ରାଜ୍ୟ

ସାଇବର ଠକଙ୍କ ଜାଲରେ ପୁଣି ଜଣେ ଆଇପିଏସ୍‌, ଜେଲ୍‌ ଏଡିଜିଙ୍କ ନାଁରେ ନକଲି ଇନ୍‌ଷ୍ଟା ଆକାଉଣ୍ଟ

ଭୁବନେଶ୍ୱର, ୪।୯: ପୁଣି ଜଣେ ଆଇପିଏସ୍ଙ୍କୁ ମୋହରା ବନାଇଛନ୍ତି ସାଇବର ଅପରାଧୀ । ତାଙ୍କ ନାଁରେ ଇନ୍ଷ୍ଟାଗ୍ରାମରେ ଏକ ନକଲି ଆକାଉଣ୍ଟ ଖୋଲି ଠକେଇର ଜାଲ ବିଛାଇଛନ୍ତି । ବରିଷ୍ଠ ଆଇପିଏସ୍ ଜଣକ ହେଲେ ପରିବହନ ଆୟୁକ୍ତ ତଥା ଜେଲ୍ ଏଡିଜି ଅମିତାଭ ଠାକୁର । ଶ୍ରୀ ଠାକୁର ଏ ବାବଦରେ ତାଙ୍କ ‘ଏକ୍ସ’ ଆକାଉଣ୍ଟ୍ରେ ଉଲ୍ଲେଖ କରିଛନ୍ତି ।

ଏଭଳି ଠକାମିର ଶିକାର ନ ହେବାରୁ ସମସ୍ତଙ୍କୁ ନିବେଦନ କରିଛନ୍ତି । ନକଲି ଇନଷ୍ଟାଗ୍ରାମ୍ ଆକାଉଣ୍ଟର ଡିସପ୍ଲେ ପିକଚର(ଡିପି) ରେ ଶ୍ରୀ ଠାକୁରଙ୍କ ଅସଲି ଫଟୋକୁ ଲଗାଯାଇଛି । ଶ୍ରୀ ଠାକୁରଙ୍କ ଅସଲି ଆକାଉଣ୍ଟରେ ଥିବା କିଛି ଫଟୋକୁ ସାଇବର ଅପରାଧୀମାନେ ନକଲି ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଯେଉଁଥିପାଇଁ ଏହା ଏକ ଅସଲି ଆକାଉଣ୍ଟ ଭଳି ଭଳି ଜଣାପଡ଼ୁଛି ।

ମଙ୍ଗଳବାର ସକାଳେ ଜଣେ ବ୍ୟକ୍ତିଠାରୁ ଏହା ଜାଣିବା ପରେ ଶ୍ରୀ ଠାକୁର ତୁରନ୍ତ ତାଙ୍କ ଏକ୍ସରେ ଏକ ପୋଷ୍ଟ କରିଥିଲେ । ସେଥିରେ ନକଲି ଆକାଉଣ୍ଟର ମୁଖ୍ୟ ପୃଷ୍ଠାର ଫଟୋଚିତ୍ର ସହ ଚାଟ୍ର ଏକ ଫଟୋକୁ ଯୋଡି଼ଛନ୍ତି । ଏଭଳି କୌଣସି ମେସେଜ ପାଇଲେ ମଧ୍ୟ ଆର୍ଥିକ କାରବାର ନ କରିବାକୁ ଲୋକଙ୍କୁ ଅବଗତ କରିଛନ୍ତି । ଏନେଇ ସେ କ୍ରାଇମବ୍ରାଞ୍ଚର ସାଇବର ସେଲ୍ ୟୁନିଟ୍ରେ ଅଭିଯୋଗ କରିବା ସହ ଭୁବନେଶ୍ୱର ଡିସିପିଙ୍କୁ ସୂଚନା ଦେଇଛନ୍ତି । ନକଲି ଆକାଉଣ୍ଟକୁ ହଟାଇବାକୁ ଇନଷ୍ଟାଗ୍ରାମକୁ ମଧ୍ୟ ଅବଗତ କରାଯାଇଥିଲା । ୨୦୨୦ରେ ଆଇପିଏସ୍ ଅନୁପ କୁମାର ସାହୁଙ୍କ ନାଁରେ ଏକ ନକଲି ଫେସ୍ବୁକ ଆକାଉଣ୍ଟ ଖୋଲାଯାଇଥିଲା । ତତ୍କାଳୀନ ରେଳବାଇ ଓ ତଟରକ୍ଷା ବାହିନୀ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ସାମାଜିକ ଗଣମାଧ୍ୟମରେ ହୋଇଥିବା ନକଲି ଆକାଉଣ୍ଟ ନେଇ ସାଇବର ସେଲ୍ରେ ଅଭିଯୋଗ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button