ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ଆରମ୍ଭ ପୂର୍ବରୁ ୟୁଟୁବ୍ରେ ପ୍ରଶ୍ନପତ୍ର ପ୍ରଘଟ କ୍ଷୋଭ ପ୍ରକାଶ କଲା ଓଷ୍ଟା, ସରକାର ହସ୍ତକ୍ଷେପ କରିବାକୁ ଦାବି – Ibnodisha

[ad_1]
କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ଼) ଦ୍ୱାରା ଦଶମ ଶ୍ରେଣୀର ଅର୍ଦ୍ଧବାର୍ଷିକ ପରୀକ୍ଷା ବର୍ତ୍ତମାନ ଚାଲୁଥିଲା ବେଳେ ଏହି ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ପ୍ରଶ୍ନପତ୍ର ପ୍ରସ୍ତୁତ କରି ସମସ୍ତ ବିଦ୍ୟାଳୟକୁ ପଠାଇଛି । ପ୍ରଶ୍ନପତ୍ରର ପ୍ୟାକେଟିଂ, ପ୍ରଶ୍ନପତ୍ରକୁ ଯୋଗାଇବାରେ ଯେଉଁ ବ୍ୟବସ୍ଥା କରାଯାଇଛି ଏହା ନିଶ୍ଚିତ ସ୍ୱାଗତ ଯୋଗ୍ୟ । କିନ୍ତୁୁ ପରୀକ୍ଷା ହେବା ପୂର୍ବରୁ ୟୁଟୁବ୍ ମାଧ୍ୟମରେ ଏବଂ ବିଭିନ୍ନ ଜାଗାରେ ପ୍ରଶ୍ନପତ୍ର ମିଳିବା, ପ୍ରଶ୍ନପତ୍ର ସହିତ ତାର ଉତ୍ତର ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କ୍ଷୋଭର ସହିତ କହିଛନ୍ତି । ସୂଚନାଥାଉକି, ପୂର୍ବରୁ ଯେଉଁ ପରୀକ୍ଷା ହେଉଥିଲା ସେହି ପରୀକ୍ଷାକୁ ପରିବର୍ତ୍ତନ କରି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ଼) ପ୍ରଶ୍ନପତ୍ର ଯୋଗାଇବା ନିଜ ହାତକୁ ନେଲା । କିନ୍ତୁ ଏମିତି ପ୍ରଶ୍ନପତ୍ର ଖୋଲା ବଜାରରେ ଉପଲବ୍ଧ ହେବା ଛାତ୍ରଛାତ୍ରୀ, ଅଭିଭାବକଙ୍କ ତଥା ଶିକ୍ଷକ ସମସ୍ତଙ୍କ ଉପରେ ଏକ ମାନସିକ ଚାପ ସୃଷ୍ଟି କରୁଛି । ପରୀକ୍ଷାର ବହୁ ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ହୋଇ ମୋବାଇଲ୍ରୁ ମୋବାଇଲ୍କୁ ଘୂରି ବୁଲୁଛି ।
ଏପରିକି ପରୀକ୍ଷା ପୂର୍ବରୁ ଜେରକ୍ସ ହୋଇ ବିଭିନ୍ନ ଜାଗାରେ ଉପଲବ୍ଧ ହେଉଛି । ପିଲାମାନେ ପୂର୍ବଦିନ ରାତିରେ ଉକ୍ତ ପ୍ରଶ୍ନପତ୍ରକୁ ପଢ଼ି ଏବଂ ପ୍ରସ୍ତୁତ ହୋଇ ପରଦିନ ଉତ୍ତର ଦେଉଛନ୍ତି । ନା ଏଥିରୁ ପିଲାମାନଙ୍କର ଦକ୍ଷତା ମପାଯାଇ ପାରୁଛି ନା ରହିଯାଉଥିବା ଦୁର୍ବଳତାକୁ ସଂଶୋଧନ କରାଯାଇ ପାରୁଛି ।ସମସ୍ତ ପ୍ରଶ୍ନର ଉତ୍ତର ବହୁ ପୂର୍ବରୁ ମିଳିଯାଉଥିବାରୁ ଛାତ୍ରଛାତ୍ରୀଙ୍କର ଅଧ୍ୟୟନ ଦକ୍ଷତା ହ୍ରାସ ପାଉଛି । ଓଡ଼ିଶାରେ ଆଠ ହଜାରୁ ଊର୍ଦ୍ଧ୍ୱ ମାଧ୍ୟମିକ ବିଦ୍ୟଳୟରେ ସାଢ଼େ ପାଞ୍ଚଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦଶମ ବୋର୍ଡ଼ ପରୀକ୍ଷାର ସମ୍ମୁଖୀନ ହେଉଛନ୍ତିି । ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର କହିଛନ୍ତିି ଏହିଭଳି ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକତାକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରାଯାଉଛି । ପରୀକ୍ଷା ପ୍ରଶ୍ନପତ୍ର ଯେଭଳି ପ୍ରଘଟ ନହୁଏ ସେଥିପ୍ରତି ବୋର୍ଡ଼ କର୍ତ୍ତୃପକ୍ଷ ଯତ୍ନବାନ ହେବା ଆବଶ୍ୟକ ।
ଗତକାଲି ଠାରୁ ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ବୋର୍ଡ଼ ପରୀକ୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ଼) ଏପର୍ଯ୍ୟନ୍ତ ନୀରବତା ଅବଲମ୍ବନ କରି ବସି ରହିଛି । ଯେଉଁ ଅସାଧୁ ବ୍ୟକ୍ତିବିଶେଷ ଏହାକୁ ପ୍ରଘଟ କରୁଛ”ି ସେମାନଙ୍କୁ ଚିହ୍ନଟ କରି ସରକାର ଉପଯୁକ୍ତ ଦଣ୍ଡ ବିଧାନ କରିବା ଉଚିତ । ସରକାର ଏଥିରେ ହସ୍ତକ୍ଷେପ କରି ଲକ୍ଷଲକ୍ଷ ପିଲାମାନଙ୍କର ଭବିଷ୍ୟତକୁ ସୁରକ୍ଷିତ କରନ୍ତୁ ବୋଲି ଓଷ୍ଟା ପକ୍ଷରୁ ଅକ୍ଷୟ କୁମାର ମିଶ୍ର, ନୀଳମଣି ପୁରୋହିତ, ରଞ୍ଜନ କୁମାର ଦାଶ, ବ୍ରଜକିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାର ଓ ବୋର୍ଡ଼ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
[ad_2]




