ରାଜ୍ୟ

ବାଲେଶ୍ବରରେ ରାହାଗିରି: ସହରବାସୀ ନେଲେ ନିଆରା ଅନୁଭୂତି – Ibnodisha

[ad_1]

ବାଲେଶ୍ବର: ସାଇବର ସୁରକ୍ଷା ଉପରେ ବାଲେଶ୍ବର ଜିଲ୍ଲା ପୁଲିସ ତରଫରୁ ଚାଲିଥିବା ସଚେତନତା ଅଭିଯାନ ଅବସରରେ ଆଜି ବାଲେଶ୍ବର ସହରର ଓଟିରୋଡ଼ରେ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଥିଲା ରାହାଗିରି(ପଥ ଉତ୍ସବ)। ଆଇଟିଆଇ ଛକ ଠାରୁ ପୁଲିସଲାଇନ୍‌ ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍କୁଲ, କଲେଜ, ସଂକୀର୍ତନ ମଣ୍ଡଳୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ୫୦ ରୁ ଅଧିକ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ତରଫରୁ ୩ ହଜାର ପାଖାପାଖି ପ୍ରତିଯୋଗୀ ଅଂଶଗ୍ରହଣ କରି ରଂଗୋଲି, ନାଚ, ଗୀତ, ବାଦ୍ୟଯନ୍ତ୍ର, ସ୍କେଟିଂ, ଏରୋବିକ୍‌, କବାଡ଼ି, ଖୋ​-ଖୋ, ସ୍କିପିଂ, ସାଇକେଲ ଚାଳନା, ବ୍ୟାୟାମ, କରାଟେ, ବାସ୍କେଟବଲ, ଭାର ଉତ୍ତୋଳନ, ଏକକ ଅଭିନୟ, ଦାନ ଉତ୍ସବ, ହ୍ୟାଣ୍ଡ ପ୍ରିଣ୍ଟ୍‌ ଆଦିରେ ଭାଗ ନେଇଥିଲେ।

ବାଲେଶ୍ବର ଏସ୍‌ପି ସାଗରିକା ନାଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଥିଲେ ଯେ, ବାଲେଶ୍ବର ହେଉଛି କଳା, ସାହିତ୍ୟ, ସଂସ୍କୃତିର ଏକ ସମୃଦ୍ଧ ସହର। ସେହି ଦୃଷ୍ଟିରୁ ଓଡ଼ିଶା ପୁଲିସ ତରଫରୁ ଏବେ ସାଇବର ସୁରକ୍ଷା ନେଇ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଚାଲିଥିବା ବେଳେ ବାଲେଶ୍ବର ଜିଲ୍ଲା ପୁଲିସ ପକ୍ଷରୁ ଏହାକୁ ଏକ ନିଆରା ଢଙ୍ଗରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ରାହାଗିରି ଦିବସର ଆୟୋଜନ କରାଯାଇଛି ଏବଂ ଏଥିରେ ସହରର ପିଲାଠାରୁ ବୟସ୍କ ସବୁ ବର୍ଗର ଜନସାଧାରଣଙ୍କୁ ସାମିଲ ହୋଇଛନ୍ତି। ତେବେ ମନୋରଂଜନ, କ୍ରୀଡ଼ା, କଳା ପ୍ରଦର୍ଶନ ଏବଂ ନିଜର ଲୁକ୍କାୟିତ ପ୍ରତିଭା ଦେଖାଇବାର ସୁଯୋଗ ଦେବା ସହ ସମସ୍ତେ ସାଇବର ଠକେଇ ଏବଂ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ ହୋଇପାରିବେ ବୋଲି ସେ ଆଶାବ୍ୟକ୍ତ କରିଥିବା କହିଛନ୍ତି। ଏହି ଅବସରରେ ଜିଲ୍ଲା ପୁଲିସ ପକ୍ଷରୁ ଏକ ‘ସାଇବର ସୁରକ୍ଷା ସଚେତନତା ରଥ’ ଓ ପୁଲିସ ବେଶରେ ଡଲଫିନ୍‌ ମୁଖା ଧାରଣ କରିଥିବା ‘ମାସ୍କଟ ସାଇରା’ ବୁଲି ବୁଲି ଜନସାଧାରଣଙ୍କୁ ସାଇବର ସୁରକ୍ଷା ସମ୍ପର୍କିତ ପ୍ରଚାରପତ୍ର ବାଣ୍ଟିଥିଲେ। ସେହିପରି ମାସ୍କଟ ସାଇରା ସହ ସେଲ୍‌ଫି ନେବା ପାଇଁ ଛାତ୍ରଛାତ୍ରୀ, ମହିଳା ଓ ଯୁବପିଢ଼ୀ ମନରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ଭୋର ୫ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ନୃତ୍ୟ, ଗୀତ, ଖେଳ, ଯୋଗାଭ୍ୟାସ ସାଙ୍ଗକୁ ବିଭିନ୍ନ ଷ୍ଟଲରେ ଦିଆଯାଉଥିବା ଚା, ବିସ୍କୁଟ୍‌, ପାନୀୟଜଳ ତଥା ଜଳଖିଆକୁ ସହସ୍ରାଧିକ ଲୋକ ମନଭରି ଉପଭୋଗ କରିବା ସହ ଝୁମିଥିଲେ। ​କିଏ ରଙ୍ଗୋଲି, ଚିତ୍ରାଙ୍କନରେ ତ ପୁଣି କିଏ ଥ୍ରୀ-ଡି ଆର୍ଟ ଓ ନାଟକ ମାଧ୍ୟମରେ ଦର୍ଶକଙ୍କୁ ବିମୋହିତ କରିଥିଲେ। ଆଉ ପେଣ୍ଡାଲରେ ଜଣାଶୁଣା କଣ୍ଠଶିଳ୍ପୀ ଓ ସେଲିବ୍ରେଟିଙ୍କ ଆକର୍ଷଣୀୟ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ବାଲେଶ୍ବର ସହରବାସୀଙ୍କ ମନରେ ‘ରାହାଗିରି ଦିବସ’ର ଏକ ନିଆରା ଅନୁଭୂତି ଦେଇଥିଲା।

ଅନ୍ୟପକ୍ଷରେ ରବିବାର ଥିବାରୁ ବାଲେଶ୍ବର ସହରରେ ରହୁଥିବା ଛାତ୍ରଛାତ୍ରୀ, ଅଭିଭାବକ ଏବଂ କର୍ମଜୀବୀମାନେ ତାଙ୍କର ଅବସର ସମୟ ବିତେଇବା ପାଇଁ ଭରପୂର ସୁଯୋଗ ପାଇଥିଲେ। ପିଲାଠାରୁ ବୟସ୍କ ସମସ୍ତଙ୍କ ମନ ଏହି ରାହାଗିରି ଜିଣିଥିବା ବେଳେ ପାଖାପାଖି ୧୦ ହଜାର ଜନସାଧାରଣ ଏକତ୍ରିତ ହୋଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ବାଲେଶ୍ବର ସହରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ‘ରାହାଗିରି ଦିବସ’ କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ବରୂପ କୁମାର ଦାସ, ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହ୍ବାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୁଲାଲସେନ୍‌ ଜଗଦ୍ଦେବ, ଅତିରିକ୍ତ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ମୃତ୍ୟୁଞ୍ଜୟ ମିଶ୍ର ପ୍ରମୁଖ ଯୋଗଦେଇ ଜିଲ୍ଲା ପୁଲିସର ଏହି ପଦକ୍ଷେପକୁ ସ୍ବାଗତ କରିବା ସହ ଭୁରି ଭୁରି ପ୍ରଶଂସା କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button