ରାଜ୍ୟ

ଏବର୍ଷ ସରିବନି ଯୋଡ଼ା ଫ୍ଲାଏଓଭର ନିର୍ମାଣ – Ibnodisha

[ad_1]

ଯୋଡ଼ା: ଏ ବର୍ଷ ଶେଷ ହେବ ନାହିଁ ଯୋଡ଼ା ଫ୍ଲାଏଓଭର ନିର୍ମାଣ। ୨୦୨୩ ଡିସେମ୍ବରରେ କାମ ସାରିବାକୁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ମନ୍ଥର ଗତିରେ କାମ ଚାଲିଥିବାରୁ ଆହୁରି ତିନିମାସ ବିଳମ୍ବ ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବାରୁ ଯୋଡ଼ା ସହରବାସୀ ହନ୍ତସନ୍ତ ହେଉଛନ୍ତି। ଯୋଡ଼ା‌ ସହରରେ ଟ୍ରାଫିକ ସମସ୍ୟାର ପ୍ରତିକାର ପାଇଁ ଏକ ଫ୍ଲାଏଓଭର ନିର୍ମାଣ କରିବାକୁ ସ୍ଥିର ହୋଇଥିଲା। ୨୦୨୦ ନଭେମ୍ବରରେ ଓଡ଼ିଶା ବ୍ରିଜ କନଷ୍ଟ୍ରକ୍ସନ କର୍ପୋରେସନ (ଓବିସିସି) ପକ୍ଷରୁ ପ୍ରାୟ ୩ କିମି ବିଶିଷ୍ଟ ଚାରିଥାକିଆ ଫ୍ଲାଏଓଭର ନିର୍ମାଣ କରିବାକୁ ଚେଭ୍ରକ୍ସ ନାମକ ଏକ ଠିକାସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିଲା। କମାରଯୋଡ଼ାରୁ ରଣାଶାଳଘାଟି ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ଏହି ଫ୍ଲାଏଓଭର ପାଇଁ ୧୮୭ କୋଟି ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇଛି। ୨୦୨୦ ନଭେମ୍ବରରୁ କାମ ଆରମ୍ଭ ହୋଇଥିବା ବେଳେ ୨୦୨୩ରେ ଶେଷ ହେବ ବୋଲି ସମୟ ଧାର୍ଯ୍ୟ ହୋଇଛି। ନିର୍ମାଣ କାମ ମନ୍ଥର ଗତିରେ ଚାଲିଥିବାରୁ ଏହା ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହେବା ନେଇ ଆଶଙ୍କା ଦେଖା ଦେଇଛି। ସର୍ଭିସ ରୋଡ ଓ ଏହାର ଦୁଇପାର୍ଶ୍ବରେ ଡ୍ରେନ୍‌ ନିର୍ମାଣରେ ବିଳମ୍ବ, ବିଭିନ୍ନ ଖଣି କମ୍ପାନିମାନଙ୍କ ଦ୍ବାରା ସ୍ଲରି ପାଇପ୍‌ଲାଇନ୍‌ ପାଇଁ ମାଟି ଖୋଳା, ଫ୍ଲାଏଓଭରର ୫ଟି କଂକ୍ରିଟ ପିଲାର ନିର୍ମାଣରେ ବିଳମ୍ବ, ଅସମ୍ପୂର୍ଣ୍ଣ ସୁନାନଦୀ ପୋଲ ଆଦି ବିଭିନ୍ନ କାରଣ ପାଇଁ ଫ୍ଲାଏଓଭର ନିର୍ମାଣ ‌ସମ୍ପୂର୍ଣ୍ଣ ହୋଇପାରୁ ନଥିବା କୁହାଯାଉଛି।

ଅନ୍ୟପକ୍ଷରେ ଫ୍ଲାଏଓଭର ଓ ସର୍ଭିସ ରୋଡ ନିର୍ମାଣ କାମ ଶେଷ ହେଉ ନଥିବାରୁ ଯୋଡ଼ା ସହରବାସୀ ତିନିବର୍ଷ ହେଲା ହନ୍ତସନ୍ତ ହେଉଛନ୍ତି। ଫ୍ଲାଏଓଭର, ସୁନାନଦୀ ପୋଲ ଓ ସ୍ଲରି ପାଇପ୍‌ଲାଇନ୍‌ ବିଛାଇବା ପାଇଁ ବିଭିନ୍ନ ସ୍ଥାନରେ ଗାତ ଖୋଳା ଯାଇଥିବାରୁ ଯାତାୟାତ ପାଇଁ ରାସ୍ତା ନାହିଁ କହିଲେ ଚଳେ। ବିଭିନ୍ନ ସ୍ଥାନରେ ମାଟି ଗଦା ହୋଇଥିବାରୁ ବର୍ଷା ହେଲେ କାଦୁଅ ପଚପଚ ହେଉଛି। ଯାତାୟାତରେ ସମସ୍ୟା ହେଉଛି। ବିଶେଷ କରି ସ୍କୁଲ, କଲେଜ ଯାଉଥିବା ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସର୍ଭିସ ରୋଡ ଅଧାପନ୍ତରିଆ ହୋଇ ରହିଥିବାରୁ ସ୍କୁଲବସ୍‌ ଓ ଆମ୍ବୁଲାନ୍ସ ଯିବାରେ ସମସ୍ୟା ହେଉଛି। ଫ୍ଲାଏଓଭର ଓ ସର୍ଭିସରୋଡ କାମକୁ ତ୍ବରାନ୍ବିତ କରିବା ପାଇଁ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇମାସ ଧରି ସହର ଭିତରେ ଖଣିଜ ବୋଝେଇ ଭାରୀଯାନ ଚଳାଚଳ ଉପରେ କଟକଣା ଲଗାଯାଇଥିଲା। ଏବେ ପୁଣି ମାସେ ପାଇଁ ଭାରୀଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ହେଲେ ନିର୍ମାଣ କାମ ତ୍ବରାନ୍ବିତ ହୋଇପାରୁ ନଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଓବିସିସିର କନିଷ୍ଠ ଯନ୍ତ୍ରୀ ଧନେଶ୍ଵର ମାଝୀ କହିଛନ୍ତି, ନିର୍ଦ୍ଧାରିତ ସମୟରେ ଫ୍ଲାଏଓଭର କାମ ଶେଷ ହୋଇପାରିବ ନାହିଁ। ଆହୁରି ଅଧିକ ତିନିମାସ ସମୟ ଲାଗିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ମନ୍ଥର ଗତିରେ ଫ୍ଲାଏଓଭର ନିର୍ମାଣ କାମ ଚାଲିଥିବା ଅଭିଯୋଗକୁ ଠିକାସଂସ୍ଥା ପକ୍ଷରୁ ଅସ୍ବୀକାର କରାଯାଇଛି। ଠିକାସଂସ୍ଥା ଚେଭ୍ରକ୍ସର ମାନବ ସମ୍ବଳ ଅଧିକାରୀ ଭାଗୀରଥି ପଣ୍ଡା କହିଛନ୍ତି, ତିନି ସିଫ୍ଟରେ ‌ଶ୍ରମିକମାନେ ଦିନରାତି ଏକ କରି କାମରେ ଲାଗିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ ଫ୍ଲାଏଓଭର କାମ ସମ୍ପୂର୍ଣ୍ଣ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button