ବାଜିଲା ନିର୍ବାଚନୀ ବିଗୁଲ୍: ନଭେମ୍ବର ୭ରୁ ଭୋଟ୍ ଡିସେମ୍ବର ୩ରେ ଗଣତି – Ibnodisha

[ad_1]
ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ମିଜୋରାମରେ ଗୋଟିଏ ପର୍ଯ୍ୟାୟ, ଛତିଶଗଡ଼ରେ ୨ ପର୍ଯ୍ୟାୟରେ ଭୋଟ୍

ନୂଆଦିଲ୍ଲୀ: ନିର୍ବାଚନ କମିସନ୍ ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ସେହି ରାଜ୍ୟଗୁଡ଼ିକ ହେଲା ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମ, ରାଜସ୍ଥାନ ଏବଂ ତେଲେଙ୍ଗାନା। ନଭେମ୍ବର ୭ରୁ ୩୦ ମଧ୍ୟରେ ଉପରୋକ୍ତ ୫ ରାଜ୍ୟରେ ଭୋଟ୍ ଗ୍ରହଣ ହେବ। ଡିସେମ୍ବର ୩ରେ ଭୋଟ୍ ଗଣତି କରାଯିବ। ଭାରତର ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଆଜି ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି।
ଛତିଶଗଡ଼କୁ ବାଦଦେଲେ ଅନ୍ୟ ସମସ୍ତ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। କେବଳ ଛତିଶଗଡ଼ରେ ୨ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ ନଭେମ୍ବର ୭ରେ ଏବଂ ଦ୍ବିତୀୟ ପର୍ଯ୍ୟାୟ ମତଦାନ ନଭେମ୍ବର ୧୭ରେ ହେବ। ମିଜୋରାମରେ ମଧ୍ୟ ନଭେମ୍ବର ୭ରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଅଛି। ମଧ୍ୟପ୍ରଦେଶରେ ନଭେମ୍ବର ୧୭ରେ, ରାଜସ୍ଥାନରେ ନଭେମ୍ବର ୨୩ରେ ଏବଂ ତେଲେଙ୍ଗାନାରେ ନଭେମ୍ବର ୩୦ରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି, ଉକ୍ତ ୫ ରାଜ୍ୟରେ ୬୦.୨ ଲକ୍ଷ ଭୋଟର ପ୍ରଥମ ଥର ପାଇଁ ଭୋଟ୍ ଦେବେ। ୮.୨ କୋଟି ପୁରୁଷ ଭୋଟର ଥିବାବେଳେ ୭.୮ କୋଟି ମହିଳା ଭୋଟର ଅଛନ୍ତି। ମୋଟ୍ ୧୬.୧ କୋଟି ମତଦାତା ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ୫ ରାଜ୍ୟରେ ୧.୭୭ ଲକ୍ଷ ଭୋଟିଂ ବୁଥ୍ ରହିବ। ନିର୍ବାଚନୀ ପ୍ରକ୍ରିୟାରେ ସ୍ବଚ୍ଛତା ରଖିବା ପାଇଁ ୧.୦୧ ଲକ୍ଷ ବୁଥ୍ରେ ଅତିରିକ୍ତ ୱେବକାଷ୍ଟିଙ୍ଗ ସୁବିଧା ଉପଲବ୍ଧ ହେବ। ୫ ରାଜ୍ୟରେ ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ ନିର୍ବାଚନ କମିସନ୍ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ବିରୋଧୀ ଇଣ୍ଡିଆ ମେଣ୍ଟ ଏବଂ ଏନ୍ଡିଏ ମଧ୍ୟରେ ଉପରୋକ୍ତ ୫ ରାଜ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ଛତିଶଗଡ଼ରେ ବିଧାନସଭାର ମୋଟ ଆସନ ସଂଖ୍ୟା ୯୦। ଏଠାରେ ମ୍ୟାଜିକ୍ ନମ୍ବର ହେଉଛି ୪୬। କଂଗ୍ରେସ ୨୦୧୮ ବିଧାନସଭା ନିର୍ବାଚନରେ ଛତିଶଗଡ଼ରେ ୬୮ ଆସନରେ ଜିତିଥିବାବେଳେ ବିଜେପି ମାତ୍ର ୧୫ଟି ଆସନ ପାଇଥିଲା। ଚଳିତ ନିର୍ବାଚନରେ ବି କଂଗ୍ରେସ ଏହାର ପୂର୍ବ ରେକର୍ଡ ବଜାୟ ରଖିବାକୁ ଉଦ୍ୟମ ଜାରି ରଖିଛି। ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ମ୍ୟାଜିକ ନମ୍ବର ହେଉଛି ୧୧୬। ୨୦୧୮ରେ ମଧ୍ୟପ୍ରଦେଶରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ବିଜେପି ୧୦୯ ଆସନରେ ଜିତିଥିବାବେଳେ କଂଗ୍ରେସ ୧୧୪ ଆସନରେ ଜିତି ସରକାର ଗଠନ କରିଥିଲା। କିନ୍ତୁ କେତେକ କଂଗ୍ରେସ ବିଧାୟକଙ୍କ ବିଦ୍ରୋହ ଯୋଗୁଁ ବିଜେପି କ୍ଷମତା ଦଖଲ କରିଥିଲା। ସେହିଭଳି ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ମ୍ୟାଜିକ ନମ୍ବର ହେଉଛି ୧୦୧। ପୂର୍ବ ନିର୍ବାଚନରେ କଂଗ୍ରେସ ଏଠାରେ ୧୦୦ ଆସନରେ ଜିତିଥିବାବେଳେ ବିଜେପିକୁ ୭୩ ଆସନ ମିଳିଥିଲା।
ସଂଖ୍ୟାଗରିଷ୍ଠତା ପାଇଁ ସେଠାରେ କଂଗ୍ରେସ ସରକାର ଗଠନ କରିଥିଲା। ନିର୍ବାଚନ ତାରିଖ ଘୋଷଣା ହୋଇଥିବା ତେଲେଙ୍ଗାନା ବିଧାନସଭାର ମୋଟ ଆସନ ସଂଖ୍ୟା ୧୧୯ ଏବଂ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୬୦। ୨୦୧୮ରେ ଏଠାରେ କେସିଆର୍ଙ୍କ ଦଳ ୮୮ ଆସନରେ ଜିତିଥିଲା। କଂଗ୍ରେସକୁ ମାତ୍ର ୧୯ ଆସନ ମିଳିଥିଲା। ୪୦ ଆସନ ବିଶିଷ୍ଟ ମିଜୋରାମରେ ମିଜୋ ନେସନାଲ ଫ୍ରଣ୍ଟ୍ (ଏମ୍ଏନ୍ଏଫ୍)୨୦୧୮ରେ ୨୭ ଆସନରେ ଜିତିଥିଲା। କଂଗ୍ରେସକୁ ୪ ଆସନ ମିଳିଥିବା ବେଳେ ବିଜେପି ମାତ୍ର ଗୋଟିଏ ଆସନରେ ଜିତିଥିଲା। ମିଜୋରାମରେ ମ୍ୟାଜିକ ନମ୍ବର ହେଉଛି ୨୧। ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲେଙ୍ଗାନା ବିଧାନସଭା କାର୍ଯ୍ୟକାଳ ଆସନ୍ତାବର୍ଷ ଜାନୁଆରିରେ ଶେଷ ହେଉଥିବାବେଳେ ମିଜୋରାମ ବିଧାନସଭା କାର୍ଯ୍ୟକାଳ ଚଳିତ ବର୍ଷ ଡିସେମ୍ବରରେ ଶେଷ ହେଉଛି।
[ad_2]