ସରକାରୀ ହସ୍ପିଟାଲରେ ରୋଗୀ ମଡକ; ଆଉ ୨ ହସ୍ପିଟାଲରେ ୨୩ ମୃତ – Ibnodisha
[ad_1]
ଆଜି ବମ୍ବେ ହାଇକୋର୍ଟରେ ଶୁଣାଣି
ମୁମ୍ବାଇ: ମହାରାଷ୍ଟ୍ରର ବିଭିନ୍ନ ସରକାରୀ ହସ୍ପିଟାଲରେ ବର୍ତ୍ତମାନ ରୋଗୀ ମଡକ ଦେଖିବାକୁ ମିଳୁଛି । ନାନ୍ଦେଦ ଓ ଔରଙ୍ଗାବାଦସ୍ଥିତ ସରକାରୀ ହସ୍ପିଟାଲରେ ଇତିମଧ୍ୟରେ ମୋଟ ୩୮ ଜଣ ପ୍ରାଣ ହରାଇଥିବାବେଳେ ଏହି ତାଲିକାରେ ରାଜ୍ୟର ଆଉ ୨ଟି ସରକାରୀ ହସ୍ପିଟାଲ ସାମିଲ ହୋଇଥିବା ଜଣାପଡିଛି । ନାଗପୁରସ୍ଥିତ ସରକାରୀ ହସ୍ପିଟାଲରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣ ରୋଗୀ ପ୍ରାଣ ହରାଇଛନ୍ତି । ଏହି ହସ୍ପିଟାଲରେ ୧୯୦୦ ରୋଗୀଙ୍କ ପାଇଁ ଶଯ୍ୟା ଥିବାବେଳେ ପ୍ରତ୍ୟେକ ଦିନ ହାରାହାରି ୧୦ରୁ ୧୨ ଜଣ ପ୍ରାଣ ହରାଉଛନ୍ତି ବୋଲି ଡିନ୍ ଡଃ ରାଜ୍ ଗଜଭିୟେ କହିଛନ୍ତି । ପୁନଶ୍ଚ ବିଗତ ୨୪ ଘଣ୍ଟାରେ ନାଗପୁରର ଇନ୍ଧିରା ଗାନ୍ଧୀ ସରକାରୀ ହସ୍ପିଟାଲରେ ୯ ରୋଗୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଇନ୍ଦିରା ଗାନ୍ଧୀ ହସ୍ପିଟାଲରେ ୮୦୦ ରୋଗୀଙ୍କ ପାଇଁ ଶଯ୍ୟା ବ୍ୟବସ୍ଥା ଥିବାବେଳେ ଦୈନିକ ହାରାହାରି ୬ ଜଣ ରୋଗୀ ପ୍ରାଣ ହରାଉଥିବା ଜଣାପଡିଛି ।
ଅଧିକାଂଶ ରୋଗୀ ମୁମୂର୍ଷୁ ଅବସ୍ଥାରେ ଆସୁଥିବା ସେମାନଙ୍କୁ ଆଇସିୟୁର ଆବଶ୍ୟକତା ପଡୁଛି । ତେବେ ସରକାରୀ ହସ୍ପିଟାଲରେ ଏତେ ସଂଖ୍ୟକ ଆଇସିୟୁ ନଥିବାରୁ ଏଭଳି ସମସ୍ୟା ଉପୁଜିଥିବା କୁହାଯାଇଛି । ଇତିମଧ୍ୟରେ ସରକାରୀ ହସ୍ପିଟାଲରେ ଏତେ ସଂଖ୍ୟକ ରୋଗୀଙ୍କ ମୃତ୍ୟୁକୁ ନେଇ ବମ୍ବେ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିବା ସହ ନିଜ ଆଡୁ ମାମଲା ରୁଜୁ କରିଛନ୍ତି । ଆସନ୍ତାକାଲି ମୁଖ୍ୟ ବିଚାରପତି ଜଷ୍ଟିସ ଡି.କେ.ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଏହାର ଶୁଣାଣି କରାଯିବ । ସମସ୍ତ କାଗଜପତ୍ର ଦାଖଲ କରିବାକୁ ହାଇକୋର୍ଟ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ ମହାରାଷ୍ଟ୍ରର ନାନ୍ଦେଦ୍ ଜିଲ୍ଲାରେ ଥିବା ଶଙ୍କରରାଓ ଚୌହ୍ୱାନ ସରକାରୀ ହସ୍ପିଟାଲରେ ମଙ୍ଗଳବାର ସୁଦ୍ଧା ବିଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭ ଜଣ ରୋଗୀ ପ୍ରାଣ ହରାଇଛନ୍ତି । ଫଳରେ ଏମାନଙ୍କୁ ମିଶାଇ ୪୮ ଘଣ୍ଟା ମଧ୍ୟରେ ରୋଗୀଙ୍କ ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ୩୧ ମୃତକଙ୍କ ମଧ୍ୟରେ ୧୬ ଜଣ ଶିଶୁ ଅନ୍ତର୍ଭୁକ୍ତ । ଏହାବ୍ୟତୀତ ଏଠାରେ ଚିକିତ୍ସିତ ହେଉଥିବା ୭୦ ଜଣ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଡିନ୍ ଡଃ ଶ୍ୟାମରାଓ ୱାକୋଡେ କହିଛନ୍ତି । ଜରୁରୀ ଔଷଧ ଏବଂ କର୍ମଚାରୀ ଅଭାବ ଯୋଗୁଁ ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ଯେଉଁ ଚର୍ଚ୍ଚା ଚାଲିଛି, ତାହାକୁ ୱାକୋଡେ ଖଣ୍ଡନ କରିଛନ୍ତି । ନାନ୍ଦେଦ୍ ପରେ ଔରଙ୍ଗାବାଦ ଜିଲ୍ଲାସ୍ଥିତ ଏକ ସରକାରୀ ହସ୍ପିଟାଲରେ ମଙ୍ଗଳବାର ସୁଦ୍ଧା ବିଗତ ୨୪ ଘଣ୍ଟା ମଧ୍ୟରେ ୧୨ ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
[ad_2]