଆଇ ତଦନ୍ତ ନିମନ୍ତେ ଦାବି କରିଥିଲେ। ଆନ୍ଦୋଳନ ଜୋର୍ଦାର ହେବାରୁ ତତ୍କାଳୀନ ରାଜ୍ୟ ସରକାର ଚାପଗ୍ରସ୍ତ ହୋଇ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ। ୨୦୧୧ ମସିହା ଫେବ୍ରୁଆରି ମାସରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲେ। କିନ୍ତୁ ୧୩ବର୍ଷ ପରେ ବି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିପାରିନି କ୍ରାଇମବ୍ରାଞ୍ଚ।

ଜଣେ ବି ଅଭିଯୁକ୍ତ ଏହି ହାଇପ୍ରୋଫାଇଲ୍ ମାମଲାରେ ଧରାପଡ଼ିନାହାନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚ ସଂପୂର୍ଣ୍ଣ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିସାରିଛି। ଯାହାକୁ ଏଯାଏ ସରକାରଙ୍କ ପକ୍ଷରୁ ସାର୍ବଜନୀନ କରାଯାଇନି। ବହୁବର୍ଷ ପରେ ବି ମାମଲାରେ କୌଣସି ପ୍ରକାର ଅଗ୍ରଗତି ହୋଇ ନଥିବାରୁ ଗତ ଏପ୍ରିଲ ମାସରେ ଭାଇ ଜଗନ୍ନାଥ ମାଣ୍ଡାଙ୍ଗି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପୁଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇବା ସହ କୋର୍ଟଙ୍କ ହସ୍ତକ୍ଷେପ ନିମନ୍ତେ ନିବେଦନ କରିଥିଲେ। ଯାହାର ଶୁଣାଣି ନିମନ୍ତେ କୋର୍ଟ ଗ୍ରହଣ କରିବା ସହ ଆବେଦନକାରୀଙ୍କ ପକ୍ଷ ଶୁଣିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଯେଉଁ ଦଫା ଲାଗିଛି ତାହାରି ଆଧାରରେ ଭାସ୍କର ଏବଂ ଅନ୍ୟ ୫ ଅଭିଯୁକ୍ତଙ୍କ ବିରୋଧରେ ଏନ୍ବିଡବ୍ଲ୍ୟୁ ଜାରି ହୋଇଥିବା ପ୍ରତିପକ୍ଷ ଓକିଲ ସାମୁଏଲ ତାଣ୍ଡି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button