ରାଜ୍ୟ

ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପ ଜେନାଙ୍କୁ ଜାରି ହେବ ସମନ – Ibnodisha

[ad_1]

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଅଭିଯୋଗକାରୀ ଓ ସାକ୍ଷୀଙ୍କ ବୟାନ, ଅନ୍ୟ ଉପଲବ୍ଧ ରେକର୍ଡରୁ ଶ୍ରୀ ଜେନାଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ ଆପାତତଃ ମାମଲା ପାଇଁ ତଥ୍ୟ ରହିଛି ବୋଲି ସାଲେପୁର ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ (ଜେଏମ୍‌ଏଫ୍‌ସି) ଅଦାଲତ କହିବା ସହିତ କଗନିଜାନ୍ସ ଗ୍ରହଣ କରିଛନ୍ତି। ଶ୍ରୀ ଜେନାଙ୍କୁ ସମନ୍ ଜାରି ଲାଗି ଆବଶ୍ୟକ କାଗଜପତ୍ର (ରିକ୍ୟୁଜାଇଟ୍ସ) ଦାଖଲ ପାଇଁ ଅଦାଲତ ଅଭିଯୋଗକାରୀ ରଣଜିତ ବରାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ ଅଦାଲତଙ୍କ ନିର୍ଦ୍ଦେଶ ପରେ ସ୍ବତନ୍ତ୍ର ମେସେଞ୍ଜର ମାଧ୍ୟମରେ ଶ୍ରୀ ଜେନାଙ୍କୁ ସମନ୍ ଜାରି ପାଇଁ ରଣଜିତ ବରାଳଙ୍କ ତରଫରୁ ଆବେଦନ ଦାଖଲ କରାଯାଇଥିଲା। ଆଜି ଅଦାଲତ ଏହି ଆବେଦନକୁ ଗ୍ରହଣ କରି ସ୍ବତନ୍ତ୍ର ମେସେଞ୍ଜରଙ୍କ ମାଧ୍ୟମରେ ଶ୍ରୀ ଜେନାଙ୍କୁ ସମନ୍ ଜାରି ପାଇଁ ଅନୁମତି ଦେଇଛନ୍ତି ବୋଲି ଅଭିଯୋଗକାରୀଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପ୍ରବୀଣ କାନୁନଗୋ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଅଭିଯୋଗକାରୀ ଓ ସାକ୍ଷୀଙ୍କ ବୟାନ, ଅନ୍ୟ ରେକର୍ଡରୁ ଶ୍ରୀ ଜେନାଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ ଅଭିଯୋଗ ନେଇ ଆପାତତଃ ମାମଲା ରହିଛି ବୋଲି ଅଦାଲତ କହିଥିଲେ। ଶ୍ରୀ ଜେନା ମାହାଙ୍ଗା ବିଧାୟକ ହୋଇଥିବା ଦୃଷ୍ଟିରୁ ମାମଲାର ରେକର୍ଡ ଭୁବନେଶ୍ବର ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ଅଦାଲତକୁ ସ୍ଥାନାନ୍ତର ପାଇଁ ସାଲେପୁର ଜେଏମଏଫସି ଅଦାଲତ ସେପ୍ଟେମ୍ବର ୧୫ରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମାମଲାରେ କଗନିଜାନ୍ସ ଗ୍ରହଣ କରାଯାଇ ନଥିବା କାରଣରୁ ରେକର୍ଡ ସ୍ବତନ୍ତ୍ର ଅଦାଲତଙ୍କୁ ପ୍ରଦାନ କରାଯାଇ ନଥିଲା। ପୁଣି ସାଲେପୁର ଜେଏମଏଫସି ଅଦାଲତରେ ମାମଲାର ଶୁଣାଣି ହୋଇଥିଲା।

ମାମଲାର ବିବରଣୀ ଅନୁଯାୟୀ ୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ତଦନ୍ତ କରି ପୁଲିସ ଯେଉଁ ଚାର୍ଜସିଟ ଦାଖଲ କରିଥିଲା ସେଥରେ ତତ୍କାଳୀନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନାମ ନଥିଲା। ଏତଲାରେ ଶ୍ରୀ ଜେନାଙ୍କ ନାଁରେ ଅଭିଯୋଗ ଥିବା ବେଳେ ଚାର୍ଜସିଟରୁ କିନ୍ତୁ ତାଙ୍କୁ ବାଦ ଦିଆଯାଇଥିଲା। ପୁଲିସର ଚଜାର୍ସିଟ ବିରୋଧରେ ଏତଲାକାରୀ ରମାକାନ୍ତ ବରାଳଙ୍କ ପକ୍ଷରୁ ପ୍ରୋଟେଷ୍ଟ ପିଟିସନ ସାଲେପୁର ଜେଏମଏଫସି ଅଦାଲତରେ ଦାଖଲ ହୋଇଥିଲା। ଅଦାଲତ ପିଟିସନର ଶୁଣାଣି କରି ଘଟଣାର ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ତ୍ବରିତ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ମାହାଙ୍ଗା ଥାନା ଆଇଆଇସିଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

ସିଡିଆର ମଗାଇବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାହାଙ୍ଗା ଥାନାର ତତ୍କାଳୀନ ଆଇଆଇସିଙ୍କ ବଦଳି ପରେ ସାଲେପୁର ଡିଏସପିଙ୍କୁ ତଦନ୍ତ ଭାର ଦିଆଯାଇଥିଲା। ଡିଏସପି ତଦନ୍ତ ଶେଷ କରିବା ପରେ ପ୍ରତାପ ଜେନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନଥିବା ଦର୍ଶାଇ ଚୂଡ଼ାନ୍ତ ରିପୋର୍ଟ ଅଦାଲତରେ ଦାଖଲ କରିଥିଲେ। ଅନ୍ୟପକ୍ଷରେ ଏହି ଚୂଡ଼ାନ୍ତ ରିପୋର୍ଟରେ କୌଣସି ଆପତ୍ତି ଥିଲେ ଅବଗତ କରିବାକୁ ଏତଲାକାରୀ ରମାକାନ୍ତ ବରାଳଙ୍କୁ ଅଦାଲତ ନୋଟିସ୍ ଜାରି କରିଥିଲେ। ରମାକାନ୍ତ ବରାଳ ନୋଟିସ୍ ପାଇଥ‌ିଲେ। କିନ୍ତୁ ଏ ନେଇ ପ୍ରୋଟେଷ୍ଟ ପିଟିସନ ମାଧ୍ୟମରେ ଅବଗତ କରିବା ପୂର୍ବରୁ ୨୦୨୨ ଡିସେମ୍ବର ୯ରେ ଏତଲାକାରୀ ରମାକାନ୍ତ ବରାଳଙ୍କ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହାପରେ ରଣଜିତ ବରାଳ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button