ଆଗୁଆ ନୂଆଁ ଖାଇଲେ ପଥର୍ଲାବାସୀ, ରାଜା ଅମଳରୁ ଚାଲିଆସୁଛି ପରମ୍ପରା
କେସିଙ୍ଗା, ୪।୯: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପଥର୍ଲା ସମେତ ବାହାଦୂରପଦର ଏବଂ ପଲକାପଡ଼ାବାସୀ ମଙ୍ଗଳବାର ନୂଆଁଖାଇଛନ୍ତି । ସାଧାରଣତଃ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀରେ ପାଳିତ ହୋଇଥାଏ । କିନ୍ତୁ କଳାହାଣ୍ଡି ଜିଲ୍ଲାରେ ତିନିଟି ପର୍ଯ୍ୟାୟରେ ଲୋକେ ନବାନ୍ନ ଭକ୍ଷଣ କରିଥାନ୍ତି । ହେଲେ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ସମସ୍ତଙ୍କଠାରୁ ଆଗୁଆ କେସିଙ୍ଗାର ପଥର୍ଲା, ବାହାଦୂରପଦର ଓ କେସିଙ୍ଗା ଏନ୍ଏସି ଅନ୍ତର୍ଗତ ପଲକାପଡ଼ା ଗ୍ରାମବାସୀ ନୂଆଁଖାଇଥାନ୍ତି ।
ପୂର୍ବପରମ୍ପରା ଅନୁଯାୟୀ ସପ୍ତପୁରୀ ଅମାବାସ୍ୟା ଦିନ ଅର୍ଥାତ ଗତକାଲି ଗ୍ରାମବାସୀ ଗ୍ରାମ୍ୟ ଦେବଦେବୀଙ୍କୁ ପୂଜାକରି ନୂଆଁଖାଇ ପାଇଁ ବରଣ କରିଥିଲେ । ମଙ୍ଗଳବାର ପ୍ରତିପଦାରେ ସକାଳୁ ବିଧିମତେ ଗ୍ରାମ ଦେବଦେବୀ ଏବଂ ଘରର ଇଷ୍ଟଦେବୀଙ୍କ ଠାରେ ପୂଜାର୍ଚ୍ଚନା କରାଯିବା ସହ ନୂଆଁଅନ୍ନରେ ପ୍ରସ୍ତୁତ ଭୋଗ ଲାଗି ହୋଇଥିଲା । ପୂଜାକାର୍ଯ୍ୟ ସମ୍ପନ୍ନ ପରେ ସପରିବାର ବସି ନବାନ୍ନ ଭକ୍ଷଣ କରିଥିଲେ । ପରେ ସାନମାନେ ବୟୋଜ୍ୟେଷ୍ଠଙ୍କୁ ନୂଆଁଖାଇ ଜୁହାର କରି ଆଶୀର୍ବାଦ ଭିକ୍ଷା କରିଥିଲେ ।
ଏହି ଅବସରରେ ଗ୍ରାମରେ ବିଭିନ୍ନ ପ୍ରକାର ଖେଳକୁଦ ପ୍ରତିଯୋଗିତା, ଘୁମରା ନୃତ୍ୟ ଆଦି ପରିବେଷିତ ହୋଇଥିଲା । କିମ୍ବଦନ୍ତୀ ଅନୁସାରେ, କଳାହାଣ୍ଡିର ନାଗବଂଶୀ ରାଜା ତୀର୍ଥାଟନରେ ଯିବାପରେ ରାଜ୍ୟରେ ଅରାଜକତା ସୃଷ୍ଟି ହୋଇଥିଲା । ଏହାର ସୁଯୋଗ ନେଇ ଗଙ୍ଗ ବଂଶୀୟ ରାଜାମାନେ ସିଂହାସନ ଅକ୍ତିଆର କରିଥିଲେ । ତୀର୍ଥରୁ ରାଜା ପ୍ରତ୍ୟାବର୍ତ୍ତନ ପରେ ରାଜଗାଦିକୁ ନେଇ ଉଭୟପକ୍ଷ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ତତ୍କାଳୀନ ପଥର୍ଲା ଗୌନ୍ତିଆ ନାଗବଂଶୀୟ ମହାରାଜଙ୍କ ସପକ୍ଷରେ ଯୁଦ୍ଧ କରିଥିଲେ । ଏହି ଯୁଦ୍ଧରେ ନାଗ ବଂଶୀ ରାଜା ବିଜୟୀ ହୋଇଥିଲେ । ଯୁଦ୍ଧରେ ଗୌନ୍ତିଆଙ୍କ ବୀରତ୍ୱ ଦେଖି ରାଜା ଖୁସି ପ୍ରକଟ କରି କ’ଣ ମାଗିବାର ଅଛି ମାଗ ବୋଲି କହିଥିଲେ । ଉତ୍ତରରେ ପଥର୍ଲା ଗୌନ୍ତିଆ ଗ୍ରାମ୍ୟ ଦେବଦେବୀଙ୍କ କୃପାରୁ ବିଜୟ ଲାଭ କରିଥିବାରୁ ସେହି ଗ୍ରାମ ଦେବଦେବୀଙ୍କଠାରେ ସବୁଠାରୁ ଆଗୁଆ ନବାନ୍ନ ଭୋଗଲାଗି କରିବାକୁ ଅନୁମତି ମାଗିଥିଲେ । ମହାରାଜ ପଥର୍ଲା ଗୌନ୍ତିଆଙ୍କୁ ସମସ୍ତଙ୍କଠାରୁ ଆଗୁଆ ନୂଆଁଖାଇବା ପାଇଁ ଅନୁମତି ଦେଇଥିଲେ । ସେହିଦିନରୁ ପଥର୍ଲା, ବାହାଦୂରପଦର ଓ ପଲକାପଡ଼ାବାସୀ ପଶ୍ଚିମ ଓଡ଼ିଶାର ପ୍ରଥମ ଗାଁ ଭାବରେ ସର୍ବାଗ୍ରେ ନୂଆଁଖାଇ ପାଳନ କରିବାର ପରମ୍ପରା ପ୍ରଚଳିତ ଅଛି ।