ନିଜ ବିଷୟରେ ଫେଲ୍ ହୋଇଥିଲେ ନୋବେଲ ବିଜେତା! – Ibnodisha

[ad_1]

‘ବିଫଳତା ହିଁ ସଫଳତାର ମୂଳ ସ୍ତମ୍ଭ’- ଏହି କଥାକୁ ଅକ୍ଷରେ ଅକ୍ଷରେ ପ୍ରମାଣ କରିଛନ୍ତି ଚଳିତବର୍ଷର ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାରର ସହବିଜେତା ମୌଙ୍ଗି ବାୱେଣ୍ଡି। ‘କ୍ବାଣ୍ଟମ ଡଟ୍ସ’ର ବିକାଶ ପାଇଁ ମାସାଚ୍ୟୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମ୍ଆଇଟି)ର ରସାୟନ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ମୌଙ୍ଗିଙ୍କୁ ଏହି ସମ୍ମାନ ମିଳିଛି। ତେବେ ମଜାର କଥା, ରସାୟନ ଶାସ୍ତ୍ରର ଏହି ଗୂଢ଼ ଉପଲବ୍ଧି ହାସଲ କରିଥିବା ମୌଙ୍ଗି ୧୯୭୦ ଦଶକରେ ହାଭାର୍ଡ ବିଶ୍ବବିଦ୍ୟାଳୟରେ ପଢ଼ିଲା ବେଳେ ରସାୟନ ବିଜ୍ଞାନର ପ୍ରଥମ ପେପର୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନଥିଲେ। ମୌଙ୍ଗି ହାଇସ୍କୁଲ ପଢ଼ିଲା ବେଳେ ବିଜ୍ଞାନ ବିଷୟରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ। କିନ୍ତୁ ହାଭାର୍ଡ ବିଶ୍ବବିଦ୍ୟାଳୟର ବିଶାଳକାୟ ଶ୍ରେଣୀଗୃହ ସାଙ୍ଗକୁ ପ୍ରୋକ୍ଟରଙ୍କର କଠୋରତା ଦେଖି ସେ ଭୟଭୀତ ହୋଇପଡ଼ିଥିଲେ ଏବଂ ପରୀକ୍ଷା ପାଇଁ ଆଦୌ ପଢ଼ିପାରୁନଥିଲେ ବୋଲି ସେ ପ୍ରକାଶ କରିଛନ୍ତି।
ଫଳସ୍ବରୂପ, ପରୀକ୍ଷାରେ ସେ ରସାୟନ ବିଜ୍ଞାନର ପ୍ରଥମ ପ୍ରଶ୍ନକୁ ଦେଖି ଅଟକିଯାଇଥିଲେ ଏବଂ ଉତ୍ତର ଲେଖି ପାରିନଥିଲେ। ସେହିପରି ଦ୍ବିତୀୟ ପ୍ରଶ୍ନରେ ମଧ୍ୟ ତାଙ୍କର ସମଦଶା ଘଟିଥିଲା। ଏପରି ଭାବେ ତାଙ୍କୁ ଶହେରୁ ମୋଟ ୨୦ ନମ୍ବର ମିଳିଥିଲା ଯାହାକି ଶ୍ରେଣୀରେ ସର୍ବନିମ୍ନ ଥିଲା। ଏହା ତାଙ୍କୁ ହତାଶ କରିଦେଇଥିଲା। ସେ ଭାବିଥିଲେ ଯେ ତାଙ୍କ କ୍ୟାରିଅର ନଷ୍ଟ ହୋଇଗଲା। ପରେ ସେ ହୃଦୟଙ୍ଗମ କଲେ ଯେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାର କଳା ତାଙ୍କୁ ଜଣାନଥିଲା। ଏହି ସାମାନ୍ୟ କଥାକୁ ଅନୁଭବ କରି ସେ ନିଜକୁ ପ୍ରସ୍ତୁତ କରି ଚାଲିଲେ। ପରିଣତି ସ୍ବରୂପ, ପରବର୍ତ୍ତୀ ପରୀକ୍ଷାଗୁଡ଼ିକରେ ତାଙ୍କର ଉକ୍ତ ଫେଲ୍ ବିଷୟରେ ଶହେରୁ ଶହେ ନମ୍ବର ରହିଥିଲା। ଆଉ ପରିଶେଷରେ ସେ ଆଜି ଯେଉଁଠି ପହଞ୍ଚିଛନ୍ତି, ତାହା ବିଶ୍ବବିଦିତ।
[ad_2]