ରାଜ୍ୟ

୨୦୧୨ରୁ ବଦଳୁନି କୋଇଲା ରୟାଲଟି, ରାଜ୍ୟରେ ବାଲିର ବ୍ୟାପକ ଚୋରା ଚାଲାଣ

ଭୁବନେଶ୍ୱର, ୪।୯: ୨୦୧୨ରୁ ବଦଳୁନି କୋଇଲା ରୟାଲଟି । ଯାହା ମାତ୍ର ୧୪ ପ୍ରତିଶତ ରହିଛି । ଏ ନେଇ ବିଜେଡି କ୍ଷମତାରେ ଥିବା ବେଳେ ବାରମ୍ବାର ଚିଠି ଲେଖା ଯାଇଥିଲା । ତଥାପି କେନ୍ଦ୍ର ବଢ଼ାଇନଥିଲା । ଏବେ ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର । ତେଣୁ କେନ୍ଦ୍ର ନିକଟରେ କୋଇଲା ରୟାଲଟି ବଢ଼ାଇବାକୁ ଦାବି କରାଯାଉ ବୋଲି ବିଜେଡି ସଦସ୍ୟମାନେ କହିଛନ୍ତି ।

ମଙ୍ଗଳବାର ଇସ୍ପାତ ଓ ଖଣି ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇ କଳିକେଶ ନାରାୟଣ ସିଂହଦେଓ କହିଥିଲେ, ୨୦୦୦ ପୂର୍ବରୁ ଓଡ଼ିଶାରେ ଖଣି ଖାଦାନ ସବୁ ଥାଇ ବି ରାଜ୍ୟ ଗରିବ ଥିଲା । ମାତ୍ର ନବୀନ ପଟ୍ଟନାୟକ ଦାୟିତ୍ୱ ନେବା ପରେ ଖଣିଗୁଡିକୁ ଅକ୍ସନ୍ କରିବା ବ୍ୟବସ୍ଥା ଆରମ୍ଭ କରିଥିଲେ । ରାଜ୍ୟର ରାଜସ୍ୱ ବଢ଼ିଥିଲା । ରାଜ୍ୟକୁ ଶିଳ୍ପ ଆସିଥିଲା । କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଓ ଜିଲ୍ଲା ଖଣିଜ ପାଣ୍ଠି ଜରିଆରେ ବିଭିନ୍ନ ଉନ୍ନତିମୂଳକ କାମ ହୋଇ ପାରିଥିଲା । ହସ୍ପିଟାଲ୍, ମେଡିକାଲ୍ କଲେଜ, ବିଭିନ୍ନ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଥିଲା ।

ତେବେ କେନ୍ଦ୍ର ସରକାର ୨୦୧୨ରୁ କୋଇଲା ରୟାଲଟି ସଂଶୋଧନ କରିନି । ଏବେ ତାଙ୍କ ସରକାର ଥିବାରୁ ପରିବର୍ତ୍ତନ କରୁ ବୋଲି ଶ୍ରୀ ସିଂହଦେଓ କହିଥିଲେ । ଅନୁରୂପ ଦାବି ବିଜେଡିର ବରିଷ୍ଠ ବିଧାୟକ ଗଣେଶ୍ୱର ବେହେରା ମଧ୍ୟ ଉଠାଇଥିଲେ । ସେହିପରି ଶାସକ ଦଳର ସଦସ୍ୟମାନେ ରାଜ୍ୟରେ ବାଲିର ବ୍ୟାପକ ଚୋରା ଚାଲାଣ ନେଇ ୨୪ ବର୍ଷର ବିଜେଡି ସରକାରକୁ ଘେରିଥିଲେ । ଡଙ୍ଗା ପକାଇ ନଦୀରୁ ବାଲି ଉଠାଇ ଅଧିକ ଚାଲାଣ କରାଯାଉଛି । ପ୍ରତି ଜିଲ୍ଲାରେ ବାଲି ମାଫିଆ ଅଛନ୍ତି ବୋଲି ଶାସକ ଦଳ ସଦସ୍ୟମାନେ କହିଥିଲେ । ଶାସକ ଦଳ ସଦସ୍ୟ ଟଙ୍କଧର ତ୍ରିପାଠୀ, ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ନେଇ ବିଜେଡି ବିରୋଧରେ ବର୍ଷିଥିଲେ । ଏହାର ତଦନ୍ତ କରିବାକୁ ଦାବି କରିଥିଲେ । ଶାସକ ଦଳ ସଦସ୍ୟ ଅମରେନ୍ଦ୍ର ଦାସ ରାଜ୍ୟରେ ବିଜେଡି ଶାସନ ସମୟରେ ୬୦ ଲକ୍ଷ କୋଟିରୁ ଅଧିକ ଖଣି ଦୁର୍ନୀତି ହୋଇଥିବା କହିଥିଲେ ଯାହାର ପର୍ଦ୍ଦାଫାସ ହେଉ ବୋଲି ଦାବି କରିଥିଲେ ।

କଂଗ୍ରେସ ସଦସ୍ୟ ସାଗର ଚରଣ ଦାସ କହିଥିଲେ, ଖଣି ଅଞ୍ଚଳରେ ଦଳିତ ଓ ଆଦିବାସୀମାନେ ଦୀର୍ଘ ଦିନର ନିଜ ଜମି ହରାଉଛନ୍ତି । ବଦଳରେ ସେମାନେ କୌଣସି ଦିଗରେ ଲାଭବାନ ହୋଇପାରୁନାହାନ୍ତି । ରାଜ୍ୟରେ ଖଣି ଯୋଗୁ ସେଭଳି ଆଖିଦୃଶିଆ ଲାଭ ହୋଇପାରିନି । ଶିଳ୍ପ ଯେତେ ମାତ୍ରାରେ ବିକାଶ ହେବା କଥା ହୋଇପାରିନି । ପୋସ୍କୋ ଓଡ଼ିଶାରୁ ଫେରି ଯାଇଛି । ତେବେ ଖଣି ଯୋଗୁ ରାଜ୍ୟର ନୁହଁ, କେବଳ କିଛି ବ୍ୟକ୍ତିଙ୍କର ଲାଭ ହୋଇଛି ବୋଲି ଶ୍ରୀ ଦାସ କହିଛନ୍ତି । ଇସ୍ପାତ ଓ ଖଣି ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ନୀଳମାଧବ ହିକକା, ସଞ୍ଜୀବ ମଲ୍ଲିକ, ଶାରଦା ପ୍ରସାଦ ନାୟକ, ଡାକ୍ତର ସି ଏସ୍ ରାଜନ ଏକା, ଅଗସ୍ତି ବେହେରା, ବିଭୂତି ଭୂଷଣ ପ୍ରଧାନ, ନରସିଂହ ମାଡକାମି ପ୍ରମୁଖ ଭାଗ ନେଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button