ରାଜ୍ୟ

ନିରାଶ କଲେ ଉତ୍କଳ, ରମା‌ଦେବୀ: ଉପରକୁ ଉଠିଲା ‘ସୋଆ’

ଭୁବନେଶ୍ବର: ୨୦୨୩ରେ ଦେଶର ‘ଶ୍ରେଷ୍ଠ ୧୦୦ ବିଶ୍ବବିଦ୍ୟାଳୟ’ ବର୍ଗରେ ଓଡ଼ିଶାରୁ ୩ଟି ବିଶ୍ବବିଦ୍ୟାଳୟ ସ୍ଥାନ ପାଇଥିଲେ। ଭୁବନେଶ୍ବରର ୩ଟି ଯାକ ଶିକ୍ଷାନୁଷ୍ଠାନ, ଯଥାକ୍ରମେ ସୋଆ ୧୫, କିଟ୍‌ ୧୬ ଓ ଉତ୍କଳ ବିଶ୍ବବିଦ୍ୟାଳୟ ୯୩ତମ ସ୍ଥାନରେ ରହିଥିଲେ। ଏଥର ଶ୍ରେଷ୍ଠ ୧୦୦ ତାଲିକାରୁ ଉତ୍କଳ ବାଦ୍‌ ପଡ଼ିଥିବା ବେଳେ ସୋଆ ଓ କିଟ୍‌ ନିଜ ସ୍ଥାନ ବଜାୟ ରଖିଛନ୍ତି।

ପ୍ରଥମ ଥର ପାଇଁ ପ୍ରକାଶ ପାଇଥିବା ରାଜ୍ୟ ପବ୍ଲିକ ବିଶ୍ବବିଦ୍ୟାଳୟ ବର୍ଗରେ ୪୨ତମ ସ୍ଥାନରେ ଉତ୍କଳ ରହିଛି। ଏହି ମାନ୍ୟତା ସେତେଟା ଉତ୍ସାହପ୍ରଦ ନ ଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଏହାକୁ ନେଇ ‘ଏକ୍ସ’ରେ ଖୁସି ବ୍ୟକ୍ତି କରିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନ‌ରେ ଭୁବନେଶ୍ବରରେ ଥିବା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୌଣସି ତାଲିକାକୁ ଆସିପାରି ନାହିଁ। ଗୋଟିଏ ପଟେ ବିଶ୍ବବିଦ୍ୟାଳୟ ବର୍ଗରେ ଉତ୍କଳ କମିଥିବା ବେଳେ ରମାଦେବୀ ଆଦୌ ନ ଥିବାରୁ ଶିକ୍ଷା ହବ୍‌ରେ ନୈରାଶ୍ୟ ଖେଳିଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ଏନ୍‌ଆଇଆରଏଫ୍‌ ତାଲିକାରେ ଉନ୍ନତ ପ୍ରଦର୍ଶନ କରିବା ଟିକିଏ ଆଶ୍ବସ୍ତି ଦେଇଛି।

ଉପରକୁ ଉଠିଲା ‘ସୋଆ’
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ୱବିଦ୍ୟାଳୟ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ହାସଲ କରିଛି। ୨୦୨୩ରେ ଏନ୍‌ଆଇଆର୍‌ଏଫ୍‌ ରାଙ୍କିଙ୍ଗ୍‌ର ୧୫ତମ ସ୍ଥାନରେ ଥିବା ସୋଆ ଏଥର ଗୋଟିଏ ପାହାଚ ଉପରକୁ ଉଠିଛି। ସମଗ୍ର ଶିକ୍ଷାନୁଷ୍ଠାନ ତାଲିକାରେ ଦୁଇଟି ସ୍ଥାନ ଉପରକୁ ଉଠି ୨୪ତମ ସ୍ଥାନରେ ପହଞ୍ଚିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୯ ବର୍ଷ ଧରି ଆୟୋଜିତ ହେଉଥିବା ଏହି ରାଙ୍କିଙ୍ଗ୍‌ରେ ସୋଆ ଶ୍ରେଷ୍ଠ ୨୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ନିଜ ସ୍ଥାନ ବଜାୟ ରଖିଛି। ଇଞ୍ଜିନିୟରିଂ କଲେଜ ବର୍ଗରେ ୨୬ତମ, ମେଡିକାଲ୍ ସାଇନ୍ସ ବର୍ଗରେ ୨୧ତମ, ଡେଣ୍ଟାଲ ଓ ଆଇନ ବର୍ଗରେ ୯ମ, ମ୍ୟାନେଜମେଣ୍ଟ ବର୍ଗରେ ୬୨ତମ ଓ ଗବେଷଣା ବର୍ଗରେ ୫୦ତମ ସ୍ଥାନରେ ରହିଛି। ୨୦୨୨ରେ ସୋଆ ନ୍ୟାସନାଲ୍ ଆସେସ୍‌ମେଣ୍ଟ ଆଣ୍ଡ୍‌ ଆକ୍ରେଡିଟେସନ୍ କାଉନସିଲ୍(ନାକ୍‌) ଦ୍ୱାରା ‘ଏ++’ ଗ୍ରେଡ୍ ହାସଲ କରି ପୁନଃସ୍ୱୀକୃତି ଲାଭ କରିଛି। ଶିକ୍ଷାନୁଷ୍ଠାନର ସଫଳତା ନେଇ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ ଖୁସିବ୍ୟକ୍ତ କରିବା ସହ ବିଶ୍ୱବିଦ୍ୟାଳୟର ଫାକଲ୍ଟି, ଗବେଷକ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button